ବେଶ କିଛି ଦିନର ବ୍ୟବଧାନ ପରେ କଶ୍ମୀରରେ ଆତଙ୍କବାଦ ସିରିଜର ୭ମ ଭାଗ ଆମେ ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ। ଏହି ଭାଗରେ ଆମେ ସୋଶାଲ ମିଡିଆରେ କେମିତି ଜିହଦୀଙ୍କ ଜନ୍ମ ହୋଇଥିଲା ଓ ଉପତ୍ୟକାରେ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିବା।
କଶ୍ମୀରରେ ନୂଆ ଯୁଗ ଆତଙ୍କର ଚେହେରା ବନିଥିଲା ବୁରହାନ ୱାନି
୨୦୧୬ ମସିହା ଗ୍ରୀଷ୍ମ ସମୟର କଥା। କଶ୍ମୀରରେ ନୂଆ ଧରଣର ଜିହାଦୀଙ୍କ ଆବିର୍ଭାବ ହୋଇଥିଲା। ଅତୀତରେ ଆତଙ୍କବାଦୀମାନେ ଆଢ଼ୁଆଳରେ ରହି ଅପରେଟ କରୁଥିଲେ। କିନ୍ତୁ ଏହି ବିଚ୍ଛିନ୍ନତାବାଦୀମାନେ ସୋଶାଲ ମିଡିଆରେ ନିଜ ଲଢ଼େଇକୁ ତୀବ୍ର କରିଥିଲେ। ସୋଶାଲ ମିଡିଆ ଲଢ଼େଇର ଚେହେରା ବନିଥିଲା ବୁରହାନ ୱାନି। ତ୍ରାଲ ଅଞ୍ଚଳର ଜଣେ ସ୍କୁଲ ପ୍ରିନ୍ସିପାଲଙ୍କ ପୁଅ ହେଉଛି ବୁରହାନ। ପୁଲୱାମାରୁ ତା’ର ଆତଙ୍କରାଜ ଆରମ୍ଭ ହୋଇଥିଲା। ହାତରେ ବନ୍ଧୁକ ଧରି ସେ ନୂଆ ଆତଙ୍କ ସୃଷ୍ଟି କରିଥିଲା।

ସୟିଦ ସଲାଉଦ୍ଦିନର ନେତୃତ୍ୱାଧୀନ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ସାମିଲ ହେବା ପରେ ୱାନି ନିଜକୁ ନିଜେ ଏରିଆ କମାଣ୍ଡର ଭାବେ ଘୋଷଣା କରିଥିଲା। ଏଥିସହ ବିଭିନ୍ନ ନିଯୁକ୍ତିକୁ ଜୋରଦାର କରିଥିଲା। ସତେ ଯେମିତି ସେ ଜଣେ କର୍ପୋରେଟ ନିଯୁକ୍ତିଦାତା ଭାବେ ଯୁବକମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ମାସିକ ୩୫ ହଜାର ଟଙ୍କାର ଦରମା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବ ବୋଲି କହୁଥିଲା। ୱାନି ଗ୍ୟାଙ୍ଗରେ ସାମିଲ ହେବା ପାଇଁ ଯୋଗ୍ୟତା ଥିଲା ୧୦ମ ପାସ ଓ ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବା।
ଆତଙ୍କବାଦ ବେଶ ଭଲ। ଏକଥାକୁ ସୋଶାଲ ମିଡିଆରେ ୱାନି ପ୍ରଚାର କରୁଥିଲା। ସେ ନିୟମିତ ଭାବେ ତା’ର ଓ ତା’ ସହ ଥିବା ମୁଜାହିଦ୍ଦିନମାନଙ୍କ ଫଟୋ ପୋଷ୍ଟ କରୁଥିଲା। ତ୍ରାଲର ଘାଷ ଗାଲିଚାରେ ସେମାନେ କେମିତି ଖେଳୁଛନ୍ତି, ପ୍ରାର୍ଥନା କରୁଛନ୍ତି ଓ ବୁଲୁଛନ୍ତି, ତା’ର ଫଟୋ ଭାଇରାଲ କରିଚାଲିଥିଲା। ଆତଙ୍କବାଦୀମାନେ ସାଧାଣତଃ ନିଜ ମୁହଁ ଦେଖାନ୍ତି ନାହିଁ। କିନ୍ତୁ ୱାନି ସବୁବେଳେ ତା’ର ମୁହଁ ଦେଖାଇ ଫଟୋ ପୋଷ୍ଟ କରେ। ଟାଇଗର ତ୍ରାଲ, ଏଚଏମ ତ୍ରାଲ, ବୁରହାନ ତ୍ରାଲି ନାମରେ ଫେସବକୁ ପେଜ, ୱେବସାଇଟ ଓ ହ୍ୱାଟସଆପ୍ ଗ୍ରୁପ ଖୋଲା ଯାଇଥିଲା। ଏହି ପ୍ଲାଟଫର୍ମ ଗୁଡ଼ିକୁ ବ୍ୟବହାର କରି ନିଯୁକ୍ତି, ଯୋଗାଯୋଗ ଓ ସେମାନଙ୍କ ଏଜେଣ୍ଡାକୁ ପ୍ରଚାର ପ୍ରସାର କରାଯାଉଥିଲା।

ନୂଆ ଜିହାଦୀ
ସାମାଜିକ ଓ ରାଜନୀତିକ ପରିବର୍ତ୍ତନ ଯୋଗୁ କଶ୍ମୀରରେ ସୋଶାଲ ମିଡିଆ ଜିହାଦୀ ବୃଦ୍ଧି ପାଇଥିଲା। ୨୦୧୨ ବେଳକୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ପୁଣିଥରେ ଧିମା ହୋଇଯାଇଥିଲା। ଦକ୍ଷିଣ ଏସିଆ ଆତଙ୍କବାଦ ପୋର୍ଟାଲର ତଥ୍ୟ ଅନୁସାରେ ଆତଙ୍କବାଦ ସହ ଜଡ଼ିତ ମୃତ୍ୟୁ ୨୦୦୨ରେ ୨୩୯୧ ଥିବା ବେଳେ ୨୦୧୨ ବେଳକୁ ଏହା ୧୨୧କୁ ଖସି ଆସିଥିଲା। ପାକିସ୍ତାନ ପକ୍ଷରୁ କଶ୍ମୀରକୁ ଟଙ୍କା ଓ ଲୋକଙ୍କୁ ପଠାଇବାରେ ସମସ୍ୟା ଦେଖାଯାଇଥିଲା। ଏଥିଯୋଗୁ ବିଚ୍ଛନ୍ନତାବାଦୀ ଓ ଜିହାଦୀଙ୍କ ମଧ୍ୟରେ ନିରାଶା ଭାବ ଖେଳି ଯାଇଥିଲା। ଏହି ସମସ୍ୟାର ସମାଧାନ କରିବାରୁ ଆତଙ୍କୀ ସଂଗଠନ ଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।
ସେମାନଙ୍କର ଏହି ନୂଆ ରଣନୀତିକ ବିଶେଷ ସଫଳତା ପାଇ ନଥିଲା। ୨୦୧୨ରୁ ୨୦୧୫ ମଧ୍ୟରେ ଆତଙ୍କବାଦ ଘଟଣା ୨୦୦ ତଳେ ରହିଥିଲା। ଅଧିକାଂଶ ଆକ୍ରମଣକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଥିଲେ। କଶ୍ମୀରକୁ ଭାରତ ପଞ୍ଝାରୁ ଖସି ଯିବାର ଆଶଙ୍କା ସୃଷ୍ଟି କରିଥିବା ବଡ଼ବଡ଼ ବିକ୍ଷୋଭ ଥଣ୍ଡା ହୋଇ ଯାଇଥିଲା। କେବଳ କିଛି ହାତ ଗଣତି ପଥରମାଡ଼ ଓ ହରତାଲ ଦେଖାଯାଇଥିଲା। ବିଶେଷ କରି ୨୦୦୧ ସଂସଦ ଆକ୍ରମଣର ଦୋଷୀ ଅଫଜଲ ଗୁରୁର ଫାଶୀ ପରେ ଏପରି ହରତାଲ ଓ ପଥର ମାଡ଼ ଘଟଣା ସାମ୍ନାକୁ ଆସିଥିଲା। ଅତୀତ ଭଳି କଶ୍ମୀର ପୁଣିଥରେ ଗୋଟିଏ ଭ୍ରମାତ୍ମକ ଶାନ୍ତିର ଆସ୍ତରଣ ମଧ୍ୟରେ ରହିଥିଲା।

୨୦୧୬ ମସିହା ଜୁଲାଇ ୮ ତାରିଖ
