କଶ୍ମୀରରେ ଆତଙ୍କବାଦର ଇତିହାସ ସିରିଜର ଏହା ହେଉଛି ଭାଗ ୬। ପୂର୍ବରୁ ଏ ସିରିଜର ୫ଟି ଭାଗ ସମ୍ଭବତଃ ଆପଣମାନେ ପଢ଼ିଥିବେ। ଭାଗ ୬ରେ ଆମେ ପାକିସ୍ତାନର ଆତଙ୍କବାଦ ନୀତି କେମିତି କଶ୍ମୀରରେ ବିକଶିତ ହୋଇଥିଲା, ସେ ସମ୍ପର୍କରେ ଜାଣିବା।

୧୯୪୭ ମସିହା ଅକ୍ଟୋବର ୨୪ରେ ଭିପି ମେନନ ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିଥିଲେ। ଜମ୍ମୁ-କଶ୍ମୀରର ମହାରାଜଙ୍କ ଅନୁରୋଧ କ୍ରମେ ସେ ପାକିସ୍ତାନ ଅନୁପ୍ରବେଶକାରୀଙ୍କ ମୁକାବିଲା କରିବାକୁ ଯାଇଥିଲେ। ଭିପି ମେନନ ଶ୍ରୀନଗରର ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ ଚାରିଆଡ଼େ କବରସ୍ତାନ ଭଳି ଶାନ୍ତି ରହିଥିଲା।
ଏରୋଡ୍ରମ ଠାରୁ ଶ୍ରୀନଗର ଆଡ଼େ ଲମ୍ବି ଥିବା ରାସ୍ତା ପୂରା ଖାଁ ଖାଁ ଥିଲା। କିଛି ସ୍ଥାନରେ ନ୍ୟାଶନାଲ କନଫରେନ୍ସର ସ୍ୱେଚ୍ଛାସେବୀ ଲାଠି ଧରି ଛିଡ଼ା ହୋଇଥିଲେ। ସେମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ପଚରାଉଚରା କରୁଥିଲେ। କିନ୍ତୁ ରାଜ୍ୟ ପୁଲିସ୍ର ଅନୁପସ୍ଥିତି ସ୍ପଷ୍ଟ ଭାବେ ଦେଖା ଯାଉଥିଲା। ଏକଥା ଭିପି ମେନନ ନିଜେ ତାଙ୍କ ବହି ଷ୍ଟୋରୀ ଅଫ ଦି ଇଣ୍ଟିଗ୍ରେସନ ଅଫ ଦି ଇଣ୍ଡିଆନ ଷ୍ଟେଟରେ ଉଲ୍ଲେଖ କରିଛନ୍ତି।

ମେନନ ହେଉଛନ୍ତି ଜଣେ ଆଇସିଏସ୍ ଅଫିସର। ଜମ୍ମୁ-କଶ୍ମୀରକୁ ଭାରତରେ ମିଶାଇବା ପାଇଁ ସେ ମହାରାଜଙ୍କ ଦସ୍ତଖତ ସଂଗ୍ରହ କରିଥିଲେ। ସେ ତାଙ୍କ ବହିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୧୯୪୭ରେ ଯେତେବେଳେ ପାକିସ୍ତାନ ଉପତ୍ୟକାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ସେତେବେଳେ କଶ୍ମୀରରେ ଏହାକୁ କୌଣସି ସହାୟତା ମିଳି ନଥିଲା। ବିଶେଷ କରି ଶ୍ରୀନଗରର ଲୋକେ ପାକିସ୍ତାନକୁ ବିରୋଧ କରିଥିଲେ। ଏପରି କି ପ୍ରଥମଥର ଭାରତୀୟ ସେନା ଶ୍ରୀନଗରରେ ପହଞ୍ଚିବା ସମୟରେ ଏନସିର ଜଣେ ବରିଷ୍ଠ ନେତା ବକ୍ସି ଗୁଲାମ ମହମ୍ମଦ ସେମାନଙ୍କର ପରିବହନ କଥା ବୁଝିଥିଲେ।

୧୯୬୫ରେ ପାକିସ୍ତାନ ତାଲିମ ପ୍ରାପ୍ତ ଆତଙ୍କବାଦୀଙ୍କୁ ସୀମା ପାର କରାଇ ଉପତ୍ୟକାକୁ ପଠାଇବା ଆରମ୍ଭ କରିଥିଲା। କିନ୍ତୁ ଏଥିରେ ପାକିସ୍ତାନକୁ ବେଶୀ କିଛି ଫାଇଦା ମିଳି ନଥିଲା। ଅନୁପ୍ରବେଶକାରୀଙ୍କୁ ସମର୍ଥନ କରିବା ବଦଳରେ କଶ୍ମୀରବାସୀ ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଥିଲେ। ଫଳସ୍ୱରୂପ ପାକିସ୍ତାନ ୧୯୬୫ରେ ଅପରେସନ ଗିବ୍ରାଲଟର ମାଧ୍ୟମରେ କଶ୍ମୀରକୁ ଦଖଲ କରିବା ପାଇଁ ଆରମ୍ଭ କରିଥିବା ଯୋଜନା ବିଫଳ ହୋଇଥିଲା।
ଦିନେ ଯେଉଁ କଶ୍ମୀରବାସୀ ପାକିସ୍ତାନକୁ ବିରୋଧ କରୁଥିଲେ ସେମାନେ ୧୯୯୦ ମସିହା ବେଳକୁ ଆଜାଦି ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏଥିଯୋଗୁ ଭୟଙ୍କର ସ୍ଥିତି ଦେଖାଯାଇଥିଲା। କଶ୍ମୀରବାସୀଙ୍କ ମାନସିକତାରେ ଏପରି ପରିବର୍ତ୍ତନ ସମ୍ପର୍କରେ ଜାଣିବାକୁ ହେଲେ ଉପତ୍ୟକାରେ ଆତଙ୍କବାଦ ପ୍ରୋତ୍ସାହନ ଓ ପାକିସ୍ତାନର କଶ୍ମୀର ନୀତିକୁ ବୁଝିବାକୁ ପଡ଼ିବ।

ପାକିସ୍ତାନର ରଣନୀତି
୧୯୬୫ ଯାଏ ପାକିସ୍ତାନ କଶ୍ମୀରରେ ସିଧାସଳଖ ସମର୍ଥନ ପାଇ ନଥିଲା। ସେହି ଅନୁସାରେ ପାକିସ୍ତାନ ତା’ର ରଣନୀତି ପ୍ରସ୍ତୁତ କରି ଆର୍ମି ଅଫିସରଙ୍କ ନେତୃତ୍ୱରେ ନିଜର ତାଲିମ ପ୍ରାପ୍ତ ସୈନ୍ୟମାନଙ୍କୁ ସାଦା ପୋଷାକରେ କଶ୍ମୀରକୁ ପଠାଇଥିଲା। ଏହି ସାଦା ପୋଷାକଧାରୀ ଆର୍ମି ନେତୃତ୍ୱରେ ପାକିସ୍ତାନ ପାଇଁ ଲଢ଼େଇ କରୁଥିଲେ ହେଁ ଇସଲାମାବାଦ ନିଜର ସଂପୃକ୍ତିକୁ ଅସ୍ୱୀକାର କରି ଚାଲିଥିଲା। କଶ୍ମୀରବାସୀଙ୍କ ସ୍ୱାଧୀନତା ପାଇଁ ଉପତ୍ୟକାର ଲୋକମାନେ ଅନୁପ୍ରାଣିତ ହୋଇ ଲଢ଼େଇ କରୁଥିବା ପାକିସ୍ତାନ କହି ଚାଲିଥିଲା।
୧୯୮୭ ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ ଉପତ୍ୟକା ଅଶାନ୍ତ ଥିବା ବେଳେ ପାକିସ୍ତାନ ତା’ର ରଣନୀତି ବଦଳାଇଥିଲା। ପାକିସ୍ତାନ ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବାକୁ ଆଉ ନିଜ ଲୋକଙ୍କୁ ପଠାଇ ନଥିଲା। ପାକିସ୍ତାନ ପକ୍ଷରୁ କଶ୍ମୀର ଯୁବକମାନଙ୍କୁ ମୌଳବାଦୀ ଚିନ୍ତାଧାରା ଓ ସରକାରୀ ବିରୋଧୀ ଚିନ୍ତାଧାରାରେ ପ୍ରଭାବିତ କରି ଏଲଇସି ନିକଟରେ ଥିବା କ୍ୟାମ୍ପରେ ତାଲିମ ଦେବା ଆରମ୍ଭ କରିଥିଲା। ସଶସ୍ତ୍ର ତାଲିମ ଦେବା ପରେ ସେମାନଙ୍କୁ ଉପତ୍ୟକାକୁ ପଠାଇଥିଲା। ଅତିରିକ୍ତ ଭାବେ ଜମ୍ମୁ-କଶ୍ମୀର ମୁକ୍ତି ପ୍ରଣ୍ଟ ଭଳି ବିଚ୍ଛିନ୍ନତାବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସମର୍ଥନ କରିଥିଲା। ପାକିସ୍ତାନ ଭଳି ବିଚ୍ଛିନ୍ନତାବାଦୀମାନେ ମଧ୍ୟ କଶ୍ମୀରକୁ ଭାରତ ଠାରୁ ଅଲଗା କରିବାକୁ ଚାହୁଁଥିଲେ।

