Advertisment

ମନ୍ତ୍ରୀଙ୍କ ସରକାରୀ ବାସଭବନ ଜାଳିଦେଲେ ଦୁର୍ବୃତ୍ତ

ମଙ୍ଗଳବାର ଠାରୁ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଥିବା ବେଳେ ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଓ ଆଉ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Minister Nemcha Kipgen

Minister Nemcha Kipgen

ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇଥିବା ମଣିପୁରରେ ମଙ୍ଗଳବାର ଓ ବୁଧବାର ପୁଣି ହିଂସାକାଣ୍ଡ ଘଟିଛି। ଗତକାଲି (ବୁଧବାର) ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କିଛି ଦୁର୍ବୃତ୍ତ ଇମ୍ଫାଲ ସ୍ଥିତ ରାଜ୍ୟର ଏକମାତ୍ର ମହିଳା ମନ୍ତ୍ରୀ ନେମଚା କିପଗେନଙ୍କ ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ବେଳେ ଉକ୍ତ ଘରେ କେହି ନଥିଲେ। ଦମକଳବାହୀନି ପହଞ୍ଚି ନିଆଁ ଲିଭାଇଥିଲା।

Advertisment

ମନ୍ତ୍ରୀ ନେମଚା କିପଗେନ ହେଉଛନ୍ତି କୁକି ସଂପ୍ରଦାୟର। ସେ ସେହି ୧୦ କୁକି ସଂପ୍ରଦାୟର ବିଧାୟକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନେ କୁକି ସଂପ୍ରଦାୟ ପାଇଁ ପୃଥକ ଶାସନ ବ୍ୟବସ୍ଥା ଦାବି କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମଙ୍ଗଳବାର ଠାରୁ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଥିବା ବେଳେ ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଓ ଆଉ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ବେଶ୍ କିଛି ଦିନର ବ୍ୟବଧାନ ପରେ ମଙ୍ଗଳବାର କାଙ୍ଗପୋକପୀ ଜିଲ୍ଲା ଖାମେନଲୋକର ଏକ ଗାଁରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଗାଁରେ ପଶି ଲୋକଙ୍କୁ ଲକ୍ଷ୍ୟ କରି ଆଖିବୁଜା ଗୁଳି କରିଥିଲେ। ସେମାନେ ଗାଁର ଅନେକ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ସେହିପରି ତାମେଙ୍ଗଲୋଙ୍ଗ ଜିଲ୍ଲାର ଗୋବାଜଙ୍ଗ ଗାଁରେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ବହୁ ଲୋକ ଆହତ ହୋଇଛନ୍ତି।

Advertisment

ମଣିପୁରରେ ଏବେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଅତି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି। ପୂରା ରାଜ୍ୟରେ ଇଣ୍ଟରନେଟ ସେବା ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଛି। ସେହିପରି ରାଜ୍ୟର ୧୬ଟି ଜିଲ୍ଲା ମଧ୍ୟରୁ ୧୧ଟିରେ କର୍ଫ୍ୟୁ ବଳବତ୍ତର ରହିଛି। ଇମ୍ଫାଲ ପୂର୍ବ ଓ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରକ୍ରିୟାରେ ଉଭୟ କୁକି ଓ ମୈତି ସଂପ୍ରଦାୟ ବହିଷ୍କାର କରିଛନ୍ତି।

Manipur Manipur Violence