ଅନନ୍ତନାଗ ଜିଲ୍ଲାର ଗୋଟିଏ ପ୍ରାଚୀନ ସହର ହେଉଛି କୋକେରନାଗ। ଏହାର ନାମ ଗୋଟିଏ ଝରଣା(ନାଗ) ଅନୁସାରେ ରଖାଯାଇଛି। ଏହାର ଆକାର ଗଞ୍ଜାର ପାଦଚିହ୍ନ ଭଳି। ଗରମ ଦିନରେ ହଜାର ହଜାର ଲୋକ ଝରଣା ପାଖକୁ ଆସି ଏହାର ମଜା ଉଠାନ୍ତି। ମୋଗଲ ଯୁଗର ବଟାନିକାଲ ଗାର୍ଡେନର ଛାଇକୁ ସେମାନେ ଉପଭୋଗ କରନ୍ତି।
୨୦୧୬ ମସିହା ଜୁଲାଇ ୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା। କୋକେରନାଗର ପାହାଡ଼ ଗୁଳି ମାଡ଼ ଶବ୍ଦରେ ଥରି ଉଠିଥିଲା। ଯେତେବେଳେ ଏହା ବନ୍ଦ ହୋଇଥିଲା ସେତେବେଳେ ପୂରା ଅଞ୍ଚଳରେ ଚିତ୍କାର ଶୁଣା ଯାଇଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହାଜାର ଲୋକ ଅନନ୍ତନାଗ ରାସ୍ତାରେ ଏକାଠି ହୋଇଥିଲେ। ପଥର ମାଡ଼ ଓ ଭାରତ ବିରୋଧୀ ସ୍ଲୋଗାନ ପୂରା ଅଞ୍ଚଳକୁ ଅଶାନ୍ତ କରିଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବୁରହାନ ୱାନିର ମୃତ୍ୟୁକୁ ବିରୋଧ କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଇଦ ପାଇଁ ୱାନି ବୁମଡୋରା ଗାଁ ଆସିଥିବା ଖବର ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ନେତୃତ୍ୱରେ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ ପ୍ରାୟ ୧୫ ମିନିଟ ଧରି ଗୁଳି ବିନିମୟ ଚାଲିଥିଲା। ଏହି ଏନକାଉଣ୍ଟରରେ ୱାନିର ଖେଳ ଖତମ ହୋଇଥିଲା।

ୱାନିର ବଦଲା
ବୁରହାନ ୱାନି ନିହତ ହେବା ପରେ ବେଶ କିଛି ସପ୍ତାହ ଧରି କଶ୍ମୀର ଅଶାନ୍ତ ରହିଥିଲା। ସ୍ଥାନୀୟ ଲୋକମାନେ ତା’ର ମୃତ୍ୟୁ ବିରୋଧରେ ବିକ୍ଷୋଭ କରିଥିଲେ। କଟକଣା ସତ୍ତ୍ୱେ ହଜାର ହଜାର ଲୋକ ୱାନିର ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ସେଠାରେ ୱାନି ପାଇଁ ଆତଙ୍କବାଦୀମାନେ ୨୧ ତୋପ ସଲାମୀ ଦେଇଥିଲେ। ଅନନ୍ତନାଗ ଓ ପୁଲୱାମା ସମେତ କଶ୍ମୀରର ଅନେକ ସ୍ଥାନରେ ସୁରକ୍ଷାକର୍ମୀ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖାଯାଇଥିଲା। ତୁମେ କେତେ ବୁରହାନକୁ ମାରିବ, ପ୍ରତି ଘରୁ ବୁରହାନ ବାହାରିବେ ନାରା ଉପତ୍ୟକାରେ ଶୁଣା ଯାଇଥିଲା।

ହିଂସା ବଢ଼ୁଥିବାରୁ ପିଡିପି-ବିଜେପି ସରକାର ଉପତ୍ୟକାରେ କର୍ଫ୍ୟୁ ଲାଗୁ କରିଥିଲେ। ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। ରାସ୍ତା ଘାଟକୁ ବନ୍ଦ କରାଯିବା ସହ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଗିରଫ କରାଯାଇଥିଲା। ଅମରନାଥ ଯାତ୍ରା ମଧ୍ୟ ହୋଇ ନଥିଲା। ବାର୍ଷିକ ଅମରନାଥ ଯାତ୍ରା ପାଇଁ ପହଲଗାମ ଓ ଶ୍ରୀନଗରକୁ ଆସିଥିବା ଲୋକଙ୍କୁ ଏୟାରଲିଫ୍ଟ କରରାଯାଇଥିଲା। ଏସବୁ ପ୍ରତିକ୍ରିୟାରେ ଉତ୍ସାହିତ ବିଚ୍ଛନ୍ନତାବାଦୀମାନେ ଏହାକୁ ଦ୍ୱିତୀୟ ବିଦ୍ରୋହ କହିଥିଲେ। ପ୍ରଥମ ବିଦ୍ରୋହ ୧୯୯୧ରେ କଶ୍ମୀର ରେ ଦେଖାଯାଇଥିଲା।
ଭୟଙ୍କର ବିକ୍ଷୋଭ ଏକାଧିକ ସପ୍ତାହ ଧରି ଚାଲିଥିଲା। ସୁରକ୍ଷାକର୍ମୀ ଗୁଳିରେ ୫୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ପଥର ମାଡ଼ ଘଟଣା ଗୋଟିଏ ନିୟମିତ କାମରେ ପରିଣତ ହୋଇଥିଲା। ଏହାକୁ ରୋକିବାକୁ ସୁରକ୍ଷାକର୍ମୀଙ୍କୁ ରବର ଗୁଳି ମାରିବାକୁ ପଡ଼ିଥିଲା। କିନ୍ତୁ ସେତେବେଳେ କଶ୍ମୀରରେ ଗୋଟିଏ ନୂଆ ଧରଣର ମେଣ୍ଟ ଚାଲିଥିଲା। ଗୋଟିଏ ପଟେ ବିଜେପି ଓ ଅନ୍ୟପଟେ ପିଡିପି ରହିଥିଲା। ଉଭୟ ମିଳିତ ଭାବେ ସରକାର କରିଥିବା ବେଳେ ସେ ଆଶା କରିଥିଲେ ଯେ ଅତୀତ ଭଳି ଏଥର ଲୋକମାନେ ନିଜ ଆଡ଼ୁ ବିଦ୍ରୋହରୁ କିଛି ମାସ ପରେ ଓହରି ଯିବେ। ଏପରି ଧୈର୍ଯ୍ୟ ପ୍ରଦର୍ଶନ ଯୁକ୍ତିଯୁକ୍ତ ମଧ୍ୟ ଥିଲା।

ଗୋଟିଏ ସହଜ ଜୀବନ
ବ୍ରିଟିଶ ଲେଖକ ଯୋଶେଫ ଡି ଚୁନ୍ନିଗହାମ ହେଉଛନ୍ତି ଜଣେ ଉପନିବେଶବାଦର ସୈନ୍ୟ। ସେ ‘The History of the Sikhs’ରେ କଶ୍ମିରୀଙ୍କ ଚରିତ୍ର ସମ୍ପର୍କରେ କିଛି ମତ ରଖିଛନ୍ତି। ସେ କଶ୍ମିରୀଙ୍କୁ ମଜବୁତ ଓ ମେସିନ ଭଳି ଦକ୍ଷ ବୋଲି କହି ପ୍ରଶଂସା କରିଥିଲେ। ସମାନ ସମୟରେ କଶ୍ମିରୀଙ୍କୁ ଆତ୍ମବିଶ୍ୱାସ ନଥିବା ଲୋକ ମଧ୍ୟ କହିଥିଲେ।
୧୯୫୨ ମସିହାରେ ଶେଖ ଅବଦୁଲ୍ଲାଙ୍କୁ ଲେଖିଥିବା ଚିଠିରେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ମଧ୍ୟ ଏହି ଭାବନାକୁ ଦୋହରାଇଥିଲେ। ସେ କହିଥିଲେ ଯେ “ଏହା ମନେ ରଖିବାକୁ ପଡ଼ିବ ଯେ କଶ୍ମୀର ଘାଟି ଓ ଏହାର ଆଖପାଖ ଲୋକ ଯଦିଓ ଅନେକ ପ୍ରସଙ୍ଗରେ ବହୁତ ପ୍ରତିଭାଶାଳୀ, କିନ୍ତୁ ସେମାନେ ସେମିତି ଲୋକ ନୁହନ୍ତି ଯେଉଁମାନଙ୍କୁ ବୀର କୁହାଯାଇ ପାରିବ। ସେମାନେ ବହୁତ କୋମଳ ଓ ଆରାମ ଜୀବନ ବଞ୍ଚିବାକୁ ଚାହାନ୍ତି। ସାଧାରଣ ଲୋକଙ୍କୁ ମୁଖ୍ୟ ରୂପରେ କିଛି ଜିନିଷରେ ରୁଚି ରହିଥାଏ। ସେମାନେ ଗୋଟିଏ ସ୍ୱଚ୍ଛ ପ୍ରଶାସନ ଓ ଶସ୍ତା ଏବଂ ଭଲ ଖାଦ୍ୟ ଚାହାନ୍ତି।”
ତେବେ ଏପରି ଧାରଣାକୁ ଅନ୍ୟ ଇତିହାସକାର ଓ ସାମାଜିକ ବିଜ୍ଞାନୀମାନେ ଖାରଜ କରି ଦେଇଛନ୍ତି। କିନ୍ତୁ ଇତିହାସ ସାକ୍ଷୀ ରହିଛି ଯେ କଶ୍ମୀରର ପ୍ରତିରୋଧ ସବୁବେଳେ ହ୍ରାସ ପାଇଥାଏ। ଏହା ସମୁଦ୍ରର ଢେଉକୁ ସତେ ଯେମିତି ନକଲି କରିଥାଏ। ପ୍ରଥମେ ତୀବ୍ର ଓ ଉଗ୍ର ହୋଇଥାଏ। କିନ୍ତୁ ପରେ ଏହା ଶାନ୍ତ ପଡ଼ିଯାଏ। ଏହିକ୍ରମରେ ୱାନିର ମୃତ୍ୟୁ ପରେ ଆରମ୍ଭ ହୋଇଥିବା ବିକ୍ଷୋଭ କିଛି ମାସ ପରେ ଧୀରେଧୀରେ ତୀବ୍ରତା ହରାଇଥିଲା।
ସ୍ଥିତି ସୁଧୁରିବାରୁ କର୍ଫ୍ୟୁ କୋହଳ କରାଯାଇଥିଲା ଓ ଜୀବନ ସ୍ୱାଭାବିକ ହୋଇଥିଲା। ପୂର୍ବରୁ ବିକ୍ଷୋଭ ଓ ହରତାଲର ଡାକରା ଦେଉଥିବା ବିଚ୍ଛନ୍ନତାବାଦୀଙ୍କ ସ୍ୱର ନରମି ଯାଇଥିଲା।

ନୂଆ ଆଚରଣ ଓ ଆଭିମୁଖ୍ୟ
୨୦୧୬ରେ ନୂଆଦିଲ୍ଲୀ ମାନସିକତାରେ ମୌଳିକ ପରିବର୍ତ୍ତନ ଆସିଥିଲା। ଆତଙ୍କବାଦୀ ହମଲାର ଜବାବ ପାକିସ୍ତାନକୁ କୂଟନୀତିକସ୍ତରରେ ଦିଅଯାଉଥିବା ବେଳେ ସମୟକ୍ରମେ ଏହା ସାମରିକ କାର୍ଯ୍ୟାନୁଷ୍ଠାନର ରୂପ ନେଇଥିଲା। ୨୦୧୬ ଉରି ଆର୍ମି ବ୍ରିଗେଡରେ ହୋଇଥିବା ଆତଙ୍କୀ ହମଲାର ଜବାବରେ ଭାରତୀୟ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ପ୍ରଥମଥର ପାଇଁ ସରକାର ଘୋଷଣା କରିଥିଲେ ଯେ ଭାରତୀୟ ସେନା ଏଲଓସି ଡେଇଁ ଥିଲା ଓ ପିଓକେରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ ଓ ସେଫ ହାଉସକୁ ଧ୍ୱଂସ କରିଥିଲା। ଏଥିରେ ଅନେକ ଆତଙ୍କୀ ନିହତ ହୋଇଥିଲେ।
୨୦୧୯ ଫେବୃଆରୀ ୧୪ରେ ପୁଲୱାମରେ ଗୋଟିଏ ସିଆରପିଏଫ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଜୈଶ-ଇ-ମହମ୍ମଦର ଆଦିଲ ଅହମଦ ଦର ଏପରି ଆତ୍ମଘାତୀ ହମଲା କରିଥିଲା। ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ ନିର୍ବାଚନ ମୁଣ୍ଡ ଉପରେ ରହିଥିଲା। ମୋଦି ସରକାର ପୁଲୱାମା ହମଲାର ବଦଲା ନେବାକୁ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲେ। ସରକାର ଦାବି କରିଥିଲେ ଯେ ଏୟାର ଷ୍ଟ୍ରାଇକରେ ଜୈଶର ଏକାଧିକ ଆଡ୍ଡା ଧ୍ୱଂସ ହୋଇଛି ଓ ଅନେକ ଆତଙ୍କୀ ନିହତ ହୋଇଛନ୍ତି। ଏହାର ଜବାବରେ ପାକିସ୍ତାନ ଆକାଶ ପଥରେ ଭାରତକୁ ଟାର୍ଗେଟ କରିଥିଲା। କିନ୍ତୁ ଏଥିରେ ଭାରତର କୌଣସି କ୍ଷୟକ୍ଷତି ହୋଇ ନଥିଲା। ତୁରନ୍ତ ଜବାବ ନୀତି ଯୋଗୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଅତିକମରେ ୬ ବର୍ଷ ଯାଏ ଶାନ୍ତିକୁ କିଣି ପାରିଥିଲା।

ପଡ଼ୋଶୀ ଶାନ୍ତ ପଡ଼ିଥିବା ବେଳେ ଉପତ୍ୟକା ନିରବ ରହିଥିଲା। ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସବୁଠାରୁ ବଡ଼ ପଦକ୍ଷେପ ନେଇଥିଲେ। କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ସରକାର ଉଚ୍ଛେଦ କରିଦେଇଥିଲେ। ୧୯୪୭ରୁ ଏହା କଶ୍ମୀରରେ ଲାଗୁ ହୋଇ ରହିଥିଲା। ଜମ୍ମୁ-କଶ୍ମୀରରୁ ସରକାର ରାଜ୍ୟ ମାନ୍ୟତା ଛଡ଼ାଇ ନେଇଥିଲେ ଓ ଉପତ୍ୟକାରୁ ଲଦାଖକୁ ଅଲଗା କରି ଦେଇଥିଲେ।
ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି ଭିନ୍ନଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଧାରା ୩୭୦ ଉଚ୍ଛେଦ ହେବାର ବେଶ କିଛି ମାସ ଧରି ଜମ୍ମୁ-କଶ୍ମୀରରେ ଲକଡାଉନ ଲାଗି ରହିଥିଲା। ଉପତ୍ୟକା ବିଶ୍ୱ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ଆଉ ଏକ ବିଦ୍ରୋହ ଆଶଙ୍କାରେ କଶ୍ମୀରର ଲୋକମାନେ ନୂଆ ସ୍ୱାଭାବିକ ସ୍ଥିତିକୁ ଅସହଜ ଶାନ୍ତି ମଧ୍ୟରେ ଗ୍ରହଣ କରି ନେଇଥିଲେ।
୨୦୨୫ ଏପ୍ରିଲ ମାସରେ କଶ୍ମୀର ବିବାଦର ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ ଅପେକ୍ଷା କରି ରହିଥିଲା। ଏହି ଅଧ୍ୟାୟ ନିରୀହ ପର୍ଯ୍ୟଟକଙ୍କ ରକ୍ତରୁ ଆରମ୍ଭ ହୋଇଥିଲା। ଏହାର ବଦଲା ଭାରତୀୟ ସିନ୍ଦୂର ସହ ନିଆଯାଇଥିଲା।
ଭାଗ -୮ : ଅପରେସନ ସିନ୍ଦୂର, ଚୂଡ଼ାନ୍ତ ଅଧ୍ୟାୟ କିମ୍ବା ନୂଆ ଅଧ୍ୟାୟ)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।