ମହାରାଷ୍ଟ୍ରର ନାଗପୁରରେ ଏବେ ସାଂପ୍ରଦାୟିକ ଉତ୍ତେଜନା ତୀବ୍ର ସ୍ଥିତିରେ ପହଞ୍ଚିଛି। ସୋମବାର ସନ୍ଧ୍ୟାରେ ହିଂସା ଘଟିବା ପରେ ନାଗପୁରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରରୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ହଟାଇବା ଦାବିରେ ବିଭିନ୍ନ ହିନ୍ଦୁ ସଂଗଠନ ସୋମବାର ଆନ୍ଦୋଳନ କରିଥିଲେ। ବାସ୍ ଏହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ସନ୍ଧ୍ୟା ସମୟରେ ଏହା ବିସ୍ଫୋରକ ରୂପ ନେଇଥିଲା।
ପୁଲିସ୍ ୬୦ ଜଣ ଦଙ୍ଗାକାରୀଙ୍କୁ ଗିରଫ କରିଥିବା ବେଳେ ୩୦ରୁ ଅଧିକ ଗାଡ଼ି ପୋଡ଼ି ଜଳି ପାଉଁଶ ହୋଇଯାଇଛି। ସହରର ମହାଲ ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ଦଙ୍ଗାକୁ ପ୍ରଶମିତ କରିବା ପାଇଁ ପୁଲିସ୍ ଲୁହ ବୁହା ଗ୍ୟାସ ସହ ଲାଠି ଚାର୍ଜ କରିଛି। ସାଂପ୍ରଦାୟିକ ଉତ୍ତେଜନା ରାଜନୀତିକ ବାକଯୁଦ୍ଧକୁ ମଧ୍ୟ ଜନ୍ମ ଦେଇଛି।
ତେବେ ନାଗପୁରରେ ଏତେ ବଡ଼ ଘଟଣା ପଛରେ କେବଳ ଗୋଟିଏ ଗୁଜବ ହିଁ ରହିଛି। ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ କରାଯାଉଥିବା ବିକ୍ଷୋଭ ସମୟରେ କିଛି ଧାର୍ମିକ ପୁସ୍ତକ ଓ ଜିନିଷ ପୋଡ଼ା ଯାଇଥିବା ପ୍ରଚାର ହୋଇଥିଲା। ବାସ୍ ଏହା ନିଆଁ ପରି ବ୍ୟାପିବା ପରେ ସାଂପ୍ରଦାୟିକ ହିଂସା ଆରମ୍ଭ ହୋଇଯାଇଥିଲା। ଦଙ୍ଗାକାରୀମାନେ ପରସ୍ପର ଉପରକୁ ଚିଟନିସ ପାର୍କ ଓ ମହାଲ ଅଞ୍ଚଳରେ ପରସ୍ପରକୁ ପଥର ମାଡ଼ କରିଛନ୍ତି। ସ୍ଥିତିକୁ ଦେଖି ପ୍ରଶାସନ ଲୋକଙ୍କୁ ଏକାଠି ହେବାକୁ ବାରଣ କରିଛି।
କ’ଣ ଥିଲା ପୂରା ଘଟଣା?
