/odisha-reporter/media/post_attachments/uploadimage/library/16_9/16_9_0/IMAGE_1751816661.jpg)
Love Affair
ଗ୍ୟାଙ୍ଗର ମୁଖିଆଙ୍କ ପତ୍ନୀଙ୍କ ପ୍ରେମରେ ପଡ଼ି ଫସି ଯାଇଛନ୍ତି ଜଣେ ସଦସ୍ୟ। ସ୍ଥିତି ଏମିତି ହୋଇଛି ଯେ ଦିନେ ଯେଉଁମାନଙ୍କ ସହିତ ମିଶି ସେ ବେଆଇନ କାମ କରୁଥିଲେ, ଏବେ ସେମାନେ ତାଙ୍କୁ ମାରିବା ପାଇଁ ଖୋଜୁଛନ୍ତି। ଘଟଣାଟି ଘଟିଛି ମହରାଷ୍ଟ୍ରର ନାଗପୁରରେ।
ଏଠାରେ ‘ଇପ୍ପା’ ନାଁରେ ଏକ କୁଖ୍ୟାତ ଗ୍ୟାଙ୍ଗ ଅଛି। ଏହି ଗ୍ୟାଙ୍ଗର ସଦସ୍ୟ ହେଉଛନ୍ତି ଅରଶଦ ଟୋପୀ। ଗ୍ୟାଙ୍ଗର ମୁଖିଆଙ୍କ ପତ୍ନୀଙ୍କ ପ୍ରେମରେ ପଡ଼ିଯାଇଥିଲା ଅରଶଦ। ଦୁହିଁଙ୍କ ମଧ୍ୟରେ ଥିଲା ଆଫେୟାର। ହେଲେ ଗ୍ୟାଙ୍ଗର ମୁଖିଆ କିମ୍ବା ଅନ୍ୟ କୌଣସି ସଦସ୍ୟ ଏହାର ଟେର ପାଇନଥିଲେ। କିନ୍ତୁ ଗତ ଗୁରୁବାର ଘଟିଥିଲା ଏକ ଅଘଟଣ, ଯାହା ଖୋଲି ଦେଇଥିଲା ସବୁ ଗୁମର।
ସେହିଦିନ ଗ୍ୟାଙ୍ଗର ମୁଖିଆଙ୍କ ପତ୍ନୀ ତଥା ନିଜ ପ୍ରେମିକାଙ୍କୁ ବାଇକରେ ବସାଇ ବୁଲିବାକୁ ଯାଇଥିଲେ ଅରଶଦ ଟୋପୀ। ସେମାନେ ବାଇକ୍ରେ ଯାଉଥିବା ବେଳେ ଏକ ଜେସିବି ସେମାନଙ୍କୁ ପିଟି ଦେଇଥିଲା। ଏଥିରେ ଅରଶଦ ଟୋପୀ ସାମାନ୍ୟ ଆହତ ହୋଇଥିଲେ। ଗ୍ୟାଙ୍ଗ ମୁଖିଆଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା।
କୋରାଡି ଥର୍ମାଲ ପାୱାର ପ୍ଲାଣ୍ଟର ଏକ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରୁ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲା। ତେବେ ଉକ୍ତ ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବାକୁ ମନା କରି ଦେଇଥିଲା। ତା’ପରେ ପାଟ୍ରୋଲିଂ ଗାଡ଼ି ତାଙ୍କୁ କାମଠୀ ସ୍ଥିତ ଆଉ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲା। କିନ୍ତୁ ସେହି ଡାକ୍ତରଖାନା ବି ତାଙ୍କୁ ଭର୍ତ୍ତି କରିବାକୁ ମନା କରି ଦେଇଥିଲା। ଶେଷରେ ଅରଶଦ ଟୋପୀ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କିଛି ଟଙ୍କା ଦେବା ପରେ ଗ୍ୟାଙ୍ଗ ମୁଖିଆଙ୍କ ଆହତ ପତ୍ନୀଙ୍କୁ ନାଗପୁର ସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ଭବ ହୋଇଥିଲା। ତେବେ ସେଠାରେ ଶୁକ୍ରବାର ସକାଳେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଅରଶଦ ଟୋପୀ ଉକ୍ତ ମହିଳାଙ୍କ ସହିତ ଡାକ୍ତରଖାନାରେ ଥିଲେ।
ଇପ୍ପା ଗ୍ୟାଙ୍ଗ ମୁଖିଆଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାର ହେବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ଏହା ପରେ ଗ୍ୟାଙ୍ଗ ଅରଶଦ ଟୋପୀଙ୍କୁ ବେଇମାନ ଘୋଷଣା କରିଥିଲା। ତା’ ସହିତ ତାଙ୍କୁ ହତ୍ୟା କରିବାକୁ ପଣ କରିଥିବା କହିଥିଲା। ପୁଲିସ୍ର ସୂଚନା ଅନୁଯାୟୀ, ଗ୍ୟାଙ୍ଗର ସଦସ୍ୟମାନେ କହୁଛନ୍ତି ଯେ ସେମାନଙ୍କ ମୁଖିଆଙ୍କ ପତ୍ନୀଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇନାହିଁ। ଅରଶଦ ଟୋପୀ ତାଙ୍କୁ ହତ୍ୟା କରିଛନ୍ତି। ଗ୍ୟାଙ୍ଗର ପ୍ରାୟ ୪୦ ଜଣ ସଦସ୍ୟ ଏବେ ଅରଶଦ ଟୋପୀଙ୍କୁ ଖୋଜୁଛନ୍ତି। ସେ ଧୋକା ଦେଇଥିବାରୁ ତାଙ୍କୁ ହତ୍ୟା କରିବାକୁ ସେମାନେ ଖୋଜୁଛନ୍ତି ବୋଲି କହିଛନ୍ତି।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜୀବନ ପ୍ରତି ବିପଦ ଥିବା ଦେଖି ଅରଶଦ ଟୋପୀ ଶୁକ୍ରବାର ପରଡି ସ୍ଥିତ ଡିସିପିଙ୍କୁ ଭେଟି ସୁରକ୍ଷା ମାଗିଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡିସିପି ତାଙ୍କୁ କୋରାଡି ଥାନାକୁ ପଠାଇ ଦେଇଥିଲେ। ସେଠାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ପୁଲିସ୍ କହିଛି ଯେ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣାରେ ହିଁ ଇପ୍ପା ଗ୍ୟାଙ୍ଗ ମୁଖିଆର ପତ୍ନୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ୟା ଭିତରେ ଅରଶଦ ଟୋପୀ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
