Advertisment

ବଢ଼ୁଛି କରୋନା ସଂକ୍ରମଣ: ସମୀକ୍ଷା ବୈଠକ ପରେ ବଡ଼ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ଗତ ୨୪ ଘଣ୍ଟାରେ ଦେଶରେ ୧୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୦୨୬ରେ ପହଞ୍ଚିଛି।

author-image
Hemant Lenka
Modi

Modi

ଦେଶରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ଶହ ପାର କରିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ସ୍ଥିତକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସେ କରୋନା ସ୍ଥିତିର ଯାଞ୍ଚ କରିବା ଲାବ ସର୍ଭେଲାନ୍ସ, ଜେନୋମ ସିକ୍ୱେନ୍ସିଂ ଓ ସମସ୍ତଙ୍କ ପ୍ରକାରର ଗୁରୁତର ଶ୍ୱାସରୋଗର ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ଦେଶରେ ୧୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୦୨୬ରେ ପହଞ୍ଚିଛି। ନଭେମ୍ବର ମାସ ପରେ ପ୍ରଥମଥର ଦେଶରେ ଏତେ ସଂଖ୍ୟା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପରି ତଥ୍ୟ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ହସ୍ପିଟାଲରେ ମକ ଡ୍ରିଲ୍ସ ପାଇଁ ପରାମର୍ଶ ଦେଇଛନ୍ତି ଓ ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ଏଥିସହ ଶ୍ୱାସଜନିତ ହାଇଜିନ ଓ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ବୈଠକ ପରେ ସରକାର ଜାରି କରିଥିବା ବିବୃତିରେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ସବୁ ଅଧିକାରୀମାନଙ୍କୁ ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରିବାକୁ କହିଛନ୍ତି। ଏହାଦ୍ୱାରା ନୂଆ ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳି ପାରିବ। ଯଦି କୌଣସି ନୂଆ ଭାରିଏଣ୍ଟ ଭାରତରେ ପ୍ରବେଶ କରିଥାଏ, ତା’ହେଲେ ସମୟ ଥାଉଥାଉ ଏହାକୁ ମୁକାବିଲା କରାଯାଇ ପାରିବ।

ପ୍ରଧାନମନ୍ତ୍ରୀ ପୂର୍ବଭଳି ୫ ସୂତ୍ରୀ ନିୟମକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କରୋନାର ଉଚିତ ବ୍ୟବହାର ଉପରେ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି। ଇନଫ୍ଲୁଏଞ୍ଜା ଓ କୋଭିଡ ୧୯ ରୋଗୀଙ୍କ ପାଇଁ ହସ୍ପିଟାଲରେ ଆବଶ୍ୟକ ଔଷଧ ଓ ବେଡ୍ସର ବ୍ୟବସ୍ଥା ନିଶ୍ଚିତ କରିବାକୁ କହିଛନ୍ତି।”

ଗତ ଦୁଇ ସପ୍ତାହ ହେଲାଣି ଦେଶରେ କରୋନା ସଂକ୍ରମଣ ସହ ଏଚ୧ଏନ୧ ଓ ଏଚ୩ଏନ୨ ଭାଇରସର ଗ୍ରାଫ ଉପର ମୁହାଁ ହୋଇଛି। ବର୍ତ୍ତମାନ ସକ୍ରିୟ କରୋନା ମାମଲା ମୋଟ ସଂକ୍ରମିତର ୦.୦୨% ରହିଛି।

Narendra Modi Coronavirus