Advertisment

କାହିଁକି ଭୋଟର ତାଲିକାରୁ ବାଦ ପଡ଼ିଲା ୬୫ ଲକ୍ଷ ନାଁ? କାରଣ କହିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଯେଉଁମାନଙ୍କ ନାଁ ଭୁଲବଶତଃ ଭୋଟର ତାଲିକାରୁ ହଟି ଯାଇଛି ସେମାନେ ନିଜର ଆଧାର କାର୍ଡ ସହ ଆବେଦନ ପତ୍ର ଦାଖଲ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

author-image
Hemant Lenka
Bihar

Bihar

ନିର୍ବାଚନ କମିଶନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ସର୍ଭେ ବା ଏସଆଇଆର ବେଳେ ନିର୍ବାଚନ କମିଶନ ୬୫ ଲକ୍ଷ ଭୋଟରଙ୍କ ନାଁ କାଟି ଦେଇଛନ୍ତି। କିନ୍ତୁ ୬୫ ଲକ୍ଷ ନାଁ କାହିଁକି ଭୋଟର ତାଲିକାରୁ ବାଦ ପଡ଼ିଲା, ତା’ର ଉପଯୁକ୍ତ କାରଣ ଦର୍ଶାଇବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଆସନ୍ତା ମଙ୍ଗଳବାର ସୁଦ୍ଧା ଭୋଟର ତାଲିକାରୁ ବାଦ ପଡ଼ିଥିଲା ଲୋକଙ୍କ ନାଁ ସହ ଏହାର କାରଣ ନିର୍ବାଚନ କମିଶନ ୱେବସାଇଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ସେହିପରି ତାଲିକାର ପ୍ରଚାର ପ୍ରସାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ପ୍ରତିଟି ଭୋଟର ଏହାକୁ ଜାଣିବାକୁ ସକ୍ଷମ ହେବ। ଯେଉଁମାନଙ୍କ ନାଁ ଭୁଲବଶତଃ ଭୋଟର ତାଲିକାରୁ ହଟି ଯାଇଛି ସେମାନେ ନିଜର ଆଧାର କାର୍ଡ ସହ ଆବେଦନ ପତ୍ର ଦାଖଲ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

କୋର୍ଟଙ୍କ ଆଧାର କାର୍ଡ ନିର୍ଦ୍ଦେଶର ବେଶ ଗୁରୁତ୍ୱ ରହିଛି। କାରଣ ବିହାର ଏସଆଇଆରକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀ ସର୍ଭେ ବେଳେ ଆଧାର କାର୍ଡକୁ ବାଦ ଦିଆଯିବା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହେବେ ବୋଲି କହିଥିଲେ। ଏବେ ସୁପ୍ରିମକୋର୍ଟ ଆଧାର କାର୍ଡ ଦ୍ୱାରା ନାଁ କଟି ଯାଇଥିବା ଲୋକମାନେ ଆବେଦନ କରିପାରିବେ ବୋଲି ରୁଲିଂ ଦେଇଛନ୍ତି।

Advertisment

ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ “ବାଦ ପଡ଼ିଥିବା ୬୫ ଲକ୍ଷ ଲୋକଙ୍କ ମଧ୍ୟରୁ ୨୨ ଲକ୍ଷ ପ୍ରାଣ ହରାଇଥିବା ନିର୍ବାଚନ କମିଶନ କହୁଛନ୍ତି। ଯଦି ସେମାନେ ପ୍ରାଣ ହରାଇଛନ୍ତି, ତା’ହେଲେ ଏହାର ତାଲିକା ବୁଥସ୍ତରରେ କାହିଁକି ସାର୍ବଜନୀନ କରାଯାଇ ନଥିଲା? ରାଜନୀତିକ ଦଳଗୁଡ଼ିକ ଉପରେ ଲୋକଙ୍କ ଅଧିକାର ନିର୍ଭର କରୁ ବୋଲି ଆମେ ଚାହୁଁ ନାହୁଁ।”

ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, “ଆମେ ଭାରତୀୟ ନିର୍ବାଚନ କମିଶନଙ୍କୁ ସ୍ୱଳ୍ପ ସମୟ ପାଇଁ ଶୁଣିଛୁ। ଏହି ଶୁଣାଣି ସମୟରେ ଏକାଧିକ ଆଭ୍ୟନ୍ତରୀଣ ପଦକ୍ଷେପ ସହ ଏକମତ ହୋଇଛି। ଭୋଟର ତାଲିକାରୁ ବାଦ ପଡ଼ିଥିବା ୬୫ ଲକ୍ଷ ନାଁ ଜିଲ୍ଲା ସ୍ତରୀୟ ୱେବସାଇଟରେ ପ୍ରଦର୍ଶିତ କରାଯିବ। ଡ୍ରାଫ୍ଟ ତାଲିକାରୁ କାହିଁକି ନାଁ ବାଦ ପଡ଼ିଲା, ସେକଥା ଲେଖାଯିବ। ବାଦ ପଡ଼ିଥିବା ଲୋକ ପ୍ରାଣ ହରାଇଛନ୍ତି ନା ଅନ୍ୟତ୍ର ଚାଲି ଯାଇଛନ୍ତି ନା ଦୁଇ ଥର ତାଙ୍କ ନାଁ ପଞ୍ଜୀକରଣ ହୋଇଥିଲା, ସେକଥା ଉଲ୍ଲେଖ କରାଯିବ।

