ସିଏଏ ଉପରେ ସ୍ଥଗିତାଦେଶ ଜାରି କଲେନି, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ କୋର୍ଟ

ଆବେଦନ ଉପରେ ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ତିନି ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ଅଦାଲତ।

ପ୍ରତିକାତ୍ମକ ଚିତ୍ର

  • Published: Tuesday, 19 March 2024
  • , Updated: 19 March 2024, 03:47 PM IST

ନାଗରିକତା ସଂଶୋଧନ ଆଇନ ବା ସିଏଏ କାର୍ଯ୍ୟକାରିତା ଉପରେ ଲାଗିବନି ରୋକ୍। ଆଜି ସର୍ବୋଚ୍ଚ ଅଦାଲତ ଶୁଣାଣି କରି ସିଏଏ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ୨୩୭ଟି ଆବେଦନ ଉପରେ ଜବାବ ଦେବାକୁ କୋର୍ଟ ସରକାରଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ସିଏଏ ଲାଗୁ କରାଯିବା ନେଇ ଘୋଷଣା କରିଥିଲେ। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।

ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଏଥିରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି। ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରିଥିଲେ।

ଆଇନ କାର୍ଯ୍ୟକାରୀ ନେଇ ସରକାର ଘୋଷଣା କରିବା ପରେ କେତକ ବିରୋଧୀ ଦଳ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଆବେଦନକାରୀଙ୍କ ମଧ୍ୟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (କେରଳ ଭିତ୍ତିକ ରାଜନୈତିକ ଦଳ) ଏବଂ କଂଗ୍ରେସର ବିରୋଧୀଦଳର ନେତା ଜୟରାମ ରମେଶ ଏବଂ ତୃଣ ମୂଳର ମହୁଆ ମୋଇତ୍ର ସାମିଲ ଥିଲେ।

ଆଜି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ସ୍ଥଗିତାଦେଶ ଆବେଦନକୁ ଖାରଜ କରି ଦେଇଛନ୍ତି। 

Related story