ପ୍ରାୟ ମାସେ ତଳେ ଯଦି ଆପଣ କୌଣସି ଟ୍ରାଭେଲ ଏକ୍ସପର୍ଟଙ୍କୁ କେଉଁ ଦେଶଗୁଡ଼ିକୁ ବୁଲିବାକୁ ଗଲେ ଭଲ ହେବ ବୋଲି ପରାମର୍ଶ ମାଗିଥା’ନ୍ତେ, ତା’ହେଲେ ସେ ଯେଉଁ ୫ଟି ପ୍ରମୁଖ ଦେଶର ନାଁ କହିଥା’ନ୍ତେ, ସେଗୁଡ଼ିକ ମଧ୍ୟରେ ଦୁଇଟି ଦେଶ ନିଶ୍ଚିତ ରହିଥା’ନ୍ତା। ସେହି ଦୁଇଟି ଦେଶ ହେଉଛନ୍ତି ତୁର୍କୀ ଓ ଅଜରବୈଜାନ। କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଓ ତତ୍ପଶ୍ଚାତ ଭାରତ-ପାକିସ୍ତାନ ସଂଘର୍ଷ ପରେ ସ୍ଥିତି ବଦଳି ଯାଇଛି। କାରଣ ଏହି ସମୟରେ ତୁର୍କୀ ଓ ଅଜରବୈଜାନ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରିଛନ୍ତି। ତୁର୍କୀ ୩୫୦ ଡ୍ରୋନ ସହିତ ତା’ର କିଛି ଯବାନଙ୍କୁ ପାକିସ୍ତାନ ପଠାଇଥିଲା ଭାରତ ବିରୋଧୀ ଲଢ଼େଇରେ ସହଯୋଗ କରିବାକୁ। ଏହାର ପ୍ରମାଣ ମଧ୍ୟ ମିଳି ସାରିଛି। ଏହା ପରେ ଖପ୍ପା ହୋଇଛନ୍ତି ଭାରତର ଲୋକେ ତଥା ଭାରତ ସରକାର।
ସରକାରଙ୍କ କଥା ଛାଡ଼ନ୍ତୁ, ଦେଶବାସୀ ନିଜ ଆଡ଼ୁ କହିସାରିଲେଣି ଯେ ତୁର୍କୀ ଗୋଟିଏ ବେଇମାନ ଦେଶ। କାରଣ ୨୦୨୩ରେ ତୁର୍କୀରେ ବଡ଼ ଧରଣର ଭୂକମ୍ପ ହୋଇଥିବା ବେଳେ ଭାରତ ସରକାର ଉଦ୍ଧାର କାର୍ଯ୍ୟରେ ବଡ଼ ସହଯୋଗ କରିଥିଲେ। ତା’ ସହିତ ରିଲିଫ ସାମଗ୍ରୀ ମଧ୍ୟ ପଠାଇଥିଲେ। ଭାରତ ସେତେବେଳେ ତା’ ଅପରେସନର ନାଁ ‘ଅପରେସନ ଦୋସ୍ତ’ ରଖିଥିଲା। କିନ୍ତୁ ପହଲଗାମ ଘଟଣା ପରେ ପାକିସ୍ତାନକୁ ସମର୍ଥନ କରି ତୁର୍କୀ ତା’ର ଅସଲ ଚେହେରା ଦେଖାଇଦେଲା। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ଫଳ ବ୍ୟବସାୟୀ ତଥା ସାଧାରଣ ଲୋକେ ତୁର୍କୀରୁ ଆସୁଥିବା ସେଓକୁ ବୟକଟ କରିଛନ୍ତି। ତୁର୍କୀରୁ ବର୍ଷକୁ ପ୍ରାୟ ୧୨୦୦ କୋଟି ଟଙ୍କାର ସେଓ ଭାରତକୁ ଆସୁଥିବା ବେଳେ ଏବେଠାରୁ ଏହାକୁ ବୟକଟ କରିବାକୁ ଲୋକେ ନିଜ ଆଡ଼ୁ ଆହ୍ୱନ ଦେଇ ସାରିଛନ୍ତି। ଏହା ସହିତ ତୁର୍କୀରୁ ଆସୁଥିବା ଅନ୍ୟାନ୍ୟ ଜିନିଷ ବୟକଟ କରିବାକୁ ଲୋକେ କହିଛନ୍ତି। ଏଭଳି ସ୍ଥିତିରେ ତୁର୍କୀକୁ ଭ୍ରମଣରେ ଯାଇ ସେଠାକାର ଅର୍ଥନୀତିକୁ ସୁଦୃଢ଼ କରିବା କଥା ଭାରତୀୟମାନେ କେମିତି ଅବା ଭାବି ପାରନ୍ତେ। ସେଥିପାଇଁ ତୁର୍କୀ ଭ୍ରମଣରେ ଯିବା ପାଇଁ ସବୁ ବ୍ୟବସ୍ଥା କରିସାରିଥିବା ଭାରତୀୟ ପର୍ଯ୍ୟଟକମାନେ ସେଗୁଡ଼ିକୁ ବାତିଲ କରି ଦେଉଛନ୍ତି। ସେହିପରି ଅଜରବୈଜାନ ଟ୍ରିପ୍କୁ ମଧ୍ୟ ଭାରତୀୟମାନେ ବାତିଲ କରି ଦେଲେଣି।
ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ଆରପିଜି ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ମେ’ ୧୩ ତାରିଖରେ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି ତୁର୍କୀ ଓ ଅଜରବୈଜାନ ନଯିବାକୁ ଅପିଲ କରିଛନ୍ତି। ସେ ଲେଖିଛନ୍ତି, ପର୍ଯ୍ୟଟନ ମାଧ୍ୟମରେ ଭାରତୀୟମାନେ ଉଭୟ ତୁର୍କୀ ଓ ଅଜରବୈଜାନକୁ ୪୦୦୦ କୋଟି ଟଙ୍କା ଦେଉଛନ୍ତି। ସେଥିରେ ସେଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ସେମାନଙ୍କ ଅର୍ଥନୀତିରେ ଉନ୍ନତି ହେଉଛି। ଭାରତ ଓ ବିଶ୍ୱରେ ଆହୁରି ଅନେକ ସୁନ୍ଦର ସ୍ଥାନ ଅଛି। ଦୟାକରି ଏହି ଦୁଇଟି ସ୍ଥାନକୁ ଯାଆନ୍ତୁ ନାହିଁ।
#BoycottTurkey ଓ #BoycottAzerbaijan ଭଳି ହ୍ୟାସଟ୍ୟାଗ୍ ସୋସାଲ ମିଡିଆରେ ଟ୍ରେଣ୍ଡ ମଧ୍ୟ କରୁଛି।
MakeMyTrip ଲିମିଟେଡ ନାମକ ଏକ ଅନଲାଇନ ଟ୍ରାଭେଲ କଂପାନୀ କହିଛି ଯେ ତାଙ୍କ ସଂସ୍ଥାରେ ଗୋଟିଏ ସପ୍ତାହ ମଧ୍ୟରେ ତୁର୍କୀ ଓ ଅଜରବୈଜାନ ପାଇଁ ହେଉଥିବା ବୁକିଂ ୬୦ ପ୍ରତିଶତ ହ୍ରାସ ପାଇଛି। ଆଉ କ୍ୟାନସେଲେସନ ବା ବାତିଲ ୨୫୦ ପ୍ରତିଶତ ଟପି ଯାଇଛି। ଏହି ଦୁଇ ସ୍ଥାନକୁ ବୁଲି ଯିବା ପାଇଁ କଂପାନୀ ଯେଉଁ ପ୍ରୋମୋସନ କରୁଥିଲା, ସେଗୁଡ଼ିକୁ ବାତିଲ କରି ଦେଇଛି।
