Advertisment

ସରକାରୀ ଦଳ ବିଧାୟକଙ୍କ ଅଡିଓ କ୍ଲିପ୍‌ ଲିକ୍‌: କହିଛନ୍ତି, ଦୋହଲି ଯିବ ସରକାର

ସରକାରଙ୍କୁ ଅଡ଼ୁଆରେ ପକାଇବ କି ସରକାରୀ ଦଳର ବିଧାୟକଙ୍କ ଦାବି?

author-image
Jitendra Garnayak
ଅଦ୍ୟତନ ହୋଇଛି
BR Patil

BR Patil

କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସର ବିଧାୟକ ବି. ଆର ପାଟିଲଙ୍କ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ରାଜ୍ୟରେ ରାଜୀବ ଗାନ୍ଧୀ ହାଉସିଂ କର୍ପୋରେସନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି।

Advertisment

କର୍ଣ୍ଣାଟକା ରାଜ୍ୟ ନୀତି ଓ ଯୋଜନା ଆୟୋଗର ସଦସ୍ୟ ଥିବା ବିଧାୟକ ଶ୍ରୀ ପାଟିଲଙ୍କ ଏହି ଅଡିଓ କ୍ଲିପ୍‌ଟି ଗୃହନିର୍ମାଣ ମନ୍ତ୍ରୀ ଜମୀର ଅହମଦ ଖାନଙ୍କ ବ୍ୟକ୍ତିଗତ ସହାୟକ ସରଫରାଜ ଖାନଙ୍କ ସହିତ ହୋଇଥିବା ବାର୍ତ୍ତାଳପର ବୋଲି କୁହାଯାଉଛି।

ଏଥିରେ ଶ୍ରୀ ପାଟିଲ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ଲାଞ୍ଚ ଦେଇଛନ୍ତି, କେବଳ ସେମାନଙ୍କୁ ଘର ଯୋଗାଇ ଦିଆଯାଇଛି। ତାଙ୍କ ଭଳି ନିର୍ବାଚିତ ଜନପ୍ରତିନିଧିମାନେ କରିଥିବା ସୁପାରିସକୁ ଆଦୌ ଗ୍ରହଣ କରାଯାଇନାହିଁ। 

Advertisment

ଏହି ଅଡିଓ କ୍ଲିପ୍‌ରେ ବିଧାୟକ ଶ୍ରୀ ପାଟିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଯେଉଁମାନଙ୍କୁ ଘର ଦେବା ପାଇଁ ସୁପାରିସ କରିଥିଲେ, ସେଗୁଡ଼ିକୁ ଆଦୌ ବିଚାରକୁ ନିଆଯାଇନାହିଁ। ଅନ୍ୟପକ୍ଷରେ ଗ୍ରାମ ପଞ୍ଚାୟତ ସଭାପତିମାନେ କରିଥିବା ସୁପାରିସକୁ ଗ୍ରହଣ କରାଯାଇଛି। କାରଣ ସେମାନେ ଏଥିପାଇଁ ଲାଞ୍ଚ ଦେଇଛନ୍ତି। ଯେଉଁମାନେ ଟଙ୍କା ଦେଇଛନ୍ତି, ସେମାନେ ଘର ପାଇଛନ୍ତି। ଏଠି କ’ଣ ବ୍ୟବସାୟ ଚାଲିଛି? ଜନସାଧାରଣରେ ତାଙ୍କର ଭାବମୂର୍ତ୍ତି କ’ଣ ହେବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଗୃହନିର୍ମାଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ସରଫରାଜ ଖାନ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ଶୁଣିବାକୁ ମିଳିଛି। ଯଦି କେହି ଲାଞ୍ଚ ନେଇଗୃହ ବଣ୍ଟନ କରିଥିବେ ଓ ଏନେଇ ସବିଶେଷ ତଥ୍ୟ ଥିଲେ ତାଙ୍କୁ ଜେଲ୍‌ ପଠାଯିବ ବୋଲି ସରଫରାଜ ଖାନ କହିଛନ୍ତି।

ଏହା ପରେ ସରଫରାଜ ଖାନଙ୍କୁ ଚେତାବନୀ ଦେଇ ବିଧାୟକ ଶ୍ରୀ ପାଟିଲ କହିଛନ୍ତି ଯେ ଯଦି ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଲୋକମାନଙ୍କର ତାଲିକା ପ୍ରକାଶ କରିଦିଆଯିବ, ତା’ହେଲେ ସରକାର ଦୋହଲିଯିବ।

କଂଗ୍ରେସ ବିଧାୟକ ଶ୍ରୀ ପାଟିଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ‘ଆଲନ୍ଦ’ରେ ୯୫୦ଟି ଘର ବଣ୍ଟନ କରିବାକୁ ଲାଞ୍ଚ ନିଆଯାଇଛି।

ଏହି ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା କହିଛନ୍ତି ଯେ ବି.ଆର ପାଟିଲ ଯାହା କହିଛନ୍ତି, ତାହା ଶତପ୍ରତିଶତ ଠିକ୍। ଏହି ସରକାରରେ କୌଣସି କାର୍ଯ୍ୟ ବିନା ଲାଞ୍ଚରେ ହେଉ ନାହିଁ। ସେମାନଙ୍କ ବିଧାୟକ ହିଁ ଏହି କଥା କହୁଛନ୍ତି। ସରକାର ଏହାକୁ ଗ୍ରହଣ କରିବା ଉଚିତ୍ ଓ ତ୍ରୁଟି ସୁଧାରିବା ଉଚିତ।

Congress