୧୯୯୦ ମସିହା ଶେଷ ବେଳକୁ ପାକିସ୍ତାନର ବିଚ୍ଛିନ୍ନତାବାଦୀ ନୀତିକୁ ଆହୁରି ବଳ ମିଳିଥିଲା। କେବଳ ଜେକେଏଲଏଫ ସମର୍ଥନବ ଦଳରେ ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ମଧ୍ୟ ସହାୟତା କରିଥିଲା। ଏହା ପ୍ରାରମ୍ଭିକ ଫାଇଦା ପାକିସ୍ତାନୀ ସପକ୍ଷବାଦୀ ହିଜବୁଲ ମୁଜାହିଦ୍ଦିନ ଓ ଲସ୍କର-ଇ-ତାଏବା ହାସଲ କରିଥିଲେ।

ଏହି ପର୍ଯ୍ୟାୟରେ ପାକିସ୍ତାନ ନୀତିରେ ଗୋଟିଏ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପାକିସ୍ତାନ ଅପପ୍ରଚାର କରିବା ଦ୍ୱାରା ବିଚ୍ଛିନ୍ନତାବାଦୀ ଅଭିଯାନ ହିନ୍ଦୁ-ମୁସଲିମ ଲଢ଼େଇରେ ପରିଣତ ହୋଇଥିଲା। ଲସ୍କର ଓ ହିଜବୁଲ ଭଳି ସଂଗଠନର ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କ ଟାର୍ଗେଟ କିଲିଂ ଆରମ୍ଭ କରିଥିଲେ। ଫଳରେ ୧୯୯୦ରେ ସ୍ୱାଧୀନ ଭାରତର ସବୁଠାରୁ ବଡ଼ ପଳାୟନ ଦେଖିବାକୁ ମିଳିଥିଲା। ଆତ୍ମ ନିର୍ଣ୍ଣୟ ବା ନଜସ୍ୱ ପରିଚୟ ପାଇଁ ଆରମ୍ଭ ହୋଇଥିବା କଶ୍ମିରୀଙ୍କ ଆନ୍ଦୋଳନକୁ ପାକିସ୍ତାନ ଗୋଟିଏ ଧାର୍ମିକ ଜିହାଦରେ ପରିବର୍ତ୍ତନ କରି ଦେଇଥିଲା।
ଏହି ନୀତି ୧୯୯୦ ଶେଷ ଆଡ଼କୁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ପାକିସ୍ତାନର ସଖୀ କଣ୍ଢେଇ ହେବାକୁ ଚାହୁଁ ନଥିବା ବିଚ୍ଛିନ୍ନତାବାଦୀ ସଂଗଠନ ଗୁଡ଼ିକ ସହ ପାକ୍ ପ୍ରାୟୋଜିକ ଆତଙ୍କବାଦୀ ସଂଗଠନ ପ୍ରତିଯୋଗିତା ଆରମ୍ଭ କରି ଦେଇଥିଲେ। ଅତିରିକ୍ତ ଭାବେ ଅସ୍ତ୍ରଶସ୍ତ୍ର ବହୁଳ ବ୍ୟବହାର ଓ ଇସଲାମିଷ୍ଟ ଏଜେଣ୍ଡା ଯୋଗୁ ପାକ୍ ଦ୍ୱାରା ପରିଚାଳିତ ଗ୍ରୁପ ଗୁଡ଼ିକ ସ୍ଥାନୀୟ କଶ୍ମିରୀଙ୍କ ସମର୍ଥନ ହରାଇବା ଆରମ୍ଭ କରିଥିଲେ। ଏଥିଯୋଗୁ ପାକିସ୍ତାନ ରଣନୀତି ପୁଣି ବଦଳାଇ ସିଧାସଳଖ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲା।