ସେହିପରି ଯେଉଁ ଭାରତୀୟ ପର୍ଯ୍ୟଟକମାନେ EaseMyTrip ନାମକ ଟ୍ରାଭେଲ କଂପାନୀ ଜରିଆରେ ତୁର୍କୀ ବୁଲି ଯିବା ପାଇଁ ବାହାରିଥିଲେ, ସେମାନଙ୍କ ମଧ୍ୟରୁ ୨୨ ପ୍ରତିଶତ ବାତିଲ କରି ସାରିଲେଣି। ସେହିପରି ଅଜରବୈଜାନ ଯିବା ପାଇଁ ବାହାରିଥିବା ଭାରତୀୟଙ୍କ ମଧ୍ୟରୁ ୩୦ ପ୍ରତିଶତ ବାତିଲ କରିସାରିଲେଣି।
ଏହି ଦୁଇ କଂପାନୀର ସିଇଓମାନଙ୍କ କହିବା ଅନୁଯାୟୀ, କେବଳ ୨୦୨୪ରେ ତୁର୍କୀକୁ ୨.୭୪ ଲକ୍ଷ ଭାରତୀୟ ବୁଲିବାକୁ ଯାଇଥିଲେ, ଯାହା ୨୦୨୩ ତୁଳନାରେ ୨୦.୭% ଅଧିକ ଥିଲା। ସେହିପରି ୨୦୨୪ରେ ୨ ଲକ୍ଷ ୪୩ ହଜାର ୫୮୯ ଜଣ ଭାରତୀୟ ଅଜରବୈଜାନ ବୁଲିବାକୁ ଯାଇଥିଲେ।
Ixigo ନାମକ ଆଉ ଏକ ଟ୍ରାଭେଲ କଂପାନୀ ତୁର୍କୀ, ଅଜରବୈଜାନ ଓ ଚୀନକୁ ସମସ୍ତ ପ୍ରକାର ବୁକିଂ ବନ୍ଦ କରି ଦେଇଛି। ଏହାର ସିଇଓ ପାଦେ ଆଗକୁ ଯାଇ କହିଛନ୍ତି, ବହୁତ ହୋଇଗଲା। ରକ୍ତ ଓ ବୁକିଂ ଏକା ସାଙ୍ଗରେ ଚାଲିପାରିବ ନାହିଁ।
ଟ୍ରାଭେଲ ଏଜେନ୍ସୀ ଡିଏମ୍ସି ୱାଲେର ନିର୍ଦ୍ଦେଶକ (ସେଲ୍ସ) ଫରହାନ ଗଣମାଧ୍ୟମକୁ କହିଛନ୍ତି, ଭାରତୀୟ ବଜାରରେ ଏହା ତୁର୍କୀର ସିଜିନ ଥିଲା। ଆମର ବହୁତ ବଢ଼ିଆ ବୁକିଂ ହୋଇଥିଲା। ମେ’, ଜୁନ୍ ଓ ଜୁଲାଇ ମାସ ପାଇଁ ୨୦୦ରୁ ଅଧିକ ବୁକିଂ ହୋଇଥିଲା। ସେଥିରୁ ୮୦% ବାତିଲ ହୋଇସାରିଲାଣି। ଆମେ ନୀତିଗତ ନିଷ୍ପତ୍ତି ନେଇ ସାରିଛୁ ଯେ ଯେଉଁ ଦେଶଗୁଡ଼ିକୁ ଆମକୁ ସାହାଯ୍ୟ କରିବେ ନାହିଁ, ସେମାନଙ୍କ ପର୍ଯ୍ୟଟନକୁ ଆମେ ପ୍ରୋତ୍ସାହନ ଦେବୁ ନାହିଁ। ଏହା ସଂପୂର୍ଣ୍ଣ ଭାବେ ଆମର ନିଷ୍ପତ୍ତି। ଏଥିପାଇଁ ଆମକୁ ସରକାର କିଛି କହି ନାହାନ୍ତି। ଆମେ ମାସକୁ ହାରହାରି ୭୦ରୁ୮୦ଟି ବୁକିଂ କରୁ। କିନ୍ତୁ ଏବେ ଏହା ଶୂନ ହୋଇଯାଇଛି।
ତୁର୍କୀ ଓ ଅଜରବୈଜାନରେ ଭାରତୀୟମାନେ କେତେ ଟଙ୍କା ଖର୍ଚ୍ଚ କରନ୍ତି?
