/odisha-reporter/media/post_attachments/uploadimage/library/16_9/16_9_0/IMAGE_1740914418.jpg)
Congress Leaders
ସାଂସଦ ଶଶୀ ଥରୁରଙ୍କ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ଦେଖାଯାଇଥିବା ଅଶାନ୍ତି ଦୂର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ଏହା କହିବାକୁ ଚାହିଁଛନ୍ତି। ସେ ଦଳର ନେତାମାନଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ସେମାନଙ୍କ ମଧ୍ୟରେ ଏକତା ଅଛି। ଏହି ଫଟୋରେ ଅନ୍ୟମାନଙ୍କ ମଧ୍ୟରେ ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ମଧ୍ୟ ଅଛନ୍ତି, ଯିଏ କେରଳ କଂଗ୍ରେସରେ ଦେଖା ଦେଇଥିବା ଅଶାନ୍ତିର ମୂଳ କାରଣ ଥିଲେ।
କେରଳରେ ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ସାମ୍ମୁଖ୍ୟ ସରକାର ଥିବା ବେଳେ ସେଠାରେ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ହୋଇଥିବା ବିକାଶକୁ ପ୍ରଶଂସା କରିଥିଲେ ଶଶୀ ଥରୁର। ଏହା ସହିତ ଓମାନ ଚାଣ୍ଡୀଙ୍କ ପରଲୋକ ପରେ କେରଳ କଂଗ୍ରେସରେ ରାଜ୍ୟବ୍ୟାପୀ ଗ୍ରହଣଯୋଗ୍ୟ ହେଲା ଭଳି କେହି ନେତା ନାହାନ୍ତି ବୋଲି କହି ପରୋକ୍ଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଆସନ୍ତା ବର୍ଷ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପୁଣି କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟ କଂଗ୍ରେସର ନେତାମାନେ ଏହାକୁ ଗ୍ରହଣ କରି ପାରି ନଥିଲା ଓ ବିବାଦର ସୂତ୍ରପାତ ହୋଇଥିଲା।
ଶଶୀଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲା କେରଳ କଂଗ୍ରେସ । ଆଗକୁ ନିର୍ବାଚନ ଥିବା ବେଳେ ଶଶୀ ଥରୁର ଦଳର ହଜାର ହଜାର କାର୍ଯ୍ୟକତାଙ୍କ ଆଶାକୁ ଭାଙ୍ଗିବା ଉଚିତ ନୁହେଁ ବୋଲି ରାଜ୍ୟ କଂଗ୍ରେସର ନେତାମାନେ କହିଥିଲେ। କେରଳର ବାମପନ୍ଥୀ ସାମୁଖ୍ୟ ସରକାରର ବିଭିନ୍ନ ଦୁର୍ବଳତାକୁ କଂଗ୍ରେସ ଉଭୟ ବିଧାନସଭା ଭିତରେ ଓ ବାହାରେ ସମାଲୋଚନା କରୁଥିବା ବେଳେ ଶଶୀ ଥରୁରଙ୍କ ମନ୍ତବ୍ୟ ଦଳକୁ ଭିତରୁ ଦୁର୍ବଳ କରିଦେବ ବୋଲି ଏହାର ରାଜ୍ୟ ନେତାମାନେ କହିଥିଲେ। ତା’ସହିତ ଏହା ଆତ୍ମହତ୍ୟା କଲା ସଦୃଶ ହେବ ବୋଲି ସେମାନେ ମତ ଦେଇଥିଲେ।
ନିଜ ମନ୍ତବ୍ୟକୁ ନେଇ ପରେ ସ୍ପଷ୍ଟୀକରଣ ଦେଇଥିଲେ ଶଶୀ ଥରୁର। ସେ କହିଥିଲେ ଯେ ତାଙ୍କ ମନ୍ତବ୍ୟକୁ ଭୁଲ ବୁଝାଯାଇଛି। ସେ ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ସାମୁଖ୍ୟର ପ୍ରଶଂସା କରି ନଥିଲେ। ସେ କେବଳ ରାଜ୍ୟରେ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ବିଷୟରେ କହିଥିଲେ। ସେହିଭଳି କେରଳ କଂଗ୍ରେସରେ ନେତା ନଥିବା କଥା ସେ କହି ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେଇଥିଲେ।