ପୁଣି ଅତୀତକୁ ଫେରିଲା ପାକିସ୍ତାନ
୧୯୯୯ରେ ପାକିସ୍ତାନ ପୁଣିଥରେ ତା’ର ପୁରୁଣା ଅସ୍ୱୀକାର ନୀତିକୁ କାର୍ଯ୍ୟକାରୀ କରିଥିଲା। ୧୯୯୯ରେ ପାକିସ୍ତାନ ସାଦା ପୋଷାକରେ ନିଜ ସୈନ୍ୟମାନଙ୍କୁ କାର୍ଗିଲର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଦଖଲ ପାଇଁ ପଠାଇବାରୁ ଭାରତ ସହ ୪ର୍ଥ ଯୁଦ୍ଧ ହୋଇଥିଲା। ସ୍ୱାଧୀନତାର ୫୨ ବର୍ଷ ମଧ୍ୟରେ ଭାରତ ଓ ପାକିସ୍ତାନ ୪ର୍ଥ ଥର ପାଇଁ ଯୁଦ୍ଧ କରିଥିଲେ। ଭାରତର ସାମରିକ ଅପରେସନ ବିଜୟ ଯୋଗୁ ପାକିସ୍ତାନ ବାଧ୍ୟ ହୋଇ ପଛ ଘୁଞ୍ଚା ଦେଇଥିଲା। ଆମେରିକା ପକ୍ଷରୁ ମଧ୍ୟ ପାକିସ୍ତାନ ଉପରେ ଚାପ ପକାଇ ଯାଇଥିଲା। ପାକିସ୍ତାନ ତା’ର ସୈନ୍ୟମାନଙ୍କୁ କାର୍ଗିଲକୁ ପଠାଇଥିଲେ ହେଁ ଏହାକୁ ଆଦୌ ସ୍ୱୀକାର କରି ନଥିଲା।