ଅଜରବୈଜାନ ପର୍ଯ୍ୟଟନ ବୋର୍ଡର ସୂଚନା ଅନୁଯାୟୀ, ଜଣେ ଭାରତୀୟ ପାସପୋର୍ଟଧାରୀ ତାଙ୍କ ଦେଶକୁ ଆସିଲେ ଗୋଟିଏ ଟ୍ରିପ୍ରେ ଲକ୍ଷେରୁ ଲକ୍ଷେ ୩୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି। ତା’ ମଧ୍ୟରେ ହୋଟେଲ ରହଣୀ, ଖାଇବାପିଇବା, ପରିବହନ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରବେଶ ଫି’ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଥାଏ। ରାଜଧାନୀ ବାକୁରେ ଥ୍ରୀ ଷ୍ଟାର ହୋଟେଲ ଗୁଡ଼ିକ ରାତିକୁ ୮ରୁ ୧୦ ହଜାର ଟଙ୍କା ନିଅନ୍ତି। ଫାଇଭ୍ ଷ୍ଟାର ହୋଟେଲରେ ଏହି ଦର ରାତିକୁ ୨୦ରୁ ୪୦ ହଜାର ହୋଇଥାଏ। ପ୍ରତିଦିନ ୫୦୦ରୁ ୧୫୦୦ ଟଙ୍କା ଖାଇବାରେ ଖର୍ଚ୍ଚ ହୋଇଥାଏ। ଖାଇବାର ପ୍ରକାର ଅନୁସାରେ ଏହା ପ୍ରତିଦିନ ୨ରୁ ୩ ହଜାର ମଧ୍ୟ ହୋଇଥାଏ।
ରାଜଧାନୀ ବାକୁରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପରିବହନ ବ୍ୟବସ୍ଥାର ବ୍ୟବହାର କଲେ ପ୍ରତି ରାଇଡ ପାଇଁ ୩୦ରୁ ୧୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଟ୍ୟାକ୍ସିରେ ପ୍ରତି ଟ୍ରିପ୍ ପାଇଁ ୩୦୦ରୁ ୮୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ପ୍ରତିଦିନ ପରିବହନ ପାଇଁ ୩୦୦ରୁ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିଭଳି ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଟିକେଟ ଖର୍ଚ୍ଚ ପ୍ରତିଦିନ ୫୦୦ରୁ ୧୫୦୦ ଟଙ୍କା ପଡ଼ିଯାଏ। ଗୋଟିଏ ରେଗୁଲାର ଟୁରିଷ୍ଟ ଭିସା ପାଇଁ ୩୨୦୦ ଟଙ୍କା ପଡ଼ୁଥିବା ବେଳେ ଏକ୍ସପ୍ରେସ ଭିସା ପାଇଁ ୬୭୦୦ ଟଙ୍କା ପଡ଼ିଥାଏ। ଜଣେ ଭାରତୀୟ ପର୍ଯ୍ୟଟକ ସେଠାରେ ଦିନକୁ ହାରାହାରି ୧୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି। ଏହି ଖର୍ଚ୍ଚରେ ହୋଟେଲ ରହଣୀ, ବିମାନ ଓ ଭିସା ଖର୍ଚ୍ଚ ସାମିଲ ନଥାଏ। ୨୦୧୯ରେ ଏହି ପରିସଂଖ୍ୟାନ କମ୍ ଥିଲା। କିନ୍ତୁ ଧୀରେ ଧୀରେ ଏହା ବଢ଼ି ଗଲାଣି।
