Advertisment

ବିଜେପି ଛାଡ଼ିଥିବା ଲକ୍ଷ୍ମଣ ଧରିବେ କଂଗ୍ରେସ ହାତ

ପ୍ରାର୍ଥୀ ତାଲିକାରେ ନାଁ ନଥିବାରୁ ବୁଧବାର ଲକ୍ଷ୍ମଣ ସାବାଡ଼ି ବିଜେପିରୁ ଇସ୍ତଫା ଦେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Congress Leaders

Congress Leaders

ଟିକେଟ ନପାଇବା ଯୋଗୁ ଦୁଇ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡ଼ି କଂଗ୍ରେସରେ ଯୋଗ ଦେଇ ପାରନ୍ତି। ଶୁକ୍ରବାର ସକାଳେ ସେ କର୍ଣ୍ଣାଟକା କଂଗ୍ରେସର ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଭେଟିବା ପରେ ଏହି ଆଲୋଚନା ଜୋର ଧରିଛି। ସିଦ୍ଦରମୈୟାଙ୍କ ବାସଭବନରେ ଏହି ତିନି ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ସୂଚନା ମିଳିଛି।

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ୧୮୯ ଜଣଙ୍କ ନାଁ ଥିଲା। କିନ୍ତୁ ଏଥିରେ ଲକ୍ଷ୍ମଣ ସାବାଡ଼ିଙ୍କ ନାଁ ନଥିଲା। ଅଥାନି ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଲକ୍ଷ୍ମଣ ଏଥର ପୁଣି ବିଜେପି ଟିକେଟରେ ଲଢ଼ିବେ ବୋଲି ଆଶା ରଖିଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ମହେଶ କୁମାଥଲୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ପ୍ରାର୍ଥୀ ତାଲିକାରେ ନାଁ ନଥିବାରୁ ବୁଧବାର ଲକ୍ଷ୍ମଣ ସାବାଡ଼ି ବିଜେପିରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ, ମୁଁ ନିଷ୍ପତ୍ତି ନେଇ ସାରିଛି। ମୁଁ ଭିକାରୀ ନୁହେଁ ଯେ ଟିକେଟ ପାଇଁ କାହା ଗୋଡ଼ ତଳେ ପଡ଼ିବି। ମୋର ଆତ୍ମସମ୍ମାନ ଅଛି। ମୁଁ କାହା ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ କରେ ନାହିଁ।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ପରେ ଲକ୍ଷ୍ମଣ ସାବାଡ଼ି ଥିଲେ ବିଜେପିର ସବୁଠୁ ବରିଷ୍ଠ ଲିଙ୍ଗାୟତ ନେତା। ୬୩ ବର୍ଷୀୟ ଲକ୍ଷ୍ମଣ ୨୦୦୪, ୨୦୦୮ ଓ ୨୦୧୩ରେ ବିଜେପି ଟିକେଟରେ ଅଥାନିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୮ରେ ସେ କଂଗ୍ରେସ ପ୍ରାର୍ଥୀ ମହେଶ କୁମାଥଲୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୨୦ରେ ସେ କର୍ଣ୍ଣାଟକା ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ତେବେ ବିଜେପି ଟିକେଟ ନଦେବାରୁ ସେ କର୍ଣ୍ଣାଟକା ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇ ଦେଇଛନ୍ତି। 

ଟିକେଟ ନ ମିଳିବାରୁ  ବିଧାୟକ ଏମ୍‌.ପି କୁମାରସ୍ୱାମୀ, ନେହରୁ ଓଲେକର, ଗୁଲ୍ଲିହଟ୍ଟୀ ଶେଖର ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳ ଦୁଇଟି ପର୍ଯ୍ୟାୟରେ ୨୨୪ଟି ଆସନରୁ ୨୧୨ଟି ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୮ ଜଣ ବିଧାୟକ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାବାଦ୍ ୨ ଜଣ ବିଧାନ ପରିଷଦ ସଦସ୍ୟ ଓ ୧୦ରୁ ଅଧିକ ପୂର୍ବତନ ବିଧାୟକଙ୍କୁ ବିଜେପି ଟିକେଟ ଦେଇ ନାହିଁ। 

ସୂଚନାଯୋଗ୍ୟ, କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହେବ। 

Bjp Congress Karnataka Karnataka Polls 2023