Advertisment

ଭାରତର ଷ୍ଟ୍ରାଇକରେ ପାକିସ୍ତାନ ଏୟାର ଫୋର୍ସର ମୁଖ୍ୟ ଟେକ୍ନିସିଆନଙ୍କ ସମେତ ଟଳିଛନ୍ତି ୧୧ ସୈନ୍ୟ

ଭାରତୀୟ ସେନା ସ୍ପଷ୍ଟ କରିଛି ଯେ ମେ’ ୭ରୁ ୧୦ ମଧ୍ୟରେ ପାକିସ୍ତାନର ୩୫ରୁ ୪୦ ଜଣ ସୈନ୍ୟ ପ୍ରାଣ ହରାଇଥିଲେ।

ଅଦ୍ୟତନ ହୋଇଛି
Pak

Pak

Advertisment

ଭାରତର ଅପରେସନ ସିନ୍ଦୂର ଓ କାଉଣ୍ଟର ଆଟାକରେ ୧୧ ଜଣ ସୈନ୍ୟ ଓ ୪୦ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ପାକିସ୍ତାନ ସେନା ଦାବି କରିଛି। ଏପ୍ରିଲ ୨୨ ପହଲଗାମ ନରସଂହାର ପରଠାରୁ ମେ’ ୧୦ ଅସ୍ତ୍ରବିରତି ଲାଗୁ ହେବା ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ପାକିସ୍ତାନର ଇଣ୍ଟର ସିର୍ଭିସେସ ପବ୍ଲିକ ରିଲେସନ୍ସ ବା ଆଇଏସପିଆର କହିଛି ଯେ ୧୧ ଜଣ ସୈନ୍ୟଙ୍କ ମଧ୍ୟରୁ ୬ ଜଣ ସ୍ଥଳ ସେନାର ଓ ୫ ଜଣ ପାକିସ୍ତାନ ବାୟୁ ସେନାରେ କାମ କରୁଥିଲେ।

Advertisment

ଭାରତ ସହ ତିକ୍ତତା ଆରମ୍ଭ ହେବା ଦିନ ଠାରୁ ପ୍ରଥମଥର ପାଇଁ ପାକିସ୍ତାନ ସଂଘର୍ଷରେ ନିଜର ବାୟୁ ସେନା କର୍ମଚାରୀଙ୍କୁ ହରାଇଥିବା ସ୍ୱୀକାର କରିଛି। ନିହତ ହୋଇଥିବା ୫ ଜଣଙ୍କ ମଧ୍ୟରେ ପାକିସ୍ତାନ ବାୟୁ ସେନାର ମୁଖ୍ୟ ଟେକ୍ନିସିଆନ ଔରଙ୍ଗଜେବ ରହିଛନ୍ତି। ପାକିସ୍ତାନ ନିଜର ୫ ବାୟୁ ସେନା ଅଧିକାରୀଙ୍କୁ ହରାଇଥିବା ସ୍ୱୀକାର କରିଥିବାରୁ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ପାକ୍‌ର କିଛି ଯୁଦ୍ଧ ବିମାନ ଖସାଇ ଦେଇଥିବା ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ତାହା ସତ ପ୍ରମାଣିତ ହୋଇଛି।

ସୂତ୍ରରେ ଦାବି କରାଯାଇଥିଲା ଭାରତୀୟ ସେନା ପାକିସ୍ତାନର ଗୋଟିଏ ଏଫ-୧୬ ଓ ଦୁଇଟି ଜେଏଫ-୧୭ ଯୁଦ୍ଧ ବିମାନକୁ ଖସାଇ ଦେଇଛି। ମେ’ ୮ ଓ ୯ ତାରିଖ ରାତିରେ ପାକିସ୍ତାନ ସେନା ପକ୍ଷରୁ ଭାରତର ୩୬ଟି ଠିକଣାକୁ ଟାର୍ଗେଟ କରାଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

Advertisment

ପାକିସ୍ତାନ ମୃତାହତ ସମ୍ପର୍କରେ ସୂଚନା ଦେଇ ଦାବି କରିଛି ଯେ ଭାରତ ବିରୋଧରେ ମେ’ ୯ରୁ ୧୦ ଯାଏ ଆରମ୍ଭ ହୋଇଥିବା ଅପରେସନ ବୁନୟାନ ଅଲ ମାର୍ସୋସ ବା ଅତୁଟ କାନ୍ଥ ବେଳେ ୭୮ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ପାକିସ୍ତାନ ଏହି ତଥାକଥିତ ଅପରେସନ ବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ୨୬ଟି ସ୍ଥାନକୁ ଟାର୍ଗେଟ କରି ଡ୍ରୋନ ଓ ମିସାଇଲ ମାଡ଼ କରିଥିଲା।

ହେଲେ ଭାରତର ଏୟାର ଡିଫେନ୍ସ ୟୁନିଟ ସେସବୁକୁ ଆକାଶ ପଥରେ ହିଁ ଧ୍ୱଂସ କରି ଦେଇଥିଲା। ପାକିସ୍ତାନ ଏତେ ଦିନ ପରେ ସୈନ୍ୟଙ୍କ ମୃତ୍ୟୁକୁ ସ୍ୱୀକାର କରିଥିଲେ ହେଁ ଏହା ୧୧ରେ ସୀମିତ ଥିବା କହିଛି। ହେଲେ ଭାରତୀୟ ସେନା ସ୍ପଷ୍ଟ କରିଛି ଯେ ମେ’ ୭ରୁ ୧୦ ମଧ୍ୟରେ ପାକିସ୍ତାନର ୩୫ରୁ ୪୦ ଜଣ ସୈନ୍ୟ ପ୍ରାଣ ହରାଇଥିଲେ।

୪୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କଲା ପାକିସ୍ତାନ

ମେ’ ୭ ତାରିଖ ମଧ୍ୟରାତ୍ର ପରେ ଭାରତୀୟ ସେନା ପାକିସ୍ତାନ ଭିତରେ କରିଥିବା ଷ୍ଟ୍ରାଇକର ବଦଲା ନେବାକୁ ଆରମ୍ଭ ହୋଇଥିବା ଅପରେସନ ବୁନୟାନ ଅଲ ମାର୍ସୋସ ହେଉଛି ମର୍କା-ଇ-ହକ ବା ସତ୍ୟ ପାଇଁ ଯୁଦ୍ଧର ଏକ ଅଂଶ ଥିଲା ବୋଲି ପାକିସ୍ତାନ କହିଛି। ପାକିସ୍ତାନର କହିବା କଥା ଯେ ଭାରତୀୟ ସେନା କରିଥିବା ଗୁଳିମାଡ଼ରେ ୪୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୧୫ ଜଣ ଛୋଟ ପିଲା ରହିଛନ୍ତି।

ସେହିପରି ୨୭ ଜଣ ପିଲା ଓ ୧୦ ଜଣ ମହିଳାଙ୍କ ସମେତ ୧୨୧ ଜଣ ଆହତ ହୋଇଛନ୍ତି। କିନ୍ତୁ ଭାରତୀୟ ସେନା ଏହାକୁ ଖଣ୍ଡନ କରିଛି। ଭାରତ କେବଳ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରିଥିଲା। ଏହାର ବଦଲା ନେବାକୁ ପାକିସ୍ତାନ ଚେଷ୍ଟା କରିବାରୁ ଏହାର ଜବାବ ବେଶ ସତର୍କତାର ସହ ସଠିକ ଢଙ୍ଗରେ ଦିଆଯାଇଥିଲା।

Pakistan India Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe