/odisha-reporter/media/post_attachments/uploadimage/library/16_9/16_9_0/Modi_1739028340.jpg)
Modi
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ ପରେ ଆଜି ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡି ବ୍ଲକ୍କୁ କଟାକ୍ଷ କରିଥିଲେ। ବିରୋଧୀଙ୍କ ମେଣ୍ଟ ଇଣ୍ଡି ବ୍ଲକ୍ରେ ଫାଟ ଆଉ ଲୁଚି ରହି ନଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଦିଲ୍ଲୀରେ ଇଣ୍ଡି ବ୍ଲକ୍ର ସଦସ୍ୟମାନେ କଂଗ୍ରେସ ବିପକ୍ଷରେ ଲଢ଼ିଥିଲେ। ସେମାନେ କଂଗ୍ରେସକୁ ହରାଇବାରେ ସମର୍ଥ ହୋଇଗଲେ। କିନ୍ତୁ ଆପ୍କୁ ଜିତାଇବାରେ ବିଫଳ ହେଲେ।
କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ପୁଣିଥରେ କଂଗ୍ରେସକୁ କଡ଼ା ସନ୍ଦେଶ ମିଳିଛି। ପୁଣି ଥରେ ଖାତା ଖୋଲିବାରେ ବିଫଳ ହୋଇଛି କଂଗ୍ରେସ। ୬ ଥର ଖାତା ଖୋଲିପାରିନି କଂଗ୍ରେସ। ଦିଲ୍ଲୀରେ କଂଗ୍ରେସକୁ ଜିରୋର ଡବଲ ହ୍ୟାଟ୍ରିକ ମିଳିଛି। କଂଗ୍ରେସ ଉପରେ ଦେଶ ଆଉ ଭରସା କରୁନି। ମୁଁ ପୂର୍ବରୁ କହିଛି କଂଗ୍ରେସ ଏକ ପରଜୀବୀ ପାର୍ଟି। ନିଜେ ବୁଡ଼ିବା ସହ ସହଯୋଗୀ ଦଳକୁ ବି ବୁଡ଼ାଉଛି। କଂଗ୍ରେସ ତା’ର ସହଯୋଗୀ ଦଳଙ୍କ ପ୍ରସଙ୍ଗକୁ ଉଠାଉଛି ଓ ନିଜ ଭୋଟ୍ ବ୍ୟାଙ୍କ କ୍ଷେତ୍ରରେ ତାକୁ ଲାଗୁ କରିବାକୁ ଉଦ୍ୟମ କରୁଛି। ଉତ୍ତର ପ୍ରଦେଶରେ ଏହା ସମାଜବାଦୀ ପାର୍ଟିର ପ୍ରସଙ୍ଗଗୁଡ଼ିକୁ ଚୋରାଇଥିଲା। ତାମିଲନାଡୁରେ ଦଳ ଡିଏମ୍କେର ଓ ବିହାରରେ ଆରଜେଡିର ପ୍ରସଙ୍ଗ ଚୋରି କରିଥିଲା। ଇଣ୍ଡି ଗଠବନ୍ଧନ କଂଗ୍ରେସର ଏହି ଚରିତ୍ରକୁ ଜାଣି ସାରିଲେଣି। ଦିଲ୍ଲୀରେ ଇଣ୍ଡି ଗଠବନ୍ଧନ କଂଗ୍ରେସ ବିରୋଧରେ ପ୍ରଚାର କରିଥିଲେ। କିନ୍ତୁ ସେମାନେ ଆପ୍ଦାକୁ ବଞ୍ଚାଇ ପାରିଲେନି। ଆଜିର କଂଗ୍ରେସ ସ୍ୱାଧୀନତା ସମୟର କଂଗ୍ରେସ ନୁହେଁ। କଂଗ୍ରେସ ନେତା ଅର୍ବାନ ନକ୍ସଲର ଭାଷା କହୁଛନ୍ତି। କଂଗ୍ରେସ ଭିତରେ ଅର୍ବାନ ନକ୍ସଲର ଡିଏନ୍ଏ ପଶିଯାଇଛି।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏଥର ବିଜେପି ୪୮ଟି ଆସନ ଜିତିଥିବା ବେଳେ ଆପ୍କୁ ୨୨ଟି ଆସନ ମିଳିଛି। କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନି। ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ, ଆପ୍ ଓ ଅନ୍ୟାନ୍ୟ ବିରୋଧୀ ଦଳ ମିଶି ଇଣ୍ଡି ବ୍ଲକ୍ ଗଠନ କରିଥିଲେ ବିଜେପିକୁ ରୋକିବାକୁ। କିନ୍ତୁ ତା’ପରେ ଏହି ମେଣ୍ଟରେ ଦେଖା ଦେଇଥିଲା ଫାଟ। ହରିୟାଣା ଓ ଦିଲ୍ଲୀରେ ଆପ୍ ଓ କଂଗ୍ରେସ ପୃଥକ ପୃଥକ ନିର୍ବାଚନ ଲଢ଼ିବା ପରେ ଏହା ପୂରା ସ୍ପଷ୍ଟ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