ସୋମବାର ସକାଳ ୭ରୁ ୯ଟା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପକ୍ଷରୁ ମହଲା ଅଞ୍ଚଳରେ ଥିବା ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ ଆଗରେ ଶିବ ଜୟନ୍ତୀ ଆୟୋଜନ କରିଥିଲେ। ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ମଧ୍ୟାହ୍ନ ସମୟରେ ୪୦ରୁ ୫୦ ଜଣ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ ସେଠାରେ ପହଞ୍ଚି ଯାଇଥିଲେ। ଶ୍ରଦ୍ଧାଳୁମାନେ ଶିବ ଜୟନ୍ତୀ ପାଳନ କରୁଥିବା ବେଳେ ହଠାତ୍ ବିଏଚପି ଓ ବଜରଙ୍ଗ ଦଳର କର୍ମୀମାନେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୋଧରେ ନାରା ଦେଇଥିଲେ। ସେମାନେ ମହାରାଷ୍ଟ୍ରରେ ଥିବା ଔରଙ୍ଗଜେବଙ୍କ କବରକୁ ହଟାଇବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବିକ୍ଷୋଭ ବେଳେ ସେମାନେ ଔରଙ୍ଗଜେବଙ୍କ କୁଶପୁତ୍ତଳିକା ଦାହ କରି ବିଭିନ୍ନ ପ୍ରକାରର ନାରା ଦେଇ ଚାଲିଥିଲେ। ସେମାନେ କୁଶପୁତ୍ତଳିକା ଦାହ କରୁଥିବା ବେଳେ ସୋଶାଲ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ହିନ୍ଦୁ ସଂଗଠନର ସଦସ୍ୟମାନେ ନିର୍ଦ୍ଦିଷ୍ଟ ଧର୍ମର ବହି ଓ କିଛି ଜିନିଷ ପୋଡ଼ୁଥିବା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ଏହାକୁ ନେଇ ଅନ୍ୟ ଧର୍ମର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ମୁସଲିମ ସଂପ୍ରଦାୟର ଅନେକ ଯୁବକ ଉକ୍ତ ଅଞ୍ଚଳରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ମଧ୍ୟ ବିଭିନ୍ନ ପ୍ରକାରର ନାରାବାଜୀ କରିଥିଲେ। ଏହାର ମାତ୍ର କିଛି ସମୟ ମଧ୍ୟରେ ଶହଶହ ଯୁବକ ରାସ୍ତାକୁ ଆସି ପୁଲିସ୍ ଓ କିଛି ଘର ଉପରକୁ ପଥର ମାଡ଼ ଆରମ୍ଭ କରି ଦେଇଥିଲେ। ଅପରପକ୍ଷର ଗୋଷ୍ଠୀ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ସେମାନେ ମଧ୍ୟ ବିକ୍ଷୋଭକାରୀଙ୍କ ଉପରକୁ ପଥର ମାଡ଼ କରିବାରୁ ସ୍ଥିତି ଅଣୟାତ୍ତ ହୋଇଥିଲା।
ସନ୍ଧ୍ୟା ପ୍ରାୟ ୭.୩୦ରେ ହିଂସା ଭୟଙ୍କର ରୂପ ନେଇଥିଲା। ମହାଲ ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା। କାର ଓ ବାଇକକୁ ଭଙ୍ଗାରୁଜା କରାଯିବା ସହ ସେଥିରେ ନିଆଁ ଲଗାଇ ଦିଆଯାଇ ଥିଲା। ଉକ୍ତ ଅଞ୍ଚଳରେ ଥିବା ଘରଗୁଡ଼ିକୁ ପଥର ମାଡ଼ କରାଯାଇଥିଲା। ଗୋଟିଏ କ୍ରେନରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ଲାଠିଚାର୍ଜ କରିଥିଲା। କିନ୍ତୁ ସ୍ଥିତି ସ୍ୱାଭାବିକ ନ ହେବାରୁ ପୁଲିସ୍ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା।
ଘଟଣାରେ ପୁଲିସ୍ ପ୍ରଥମେ ୩୦ ଜଣ ଦଙ୍ଗକାରୀଙ୍କୁ ଗିରଫ କରିଥିଲା। ତେବେ ରାତିକ ମଧ୍ୟରେ ଏହି ସଂଖ୍ୟା ୬୦ରେ ପହଞ୍ଚିଛି। ଦୁଇ ପକ୍ଷର ୩୦ରୁ ଅଧିକ ଲୋକ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଆହତ ହୋଇଛନ୍ତି। କିଛି ପୁଲିସ୍ କର୍ମଚାରୀ ମଧ୍ୟ ପଥର ମାଡ଼ରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି।
ମହାରାଷ୍ଟ୍ର ପୁଲିସ୍ର ସାଇବର ୱିଙ୍ଗ ଏବେ ସୋଶାଲ ମିଡିଆରେ ଗୁଜବ ପ୍ରଚାର କରିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ପୁଲିସ୍ ପ୍ରାୟ ୧୦୦ଟି ସୋଶାଲ ମିଡିଆ ଆକାଉଣ୍ଟର ଯାଞ୍ଚ କରୁଛି। ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଗୁଜବରେ ବିଶ୍ୱାସ ନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।