କାର୍ଗିଲରେ ମାତ ଖାଇବା ପରେ ମଧ୍ୟ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଛାଡ଼ିବାକୁ ରାଜି ନଥିଲା। ଏଥିପାଇଁ ଉପତ୍ୟକା ବାହାରେ ସେ ଆତଙ୍କ ସୃଷ୍ଟି କରିଥିଲା। ୧୯୯୯ ମସିହା ଡିସେମ୍ବର ୨୪ରେ ହରକତ ଉଲ ମୁଜାହିଦ୍ଦିନର ୫ ଜଣ ଆତଙ୍କବାଦୀ ୧୯୦ ଜଣ ଯାତ୍ରୀଙ୍କୁ ଧରି କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା ଇଣ୍ଡିଆନ ଏୟାର ଲାଇନ୍ସର ବିମାନକୁ ଅପହରଣ କରିଥିଲେ। ବିମାନକୁ ପ୍ରଥମେ ଅମୃତସର, ପରେ ଲାହୋର, ଦୁବାଇ ଓ ଶେଷରେ ଆଫଗାନିସ୍ତାନର କାନ୍ଦାହରରେ ଅବତରଣ କରାଯାଇଥିଲା।
ସେତେବେଳେ ଆଫଗାନ ତାଲିବାନ ଆତଙ୍କବାଦୀଙ୍କ କବଜାରେ ଥିଲା। ଅକ୍ଟୋବର ୩୧ରେ ବ୍ୟାପକ ଆଲୋଚନା ପରେ ଭାରତ ସରକାର ଆତଙ୍କବାଦୀଙ୍କ ଦାବିରେ ରାଜି ହୋଇଥିଲା। ଭାରତ ସରକାର ବିମାନ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ମସୁଦ ଆଝାର, ଓମର ଶେଖ ଓ ମୁସ୍ତାକ ଜାର୍ଗର ଭଳି ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ତିହାର ଜେଲରୁ ମୁକ୍ତ କରିଥିଲେ।
ଏକବିଂଶ ଶତାବ୍ଦୀ ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ନେଇ ଆସିଥିଲା। କିନ୍ତୁ ଗୋଟିଏ ଅପ୍ରତ୍ୟାଶିତ ଘଟଣା ଆତଙ୍କବାଦ ପ୍ରତି ବିଶ୍ୱର ମତ ବଦଳାଇ ଦେଇଥିଲା। ଫଳର ଭାରତକୁ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନୂଆ ସହଯୋଗୀ ମିଳିଥିଲେ।

ଆତଙ୍କବାଦ ବିରୋଧରେ ବିଶ୍ୱର ଲଢ଼େଇ
୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖ। ଅଲକାଏଦା ଆତଙ୍କବାଦୀମାନେ ୪ଟି ବିମାନ ଅପହରଣ କରିଥିଲେ। ଅପହରଣ କରିଥିବା ବିମାନ ମଧ୍ୟରୁ ୨ଟିକୁ ନ୍ୟୁୟର୍କ ସହରରେ ଥିବା ୱାର୍ଲଡ ଟ୍ରେଡ ସେଣ୍ଟରରେ କ୍ରାଶ କରିଥିଲେ। ସେହିପରି ଆଉ ଗୋଟିଏକୁ ପେଣ୍ଟାଗନ ଓ ୪ର୍ଥ ବିମାନକୁ ସେମାନେ ପେନ୍ନସଲଭାନିଆରେ ଦୁର୍ଘଟଣାଗ୍ରସ୍ତ କରାଇ ପୂରା ବିଶ୍ୱକୁ ସ୍ତବ୍ଧ କରାଇ ଦେଇଥିଲେ। ଏହି ସିରିଜ ଆକ୍ରମଣରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। କ୍ରାଶର ଲାଇଭ ଚିତ୍ର ଲୋକମାନେ ଟିଭରେ ଦେଖିଥିଲେ।
ଏହାର ଜବାବରେ ଆମେରିକା ଓ ଏହାର ସହଯୋଗୀମରନେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। କଶ୍ମୀରରେ ସକ୍ରିୟ ଥିଲା ଲସ୍କର ଭଳି ଜିହାଦୀ ଗ୍ରୁପ ବିରୋଧରେ କଠୋର କଟକଣା ଲଗାଇଥିଲେ। ପୂରା ବିଶ୍ୱର ନଜର ଜାହିଦୀ ଗ୍ରୁପ ଉପରେ ରହିଥିବାରୁ ପାକିସ୍ତାନ ବାଧ୍ୟ ହୋଇ ସୀମା ପାର ଆତଙ୍କବାଦକୁ ହ୍ରାସ କରିଥିଲା। ଅସ୍ଥାୟୀ ରୂପେ କଶ୍ମୀରରେ ହିଂସା ହ୍ରାସ ପାଇଥିଲା।
ପରିସ୍ଥିତି ବଦଳିବା ପରେ ପାକିସ୍ତାନ ପୁଣି ତା’ର କୂଟନୀତି ଆରମ୍ଭ କରିଥିଲା। ସିଧାସଳଖ ସମର୍ଥନ ଓ ଅସ୍ୱୀକାର ନୀତିକୁ ବଦଳାଇ ପାକିସ୍ତାନ ନୂଆ ରଣନୀତି କରିଥିଲା। କଶ୍ମୀର ଓ କଶ୍ମୀର ବାହାରେ ବଡ଼ବଡ଼ ଆକ୍ରମଣ ପାଇଁ ପ୍ରୋତ୍ସାହନ ଦେବା ଆରମ୍ଭ କରିଥିଲା।

