ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ବୁଧବାର ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ସେ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଅର୍ଥାତ୍ ତାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ତାଙ୍କ ପୂର୍ବରୁ ଏହି ପଦରେ ବସିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ମଧ୍ୟ ୬ ମାସ ରହିଥିଲା।
ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷ ହୋଇଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ପଦରେ ଜଣେ ହେଲେ ମହିଳା ବସିପାରିନାହାନ୍ତି। ସେହିପରି ଏତେ ବର୍ଷ ମଧ୍ୟରେ କେବଳ ୧୧ ଜଣ ମହିଳା ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି। ୧୯୮୯ରେ ଜଷ୍ଟିସ ଫାତିମା ବିବି ରଚିଥିଲେ ଇତିହାସ। ସେ ବନିଥିଲେ ସୁପ୍ରମିକୋର୍ଟର ପ୍ରଥମ ମହିଳା ବିଚାରପତି। ତେବେ ସେ ମାତ୍ର ଅଢ଼େଇ ବର୍ଷ ପାଇଁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।
ପ୍ରଧାନ ବିଚାରପତି ଚୟନରେ ଏକ ଅଲିଖିତ ନିୟମକୁ ଅନୁସରଣ କରାଯାଏ। ସାଧାରଣତଃ ବରିଷ୍ଠତା ଭିତ୍ତିରେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥାଏ। ଅର୍ଥାତ୍ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରୁ ଯାହାଙ୍କ ବୟସ ସବୁଠୁ ଅଧିକ ହୋଇଥାଏ, ତାଙ୍କୁ ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ଦିଆଯାଇଥାଏ। ଫଳରେ ସେହି ଅନୁସାରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ସ୍ଥିର ହୋଇଯାଏ ଓ ସେ ଅବସର ନିଅନ୍ତି।
ଯଦି ଏହି ବରିଷ୍ଠତା ନିୟମକୁ ହିସାବକୁ ନିଆଯାଏ, ତା’ହେଲେ ୨୦୨୭ ମସିହାରେ ଭାରତ ତା’ର ପ୍ରଥମ ମହିଳା ପ୍ରଧାନ ବିଚାରପତି ପାଇପାରେ। ଆଉ ଏହି ଗୌରବ ହାସଲ କରିବେ ଜଷ୍ଟିସ ବିଭି ନାଗରତ୍ନା। ସେ ହେବେ ଦେଶର ୫୪ତମ ପ୍ରଧାନ ବିଚାରପତି। ଜଷ୍ଟିସ ବିଭି ନାଗରତ୍ନା ଏବେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଯଦି ସେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୁଅନ୍ତି, ତା’ହେଲେ ମାତ୍ର ୩୬ ଦିନ ପାଇଁ ଏହି ପଦରେ କାର୍ଯ୍ୟ କରିବେ।
୨୦୨୪ରେ ଜଷ୍ଟିସ ହିମା କୋହଲି ଅବସର ନେବା ପରେ ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ୨କୁ ଖସି ଯାଇଛି। ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତିଙ୍କ ମଧ୍ୟରେ କେବଳ ୨ ଜଣ ମହିଳା ବିଚାରପତି ଅଛନ୍ତି। ଜଷ୍ଟିସ ବିଭି ନାଗରତ୍ନାଙ୍କ ବ୍ୟତୀତ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଦେଶର ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଆସୁଛି। ସେ ଆସନ୍ତା ଜୁନ୍ ୯ ତାରିଖରେ ଅବସର ନେବେ।

ଜଷ୍ଟିସ ବିଭି ନାଗରତ୍ନାଙ୍କ ନାଁରେ ଆଉ ଦୁଇଟି ରେକର୍ଡ ମଧ୍ୟ ଯୋଡ଼ି ହୋଇଯିବ। ସୁପ୍ରିମକୋର୍ଟର ମହିଳା ବିଚାରପତି ଭାବେ ସର୍ବାଧିକ ସମୟ ଧରି କାର୍ଯ୍ୟ କରିବାର ରେକର୍ଡ ତାଙ୍କ ନାଁରେ ରହିବ। ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୩୬ ଦିନ ରହିଲେ ହେଁ ସୁପ୍ରିମକୋର୍ଟର ଜଣେ ମହିଳା ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୬ ବର୍ଷ ୨ ମାସ ରହିବ। ସେହିପରି ଯଦି ସେ ୨୦୨୭ ସେପ୍ଟେମ୍ବର ୨୭ରେ ଦେଶର ୫୪ତମ ପ୍ରଧାନ ବିଚାରପତି ଭାବେ ଶପଥ ନିଅନ୍ତି, ତା’ହେଲେ ପିତା ଓ ସନ୍ତାନସନ୍ତତି ଏହି ପଦରେ ବସିବାରେ ସେ ଓ ତାଙ୍କ ବାପା ହେବେ ଦ୍ୱିତୀୟ ଯୋଡ଼ି। ତାଙ୍କ ବାପା ଜଷ୍ଟିସ ଇଏସ ଭେଙ୍କଟରମୈୟା ଦେଶର ଉନବିଂଶତମ ପ୍ରଧାନ ବିଚାରପତି ଥିଲେ।