ମାତୃଭାଷାରେ ଛପା ଯାଉଥିବା ଖବରକାଗଜରେ ତାଲିକାକୁ ବହୁଳ ଭାବେ ପ୍ରଚାର କରାଯିବ। ଦୂରଦର୍ଶନ ଓ ଅନ୍ୟ ଟିଭି ଓ ରେଡିଓ ଚ୍ୟାନେଲରେ ମଧ୍ୟ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ। ଯଦି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୋଶାଲ ମିଡିଆ ଆକାଉଣ୍ଟ ରହିଛି, ତା’ହେଲେ ତାଲିକାକୁ ସେଥିରେ ମଧ୍ୟ ପୋଷ୍ଟ କରାଯିବ।

ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକମାନେ ସେମାନଙ୍କ ଦାବିକୁ ଆଧାର କାର୍ଡ ଜରିଆରେ ଜଣାଇ ପାରିବେ। ବାଦ ପଡ଼ିଥିବା ୬୫ ଲକ୍ଷ ନାଁକୁ ବୁଥ ୱାରୀ ସମସ୍ତ ପଞ୍ଚାୟତ ଭବନ, ବ୍ଲକ ଓ ପଞ୍ଚାୟତ ଅଫିସର ନୋଟିସ ବୋର୍ଡରେ ସ୍ଥାନିତ କରାଯିବ। ଏହାଦ୍ୱାରା ଲୋକମାନେ ବେଶ ସହଜରେ ତାଲିକା ହାସଲ କରିପାରିବେ।”

ଏହାପୂର୍ବରୁ ଜଷ୍ଟିସ ଜୟମଳୟ ବାଗଚି ଏସଆଇଆର ଡ୍ରାଫ୍ଟ ତାଲିକାରୁ କେତେ ନାଁ ବାଦ ପଡ଼ିଛି ସେକଥା ପଚାରିଥିଲେ। ଏହି ସମୟରେ ନିର୍ବାଚନ କମିଶନଙ୍କ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ ଯେ “୬୫ ଲକ୍ଷ ନାଁରୁ ୨୨ ଲକ୍ଷ ମୃତ। କୌଣସି ନାଁ ହଟାଇ ଯାଇ ନାହିଁ। ଯେଉଁମାନେ ଜୀବିତ କିନ୍ତୁ ଭୋଟର ତାଲିକାରୁ ନାଁ କଟି ଯାଇଛି, ସେମାନେ ନିର୍ବାଚନ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ।”

ଜଷ୍ଟିସ ବାଗଚି କହିଥିଲେ ଯେ “ଆମେ ଆପଣଙ୍କୁ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବାକୁ କହିବାକୁ ଚାହୁଁଛୁ। ଏପରି ତାଲିକା ଯାଞ୍ଚ କରିବା ଅପେକ୍ଷା ସବୁ ତଥ୍ୟ ୱେବସାଇଟରେ ଅପଲୋଡ କରନ୍ତୁ।” ଜଷ୍ଟିସ କାନ୍ତ କହିଛନ୍ତି, “ରାଜନୀତିକ କର୍ମୀଙ୍କ ବିଚାରଧାର ରହିପାରେ। କିନ୍ତୁ ଲୋକମାନେ ସ୍ୱାଧୀନ ଭାବେ ସେମାନଙ୍କ ନାଁ ଅନଲାଇନରେ ଯାଞ୍ଚ କରିବାର ଅଧିକାର ପାଇବା ଜରୁରୀ।”

ଖଣ୍ଡପୀଠ କହିଛନ୍ତି ଯେ ସବୁ ତଥ୍ୟ ଅନଲାଇନରେ ଅପଲୋଡ କରାଯାଉ। ଭୋଟର ତାଲିକାରୁ ବାଦ ପଡ଼ିଥିବା ଅନୀତା ଦେବୀ ଜାଣିବା ଦରକାର ଯେ ଯଦି ମୁଁ ୱେବସାଇଟକୁ ଯିବ, ତା’ହେଲେ ମୁଁ ମୋ ନାଁ ପାଇପାରିବି। ତାଲିକା ଖୋଜି ହେଲା ଭଳି ସ୍ଥିତିରେ ରହିବା ଦରକାର। ଲୋକମାନେ ନିଜର ଇପିଆଇସି ନମ୍ବର ଦ୍ୱାରା ଯେମିତି ସହଜରେ ନାଁ ପାଇପାରିବେ, ତା’କୁ ନିଶ୍ଚିତ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ରେ ହେବ।

Bihar Supreme Court voter-list