Advertisment

କେଜ୍ରିୱାଲଙ୍କ ସମ୍ପର୍କରେ ବୟାନ ଦେଲା ଆମେରିକା, କୂଟନୀତିଜ୍ଞଙ୍କୁ ଡାକି ଅସନ୍ତୋଷ ଝାଡ଼ିଲା ଭାରତ

କେଜ୍ରିୱାଲଙ୍କ କ୍ଷେତ୍ରରେ ନିରପେକ୍ଷ ଓ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଆପଣା ଯାଉ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ।

author-image
Hemant Lenka
USA

USA

ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଆମେରିକା ବୟାନ ଦେବା ଘଟଣାକୁ ଭାରତ ସରକାର ସହଜରେ ହଜମ କରି ପାରି ନାହାନ୍ତି। କେଜ୍ରିୱାଲଙ୍କ କ୍ଷେତ୍ରରେ ନିରପେକ୍ଷ ଓ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଆପଣା ଯାଉ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ।

Advertisment

ଏହାକୁ ଭାରତ ସରକାର ଜୋରଦାର ବିରୋଧ କରିଛନ୍ତି। ଏଥିସହ ଭାରତରେ ଅବସ୍ଥାପିତ ଆମେରିକା ମିଶନର କାମଚଳା ଉପ ମୁଖ୍ୟ ଗ୍ଲୋରିଆ ବେରବେନାଙ୍କୁ ଡାକି ଉକ୍ତ ବୟାନର ପ୍ରତିବାଦ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ପ୍ରଥମେ ଗ୍ଲୋରିଆଙ୍କୁ ସମନ କରିଥିଲା। ସେ ମନ୍ତ୍ରଣାଳୟରେ ପହଞ୍ଚିବା ପରେ ତାଙ୍କୁ ୪୦ ମିନିଟ କାଳ ଅଫିସ ଭିତରେ ବସାଇ ରଖା ଯାଇଥିଲା। ଏହି ସମୟରେ ଭାରତ ସରକାର ବିଧିବଦ୍ଧ ଭାବେ ଆମେରିକାର କେଜ୍ରିୱାଲଙ୍କ ସମ୍ପର୍କିତ ବୟାନକୁ ବିରୋଧ କରାଯାଇଛି। ୪୦ ମିନିଟ ପରେ ଗ୍ଲୋରିଆ ମନ୍ତ୍ରଣାଳୟରୁ ବାହାରି ଯାଇଥିଲେ। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି।

Advertisment

ଏଥିରେ କୁହାଯାଇଛି ଯେ ବିଭିନ୍ନ ରାଷ୍ଟ୍ର ଅନ୍ୟ ଦେଶ ଗୁଡ଼ିକର ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ସମ୍ମାନ କରିବା ଦରକାର। ବିଶେଷ କରି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ରାଷ୍ଟ୍ରଗୁଡ଼ିକ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ।

ଅନ୍ୟଥା ଏହା ଗୋଟିଏ ଅସ୍ୱାଭାବିକ ଉଦାହରଣ ସୃଷ୍ଟି କରିବ। ଭାରତର ଆଇନ ପ୍ରକ୍ରିୟା ଗୋଟିଏ ସ୍ୱାଧୀନ ନ୍ୟାୟିକ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ। ଏହା ସମୟ ଉପଯୋଗୀ ଓ ସଠିକ ଟ୍ରାଏଲ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାକୁ ନେଇ ମତ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ମଙ୍ଗଳବାର ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ ଯେ କେଜ୍ରିୱାଲଙ୍କ ଗିରଫ ଉପରେ ଆମେରିକା ସରକାର ନଜର ରଖିଛନ୍ତି। ଆମେ ଭାରତ ସରକାରଙ୍କୁ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଗୋଟିଏ ନିରପେକ୍ଷ, ସ୍ୱଚ୍ଛ ଓ ସମୟ ସାପେକ୍ଷ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଉଛୁ। ଆମର ଆଶା ସବୁ କିଛି ଆଇନ ଅନୁଯାୟୀ ହେବ ବୋଲି ମୁଖପାତ୍ର ଜଣଙ୍କ କହିଥିଲେ।

ଏହାପୂର୍ବରୁ ଜର୍ମାନୀ ସରକାର ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମତ ରଖିଥିଲେ। ଜର୍ମାନୀ ସରକାର କହିଥିଲେ ”କେଜ୍ରିୱାଲ ଅନ୍ୟ ସାଧାରଣ ଭାରତୀୟ ନାଗରିକଙ୍କ ଭଳି ନିରପେକ୍ଷ ଶୁଣାଣିର ହକଦାର। ଆମେ ମାନୁଛୁ ଓ ଆଶା କରୁଛୁ ଯେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଓ ଗଣତନ୍ତ୍ରର ମୂଳ ନୀତିଗୁଡ଼ିକୁ ମଧ୍ୟ ଏହି ମାମଲାରେ ବିଚାରକୁ ନିଆଯିବ।”

ଏହାକୁ କିନ୍ତୁ ଭାରତ ସରକାର ସହଜରେ ହଜମ କରି ନଥିଲେ। ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତକୁ ବୈଦେଶିକ ମନ୍ତ୍ରଣାଳୟ ସମନ କରିବା ସହ ବୟାନକୁ ବିରୋଧ କରିଥିଲା।

ଗତ ସପ୍ତାହରେ ଇଡି ଅଧିକାରୀମାନେ କେଜ୍ରିୱାଲଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। କୋର୍ଟ ତାଙ୍କୁ ଗୁରୁବାର ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।

USA Arvind Kejriwal