ଏହି ବିବାଦ ଭିତରେ କେରଳ କଂଗ୍ରେସ ସଭାପତି କେ ସୁଧାକରନ କହିଥିଲେ ଯେ ଶଶୀ ଥରୁରଙ୍କ ମନ୍ତବ୍ୟ ଦଳକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ହୋଇପାରେ। କେରଳ କଂଗ୍ରେସର ସଭାପତି ଭାବେ ସେ ଦଳର କାର୍ଯ୍ୟଧାରାକୁ ନେଇ କୌଣସି ପ୍ରଶ୍ନ ଉଠିଲେ, ଏହାର ସମାଧାନ କରିବାକୁ ପ୍ରୟାସ କରିବେ।
ତେବେ ଦଳର ରାଜ୍ୟ ସଭାପତିଙ୍କ କଥା ସମସ୍ତଙ୍କୁ ଆଶ୍ୱସ୍ତି ଦେଇପାରି ନଥିଲା। ସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଦିଲ୍ଲୀରେ ଏକ ବୈଠକ ଡାକିଥିଲେ। ଏଥିରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ଭେନୁଗୋପାଳ, କେରଳ କଂଗ୍ରେସ ସଭାପତି କେ ସୁଧାକରନ, କେରଳ କଂଗ୍ରେସର ବିଧାୟକ ଦଳ ନେତା ଭି ଡି ସଥୀସାନ, କେରଳ ଦାୟିତ୍ୱରେ ଥିବା ଦୀପା ଦାସମୁନଷୀ ଓ ସାଂସଦ ଶଶୀ ଥରୁର ଉପସ୍ଥିତ ରହିଥିଲେ।
ଯାହା ସୂଚନା ମିଳିଛି, ବୈଠକରେ ରାହୁଲ ଗାନ୍ଧୀ କହିଥିଲେ ଯେ ଦଳର ନେତାମାନେ କିଛି ମନ୍ତବ୍ୟ ଦେବା ବେଳେ ବହୁତ ଯତ୍ନବାନ ହେବା ଆବଶ୍ୟକ। ଦଳର ଆଭିମୁଖ୍ୟଠାରୁ ଭିନ୍ନ କିଛି ମନ୍ତବ୍ୟ ସେମାନେ ଦେବା ଉଚିତ ନୁହେଁ।
ବୈଠକ ପରେ ଦୀପା ଦାସମୁନଷୀ କହିଥିଲେ, ହାଇକମାଣ୍ଡଙ୍କଠାରୁ ଆମେ ସ୍ପଷ୍ଟ ସଙ୍କେତ ପାଇଲୁ ଯେ କେରଳରେ କଂଗ୍ରେସ ଲୋକଙ୍କ ସହିତ ଭାବନାତ୍ମକ ଓ ରାଜନୀତିକ ଭାବେ ପୂରା ଯୋଡ଼ି ହୋଇ ରହିଛି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ଆମେ ଏମିତି କିଛି କାମ କରିବାନି ଯାହା କେରଳର ଲୋକଙ୍କୁ ଅସମ୍ମାନିତ କରିବ। ଏହା ଏକ ସ୍ପଷ୍ଟ ସଙ୍କେତ। ଯଦି କେହି ବ୍ୟକ୍ତିଗତ ଭାବେ କିଛି କହିବେ, ତା’ହେଲେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ। କାରଣ କେରଳବାସୀଙ୍କୁ ଅସମ୍ମାନିତ କରିବାର ଅଧିକାର ଆମର ନାହିଁ।
ସେ ଆହୁରି କହିଥିଲେ ଯେ ଦଳର ସବୁ ନେତା ଏକାଠି ଅଛନ୍ତି। କେରଳ କଂଗ୍ରେସରେ ଏକତା ନାହିଁ ବୋଲି ଗଣମାଧ୍ୟମ ମିଛ ଖବର ପ୍ରକାଶ କରୁଛି। ବୈଠକରେ ସମସ୍ତେ ବାମପନ୍ଥୀ ସାମ୍ମୁଖ୍ୟ ସରକାର ଓ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ।
ଶଶୀ ଥରୁର ତାଙ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, କଂଗ୍ରେସ ସଭାପତି ଖଡଗେ, ରାହୁଲ ଗାନ୍ଧୀ ଓ ସାଧାରଣ ସଂପାଦକ ଦୀପର ଦାସମୁନଷୀଙ୍କ ଉପସ୍ଥିତିରେ କେରଳ କଂଗ୍ରେସର ଏକ ଭଲ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଦଳୀୟ ନେତୃତ୍ୱ ସାଂସଦ ଶଶୀ ଥରୁରଙ୍କୁ କୌଣସି ପ୍ରକାର ସ୍ପଷ୍ଟୀକରଣ ମାଗି ନଥିଲେ। କାରଣ ସେ ପୂର୍ବରୁ କହି ସାରିଥିଲେ ଯେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