‘ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୫’ ଅନୁଯାୟୀ ଦେଶର ବିଭିନ୍ନ ହାଇକୋର୍ଟରେ କାର୍ଯ୍ୟ କରୁଥିବା ବିଚାରପତିମାନଙ୍କ ମଧ୍ୟରୁ ମାତ୍ର ୧୪% ହେଉଛନ୍ତି ମହିଳା। ତେଣୁ ଆସନ୍ତା କିଛି ବର୍ଷ ମଧ୍ୟରେ ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ଆଖି ଦୃଶିଆ ଭାବେ ବଢ଼ିବାର କୌଣସି ଆଶା ନାହିଁ।
ପ୍ରଧାନ ବିଚାରପତି ପଦରେ ସବୁଠାରୁ କମ୍ ଓ ସବୁଠାରୁ ଅଧିକ ଦିନ ବସିଥିବା ବିଚାରପତି କିଏ?
ଯଦି ୨୦୨୭ରେ ଜଷ୍ଟିସ ବିଭି ନାଗରତ୍ନା ଦେଶର ପ୍ରଧାନ ବିଚାରପତି ହୁଅନ୍ତି, ତା’ହେଲେ ସେ ମାତ୍ର ୩୬ ଦିନ କାର୍ଯ୍ୟ କରି ଅବସର ନେବେ। ସେ ଏତେ କମ୍ ଦିନ ଏହି ପଦବୀରେ ରହିବା କଥା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ତେବେ ଆପଣମାନେ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଜଷ୍ଟିସ କମଳ ନାରାୟଣ ସିଂହ ମାତ୍ର ୧୭ ଦିନ ପାଇଁ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ସବୁଠାରୁ କମ୍ ଦିନ କାମ କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ଜଷ୍ଟିସ ଏସ୍ ରାଜେନ୍ଦ୍ର ବାବୁ ୨୯ ଦିନ ପାଇଁ ପ୍ରଧାନ ବିଚାରପତି ହୋଇଥିଲେ। ଜଷ୍ଟିସ ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ସର୍ବାଧିକ ସମୟ ଧରି ଭାରତର ପ୍ରଧାନ ବିଚାରପତି ହୋଇଥିଲେ। ସେ ଏହି ପଦରେ ୭ ବର୍ଷ ୧୩୯ ଦିନ ଏହି ପଦରେ ରହିଥିଲେ। ସେ ହେଉଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ବାପା।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଣେ ବିଚାରପତି ସର୍ବନିମ୍ନ ବା ସର୍ବାଧିକ କେତେ ଦିନ ରହିବେ, ତାହା ସ୍ଥିର କରିବା ନେଇ ମଝିରେ ମଝିରେ ବିତର୍କ ହୋଇଛି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଥିବା ବେଳେ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ୮ ଜଣ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ ରାଜୀବ ଶାକଧେର। ମୁଖ୍ୟ ବିଚାରପତି ଭାବେ ସେ ମାତ୍ର ୨୪ ଦିନ କାର୍ଯ୍ୟ କରି ଅବସର ନେଇଥିଲେ। ଫଳରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ଭାରତର ୪୦ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ଜଷ୍ଟିସ ପି.ଜି ସଦାଶିବମ। ସେ ୨୦୧୩ ଜୁଲାଇ ୧୯ରୁ ୨୦୧୪ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ହୋଇଥିଲେ। ମୋଟାମୋଟି ସେ ୯ ମାସ ପାଇଁ ଏହି ପଦରେ କାର୍ଯ୍ୟ କରିଥିଲେ। ଅବସର ଗ୍ରହଣ କରିବାର ୨ ଦିନ ପୂର୍ବରୁ ଜଷ୍ଟିସ ପି.ଜି ସଦାଶିବମ କହିଥିଲେ ଯେ ସେ ବହୁତ ଜିନିଷ କରିବା ପାଇଁ ଭାବିଥିଲେ। କିନ୍ତୁ ଏତେ କମ୍ କାର୍ଯ୍ୟକାଳ ଯୋଗୁ ଯାହା ସବୁ ଭାବିଥିଲି କରିପାରିଲି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।