Advertisment

୧୯୮୪ ଶିଖ ଦଙ୍ଗା: ସଜନ କୁମାରଙ୍କୁ ଆଜୀବନ, କ’ଣ ଥିଲା ଘଟଣାକ୍ରମ?

ଫେବୃଆରୀ ୧୨ରେ କୋର୍ଟ ସଜନ କୁମାରଙ୍କୁ ଯଶବନ୍ତ ଓ ତାଙ୍କ ପୁଅଙ୍କୁ ହତ୍ୟା କରାଯିବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ସଜନ କୁମାରଙ୍କ ମାନସିକ ସ୍ଥିତି ସମ୍ପର୍କରେ ରିପୋର୍ଟ ମାଗିଥିଲେ।

author-image
Hemant Lenka
Sajan Kumar

Sajan Kumar

ଦେଶକୁ ଦୋହଲାଇ ଦେଇଥିବା ୧୯୯୮୪ ମସିହା ଶିଖ ବିରୋଧୀ ଦଙ୍ଗାରେ ଦିଲ୍ଲୀର ଗୋଟିଏ କୋର୍ଟ ବଡ଼ ରାୟ ଦେଇଛନ୍ତି। ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସର ପୂର୍ବତନ ସାଂସଦ ସଜନ କୁମାରଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୯୮୪ ମସହା ନଭେମ୍ବର ୧ରେ ଯଶବନ୍ତ ସିଂହ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ସଜନ କୁମାରଙ୍କୁ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଦଣ୍ଡ ଦେଇଛନ୍ତି।

Advertisment

ସଜନ କୁମାରଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଯଶବନ୍ତଙ୍କ ପତ୍ନୀ ଓ ସରକାରୀ ଓକିଲ ନିବେଦନ କରିଥିଲେ। ହତ୍ୟା ଘଟଣାରେ ସର୍ବାଧିକ ଦଣ୍ଡ ମୃତ୍ୟୁ ଓ ସର୍ବନିମ୍ନ ହେଉଛି ଆଜୀବନ। ତେଣୁ ସଜନ କୁମାରଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ଯଶବନ୍ତଙ୍କ ପତ୍ନୀ ଦାବି କରିଥିଲେ। ହେଲେ ବିଚାରପତି ସବୁ କିଛି ଶୁଣିବା ପରେ ମୃତ୍ୟୁଦଣ୍ଡ ଆବେଦନକୁ ଖାରଜ କରିଥିଲେ। ଏହାପରେ ସଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ଫେବୃଆରୀ ୧୨ରେ କୋର୍ଟ ସଜନ କୁମାରଙ୍କୁ ଯଶବନ୍ତ ଓ ତାଙ୍କ ପୁଅଙ୍କୁ ହତ୍ୟା କରାଯିବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ସଜନ କୁମାରଙ୍କ ମାନସିକ ସ୍ଥିତି ସମ୍ପର୍କରେ ରିପୋର୍ଟ ମାଗିଥିଲେ। ଆଜି ରିପୋର୍ଟ ମିଳିବା ପରେ ସଜନ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିଛି। ସେ ଏବେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି।

Advertisment

୧୯୮୪ ନଭେମ୍ବର ୧ରେ ଘଟିଥିବା ହତ୍ୟା ଘଟଣାରେ ପ୍ରଥମେ ପଞ୍ଜାବୀ ବାଗ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା। ଏହାପରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଦୁଇ ଶିଖ ବଡିଗାର୍ଡ ଗୁଳି କରି ହତ୍ୟା କରିଥିଲେ। ଏହାର ବଦଲା ନେବାକୁ ଶିଖ ବିରୋଧୀ ଦଙ୍ଗା ଆରମ୍ଭ ହୋଇଥିଲା। ଦିଲ୍ଲୀରେ ରହୁଥିବା ଶିଖମାନଙ୍କୁ ଆକ୍ରମଣ କରାଯିବା ସହ ସେମାନଙ୍କ ସମ୍ପତ୍ତି ଲୁଟ କରାଯାଇଥିଲା

ଏହି ସମୟରେ କିଛି ଲୋକ ଯଶବନ୍ତ ସିଂହଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେଠାରେ ରହୁଥିବା ଯଶବନ୍ତ ଓ ତାଙ୍କ ପୁଅଙ୍କୁ ସେମାନେ ହତ୍ୟା କରିଥିଲେ। ଏହାପରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

ପୂରା ଘଟଣାକ୍ରମ ଉପରେ ନଜର ପକାନ୍ତୁ

୧- ପ୍ରଥମଥର ୧୯୯୧ରେ ଘଟଣାକୁ ନେଇ ଏଫଆଇଆର ହୋଇଥିଲା

୨- ଉପଯୁକ୍ତ ପ୍ରମାଣ ନଥିବା କହି କୋର୍ଟ ୧୯୯୪ ମସିହା ଜୁଲାଇ ୮ରେ ଶୁଣାଣି କରି ନଥିଲେ। ଚାର୍ଜଶିଟରେ କୁମାରଙ୍କ ନାଁ ବି ନଥିଲା

୩- ଘଟଣାର ତଦନ୍ତ ପାଇଁ ୨୦୧୫ ମସିହା ଫେବୃଆରୀ ୧୨ରେ ସରକାର ଏସଆଇଟି ଗଠନ କରିଥିଲେ

୪- ୨୦୧୬ ନଭେମ୍ବର ୨୧ରେ ଏସଆଇଟି କୋର୍ଟଙ୍କୁ ମାମଲାର ଅଧିକ ତଦନ୍ତର ଆବଶ୍ୟକ ରହିଥିବା କହିଥିଲା

୫- ୨୦୨୧ ଏପ୍ରିଲ ୬ରେ ସଜନ କୁମାରଙ୍କୁ ଗିରଫ କରାଯାଇଥିଲା

୬- ୨୦୨୧ ମେ’ ୫ରେ ପୁଲିସ ଚାର୍ଜଶିଟ ଦାଖଲ କରିଥିଲା

୭- ୨୦୧୬ ଜୁଲାଇ ୨୬ରେ କୋର୍ଟ ଚାର୍ଜଶିଟକୁ ବିଚାରକୁ ନେଇଥିଲେ

୮- ୨୦୧୬ ଅକ୍ଟୋବର ୧ରେ କୋର୍ଟ ଚାର୍ଜର ଶୁଣାଣି ଆରମ୍ଭ କରିଥିଲେ

୯- ୨୦୧୬ ଡିସେମ୍ବର ୧୬ରେ କୋର୍ଟ ହତ୍ୟା, ଦଙ୍ଗା ଓ ଅନ୍ୟ ଦଫାରେ ଚାର୍ଜଫ୍ରେମ କରିଥିଲେ

୧୦- ୨୦୨୪ ଜାନୁଆରୀ ୩୧ରେ କୋର୍ଟ ଚୂଡ଼ାନ୍ତ ଯୁକ୍ତି ଶୁଣିଥିଲେ

୧୧- ୨୦୨୪ ନଭେମ୍ବର ୮ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ

୧୨- ୨୦୨୫ ଫେବୃଆରୀ ୧୨ରେ କୋର୍ଟ ସଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ

୧୩- ୨୦୨୫ ଫେବୃଆରୀ ୨୫ରେ କୋର୍ଟ ସଜନ କୁମାରଙ୍କୁ ଆଜୀନବ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ନାନାବତୀ କମିଶନର ରିପୋର୍ଟ ଅନୁସାରେ, ଶିଖ ଦଙ୍ଗାରେ ୨୭୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ଏନେଇ ୬୮୭ଟି ଏଫଆଇଆର ହୋଇଥିଲା। କୌଣସି ପତ୍ତା ନ ମିଳିବାରୁ ପୁଲିସ ୨୪୦ଟି ଏଫଆଇଆରକୁ ବନ୍ଦ କରି ଦେଇଥିଲା। ସେହିପରି ୨୫୦ଟି ମାମଲାର ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ୫୮୭ଟି ଏଫଆଇଆରରୁ ୨୮ଟି ମାମଲାରେ ଦଣ୍ଡାଦେଶ ମିଳିଥିଲା। ୪୦୦ ଜଣ ଲୋକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସଜନ କୁମାରଙ୍କ ସମେତ ୫୦ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଶିଖ ଦଙ୍ଗା ବେଳେ ସଜନ କୁମାରଙ୍କ ବେଶ ଦବଦବା ରହିଥିଲେ। ସେତେବେଳେ ସେ ସାଂସଦ ଭାବେ କାମ କରୁଥିଲେ। ଦିଲ୍ଲୀର ପାଲାମ କଲୋନୀରେ ୫ ଜଣଙ୍କୁ ହତ୍ୟା କରାଯିବା ଘଟଣାରେ ସଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୯୮୪ ମସିହା ନଭେମ୍ବର ୧ ଓ ୨ରେ ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ସଜନ କୁମାରଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କିନ୍ତୁ ଏଯାଏ ଏହାର ଶୁଣାଣି ହୋଇନାହିଁ।

Congress 1984 Anti Sikh Riots Case Sajjan Kumar