Advertisment

ଆଜି ଆସିବ ଜମ୍ମୁ-କଶ୍ମୀରର ନିର୍ବାଚନ ତାରିଖ, ବଦଳି ହେଲେଣି ୨୦୦ ଅଧିକାରୀ

ଗତ କାଲିଠୁ ଆଜି ମଧ୍ୟରେ ଆଇଏଏସ୍‌ ଓ ଆଇପିଏସ୍‌ ସ୍ତରରେ ପ୍ରାୟ ୨୦୦ ଅଫିସରଙ୍କ ବଦଳି ହୋଇ ସାରିଲାଣି। ବଦଳିର ଆଉ ଏକ ତାଲିକା ବି ଆଜି ପ୍ରକାଶ ପାଇବ ବୋଲି ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Transfer

Transfer

ବାଜିବ ବିଗୁଲ। ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଏଥିନିମନ୍ତେ ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ତାରିଖ। ମାତ୍ର ତା’ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଅଦଳବଦଳ। ଗତ କାଲିଠୁ ଆଜି ମଧ୍ୟରେ ଆଇଏଏସ୍‌ ଓ ଆଇପିଏସ୍‌ ସ୍ତରରେ ପ୍ରାୟ ୨୦୦ ଅଫିସରଙ୍କ ବଦଳି ହୋଇ ସାରିଲାଣି। ବଦଳିର ଆଉ ଏକ ତାଲିକା ବି ଆଜି ପ୍ରକାଶ ପାଇବ ବୋଲି ଜଣାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ବିଭିନ୍ନ ବିଭାଗର ୮୮ ଆଇଏଏସ ଅଧିକାରୀଙ୍କର ବଦଳି କରାଯାଇଛି। ଆଜି ସକାଳେ ଜମ୍ମୁ- କଶ୍ମୀରର ଆଇଜିଙ୍କ ସମେତ ଏସ୍‌ପି ରାଙ୍କର ୩୩ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ବଦଳି ହୋଇଛି। ଏହା ମଧ୍ୟରେ ଆଇଜି, ଡିଆଇଜି, ଜିଲ୍ଲା ଏସ୍‌ପି ପ୍ରମୁଖ ସାମିଲ ଅଛନ୍ତି। ଆସନ୍ତା ୩ ଘଣ୍ଟା ମଧ୍ୟରେ ବଦଳିର ଆଉ ଏକ ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି।

ନିର୍ବାଚନ ପୂର୍ବରୁ ଏହି ତରବରିଆ ବଦଳିକୁ ନେଇ ନ୍ୟାସନାଲ କନଫରେନ୍ସ ଦଳର ନେତା ଓମାର ଅବଦୁଲ୍ଲା କହିଛନ୍ତି, ଜମ୍ମୁ- କଶ୍ମୀର ପ୍ରଶାସନ ଏପରି ବଡ଼ଧରଣର ବଦଳି କରିବା ପୂର୍ବରୁ ସଚିବାଳୟ ଓ ପୁଲିସ୍‌ ମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ସ୍ୱାଧୀନତା ଦିବସରେ କାମ କରିବାକୁ ଡାକିଥିଲା। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ନେଇ ଅଧିକାରୀମାନଙ୍କର କୌଣସି ଧାରଣା ନ ଥିଲା। ନିର୍ବାଚନକୁ ନିରପେକ୍ଷ କରିବା ନିମନ୍ତେ ଏପରି ବଡ଼ ଧରଣର ବଦଳି କରାଯାଉଥିବା ଜଣାଯାଇଛି।

Advertisment

ଆଜି ଅପରାହ୍ନ ୩ଟାରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ। ରାଜ୍ୟରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ଏହାପୂର୍ବରୁ ଜମ୍ମୁ-କଶ୍ମୀର ସରକାର ଅନେକ ଅଧିକାରୀଙ୍କୁ ଅଦଳବଦଳ କରି ସାରିଛନ୍ତି। ମୁଖ୍ୟତଃ ଗୃହ ଜିଲାରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ସ୍ଥାନାନ୍ତର କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। କିଛି ସପ୍ତାହ ପୂର୍ବେ ଜମ୍ମୁ-କଶ୍ମୀର ପ୍ରଶାସନ ଡେପୁଟି କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ବଦଳି କରିଥିଲା।

୨୦୧୯ ମସିହାରେ ରାଜ୍ୟ ପୁନର୍ଗଠନ ଓ କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜମ୍ମୁ-କଶ୍ମୀରର ରାଜନୈତିକ ପାର୍ଟିମାନେ ଖୁବ୍‌ ଶୀଘ୍ର ବିଧାନସଭା ନିର୍ବାଚନ କରାଇବା ନିମନ୍ତେ ଦାବି କରି ଆସୁଥିଲେ। ଏଥିସହ ପୂର୍ଣ୍ଣ ରାଜ୍ୟର ମାନ୍ୟତା ନିମନ୍ତେ ବି ଦାବି କରି ଆସୁଛନ୍ତି।

ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯିବା ପରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ ସମ୍ପନ୍ନ କରାଇବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Jammu Kashmir