କମ ରିସ୍କ, ଅଧିକ ପୁରସ୍କାର
ପାକିସ୍ତାନର ବାହାବଲପୁରରେ ୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିବା ମୌଲାନା ମସୁଦ ଆଝାର ଛୋଟ ଦାଢ଼ି ରଖିଥିବା ପୃଥଳକାୟ ମଣିଷ। ମୌଳବାଦୀ ଇସଲାମର ଦେଓବନ୍ଦି ସ୍କୁଲରୁ ଅନୁପ୍ରାଣିତ ମସୁଦ ଆଝାର ଆଫଗାନିସ୍ତାନରେ ତାଲିମ ନେବା ପରେ ହରକତ ଉଲ ଅନସାରରେ ଯୋଗ ଦେଇଥିଲା। ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ତାକୁ ୧୯୯୪ରେ କଶ୍ମୀରରୁ ଗିରଫ କରାଯାଇଥିଲା। ଭାରତରେ ସେ ୧୯୯୯ କାନ୍ଦାହର ହାଇଜାକ ଘଟଣା ଯାଏ ଜେଲରେ ଥିଲା। ଜେଲରୁ ବାହାରିବା ପରେ ସେ ତୁରନ୍ତ ପାକିସ୍ତାନ ଭିତରେ ହଜି ଯାଇଥିଲା। ସେଠାରେ ମସୁଦ ଜୈଶ-ଇ-ମହମ୍ମଦ ନାଁରେ ଆତଙ୍କୀ ସଂଗଠନ ତିଆରି କରିଥିଲା। କିଛି ମାସ ମଧ୍ୟରେ ସେ ପାକିସ୍ତାନରେ ସକ୍ରିୟ ଅନ୍ୟ ଆତଙ୍କୀ ସଂଗଠନ ସହ ମିଶି ଭାରତ ବିରୋଧରେ ଆତ୍ମଘାତୀ ହମଲା ଆରମ୍ଭ କରି ଦେଇଥିଲା।

୨୦୦୧ ମସିହା ଅକ୍ଟୋବର ୧ ତାରିଖ। ୩ ଜଣ ଆତଙ୍କବାଦୀ ଶ୍ରୀନଗରରେ ଥିବା ଜମ୍ମୁ-କଶ୍ମୀର ବିଧାନସଭା ଉପରେ ଆକ୍ରମଣ କରିଥିଲେ। ପୁଲିସ୍ ପୋଷାକ ପିନ୍ଧି ସେମାନେ ଭିତରକୁ ଯିବା ସହ ଭୟଙ୍କର ହମଲା କରିଥିଲେ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆତଙ୍କବାଦ ବିରୋଧରେ ପୂରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶାରଫ ଡରି ଯାଇଥିଲେ। ଏହାର କିଛି ମାସ ପୂର୍ବରୁ ଶାନ୍ତି କଥାବାର୍ତ୍ତା ପାଇଁ ସେ ଆଗ୍ରା ଆସି ପାକିସ୍ତାନ ଆସିଥିଲେ। ସେ ଯିବାର କିଛି ଦିନ ପରେ ଭାରତରେ ଆତଙ୍କବାଦୀ ହମଲା ହୋଇଥିଲା। ତେଣୁ ମୁଶାରଫ ତୁରନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଆତଙ୍କବାଦୀ ହମଲାକୁ ନିନ୍ଦା କରିଥିଲେ। କିନ୍ତୁ ପାକିସ୍ତାନର ଅସ୍ୱୀକାର ନୀତି ବଳବତ୍ତର ରହିଥିଲା।