ତୁର୍କୀରେ ଜଣେ ଭାରତୀୟ ୭ ଦିନ ପାଇଁ ହାରାହାରି ୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି। ସେଥିରେ ବିମାନ ଓ ଭିସା ଖର୍ଚ୍ଚ ସାମିଲ ନଥାଏ। କିନ୍ତୁ ନିକଟରେ ଏହି ଖର୍ଚ୍ଚ ବୃଦ୍ଧି ପାଇଛି। ବିମାନ ଖର୍ଚ୍ଚକୁ ମିଶାଇଲେ ଏହି ଖର୍ଚ୍ଚ ୨ ଲକ୍ଷରୁ ଅଧିକ ହୋଇଯାଉଛି। ଏଠାକୁ ଗୋଟିଏ ସିଙ୍ଗିଲ-ଏଣ୍ଟ୍ରି ଭିସା ପାଇଁ ୧୭,୭୦୦ ଟଙ୍କା ଦେବାକୁ ହୋଇଥାଏ।
ତୁର୍କୀର ଜଣାଶୁଣା ସହର ଇସ୍ତାନବୁଲରେ ଏକ ଥ୍ରୀ ଷ୍ଟାର ହୋଟେଲରେ ଗୋଟିଏ ରାତି ରହିବା ପାଇଁ ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଅନ୍ୟପକ୍ଷରେ ଫାଇଭ ଷ୍ଟାର ବା ପଞ୍ଚ ତାରକା ହୋଟେଲରେ ଗୋଟିଏ ରାତି ରହିଲେ ୨୫ ହଜାର ବା ତା’ଠାରୁ ଅଧିକ ଟଙ୍କା ଦେବାକୁ ହୋଇଥାଏ। ଖାଦ୍ୟ ପାଇଁ ପ୍ରତିଦିନ ୯୦୦ରୁ ୨୧୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଦିନରେ ତିନି ଥର ଖାଇବେ, ତା’ହେଲେ ପ୍ରତି ମିଲ୍ ପାଇଁ ୩୦୦ରୁ ୭୦୦ ଟଙ୍କା ଦେବାକୁ ପଡ଼ିପାରେ। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପରିବହନ ବ୍ୟବସ୍ଥା ବ୍ୟବହାର କଲେ ପ୍ରତି ରାଇଡ୍ ପାଇଁ ୪୦ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଚାରି କିଲୋମିଟର ଯାତ୍ରା କଲେ, ଏହି ଖର୍ଚ୍ଚ ୨୫୦ରୁ ୩୦୦ ଟଙ୍କା ଅବା ତା’ଠାରୁ ଅଧିକ ପଡ଼ିପାରେ। ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଟିକେଟ ଫି’ ୮୦୦ରୁ ୧୫୦୦ ଏବଂ କପ୍ପାଡୋସିୟାରେ ହଟ୍ ବେଲୁନ ରାଇଡ୍ ପାଇଁ ଜଣକା ୧୫ ହଜାରରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ।
୨୦୨୪ରେ ୨ ଲକ୍ଷ ୪୩ ହଜାର ୫୮୯ ଜଣ ଭାରତୀୟ ପର୍ଯ୍ୟଟକ ଅଜରବୈଜାନ ଯାଇଥିଲେ। ସେମାନେ ଜଣକା ହାରାହାରି ୧,୧୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ତେଣୁ ଅଜରବୈଜାନ ଗତ ବର୍ଷ କେବଳ ଭାରତୀୟ ପର୍ଯ୍ୟଟକମାନଙ୍କ ପାଖରୁ ପାଖାପାଖି ୨୬,୭୯୪,୭୯୦,୦୦୦ ବା ୨୬.୮ ବିଲିୟନ ଟଙ୍କା ପାଇଛି।
ସେହିଭଳି ୨୦୨୪ରେ ୩ ଲକ୍ଷ ୩୦ ହଜାର ଭାରତୀୟ ପର୍ଯ୍ୟଟକ ତୁର୍କୀ ବୁଲିବାକୁ ଯାଇଥିଲେ। ସେମାନେ ଜଣଙ୍କ ପିଛା ହାରାହାରି ୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତେଣୁ ତୁର୍କୀ ସେମାନଙ୍କଠାରୁ ପାଖାପାଖି ୪୨.୯ ବିଲିୟନ ଟଙ୍କା ରୋଜଗାର କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।