ଦୁଇ ଦେଶ ମଧ୍ୟରେ ବିବାଦ ବିଶ୍ୱକୁ ଡରାଇଥିଲା
୨୦୦୧ ମସିହା ଡିସେମ୍ବର ୧୩ରେ ୫ ଜଣ ଜୈଶ ଆତଙ୍କବାଦୀ ନୂଆଦିଲ୍ଲୀରେ ଥିବା ଭାରତର ସଂସଦ ପରିସରରେ ପହଞ୍ଚିଥିଲେ। ସେମାନେ ରାଇଫଲ, ଗ୍ରେନେଡ ଓ ବିସ୍ଫୋରକ ଦ୍ୱାରା ହମଲା କରିଥିଲେ। ସେମାନେ ଭାରତର ଲୋକପ୍ରତିନିଧିଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ ହେଁ ସୁରକ୍ଷାକର୍ମୀ ସବୁ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। କିନ୍ତୁ ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ୮ ଜଣ ସୁରକ୍ଷାକର୍ମୀଙ୍କ ସହ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୮ ଜଣ ଆହତ ବି ହୋଇଥିଲେ। ସଂସଦ ଆକ୍ରମଣ ପାଇଁ ପାକିସ୍ତାନ ଭିତ୍ତିକ ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦକୁ ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

ସଂସଦ ଆକ୍ରମଣ ପରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଭାରତ ଅପରେସନ ପରାକ୍ରମ ଆରମ୍ଭ କରିଥିଲା। ୧୯୭୧ ପରେ ସୀମାକୁ ଅଧିକ ସୈନ୍ୟ ପଠାଯାଇଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ସୀମାରେ ସୈନ୍ୟ ଠୁଳ କରିଥିଲା। ପୂରା ବିଶ୍ୱ ଏହାକୁ ଦେଖୁଥିବା ବେଳେ ପାକିସ୍ତାନ ଦମ୍ଭୋକ୍ତି ଦେଖାଇ ଆଣିବକ ଯୁଦ୍ଧାସ୍ତ୍ର ବିକଳ୍ପ ବ୍ୟବହାର କରିବାର ଧମକ ଦେଇଥିଲା।

ଆମେରିକା ପକ୍ଷରୁ ଭାରତକୁ ସମର୍ଥନ କରାଯାଇ ଲସ୍କର ଓ ଜୈଶକୁ ଆତଙ୍କବାଦୀ ସଂଗଠନ ପାଇଁ ଘୋଷଣା କରାଯାଇଥିଲା। ପାକିସ୍ତାନ ଉପରେ ମଧ୍ୟ ଆମେରିକା ଚାପ ପକାଇଥିଲା। ଚାପରେ ଚେପା ମୁଶାରଫ ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ମାସରେ ପରେ ପୁଣି ସ୍ଥିତି ବଦଳି ଥିଲା। ଜମ୍ମୁରେ ଥିବା ଆର୍ମି ବେସ ଉପରେ ଆତଙ୍କବାଦୀ ହମଲା କରିଥିଲେ। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।
ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରିବା ସହ ଏହାକୁ ପ୍ରୋତ୍ସାହିତ କରି ଚାଲିଛି। ଭାରତ ତଥ୍ୟ ପ୍ରମାଣ ସହ ସବୁ କିଛିର ପର୍ଦ୍ଦାଫାସ କରୁଥିଲେ ହେଁ ପାକିସ୍ତାନ ଏହାକୁ ଅସ୍ୱୀକାର କରି ଚାଲିଛି। ଦୁଇ ଦେଶ ମଧ୍ୟରେ ବିବାଦ ୧୦ ମାସ ଧରି ଚାଲିଥିଲା। ହେଲେ କିଛି ବି ଫଳ ମିଳି ନଥିଲା। ଭାରତ ବାରମ୍ବାର ଆତଙ୍କବାଦର ଶିକାର ହୋଇ ଆସୁଛି। ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ି ନାହିଁ।
ଭାଗ ୭- ବୁରହାନ ୱାନିର ଅନ୍ତ ଓ ଧାରା ୩୭୦
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।