Advertisment

ତେଲଙ୍ଗାନା କଂଗ୍ରେସରେ ଫାଟ? ୧୦ ବିଧାୟକଙ୍କ ଗୁପ୍ତ ବୈଠକ ପରେ ଉଠିଲା ପ୍ରଶ୍ନ

ଦଳ ଭିତରେ କେଁ ଥିବା ଜଣାପଡ଼ୁଥିବା ବେଳେ ଏହା ଯେମିତି ବାହାରକୁ ଦେଖା ନଯିବ, ସେଥିପାଇଁ ଗଣମାଧ୍ୟମରେ ମାପିଚୁପି ବୟାନ ଦେଉଛନ୍ତି ଦଳୀୟ ନେତା।

author-image
Jitendra Garnayak
ଅଦ୍ୟତନ ହୋଇଛି
Rebantha Reddy

Rebantha Reddy

ତେଲଙ୍ଗାନାରେ କ୍ଷମତାସୀନ କଂଗ୍ରେସରେ ସବୁ ଠିକ୍‌ଠାକ୍ ଚାଲିଛି ତ? ଦଳରେ ଅଛି କି ଅନ୍ତଃକନ୍ଦଳ? ତାହା ଧୀରେ ଧୀରେ ବିସ୍ଫୋରକ ରୂପ ଧାରଣ କରିବାକୁ ଯାଉଛି କି? ଦଳର ୧୦ ଜଣ ବିଧାୟକ ଏକ ଗୁପ୍ତ ବୈଠକ କରିବା ପରେ ଉଠିଛି ଏହି ପ୍ରଶ୍ନ। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ବିଧାନ ପରିଷଦ (ଏମ୍‌ଏଲ୍‌ସି) ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠିଥିବାରୁ ଦଳୀୟ ନେତୃତ୍ୱଙ୍କ ପାଇଁ ଏହା ଚିନ୍ତାରକାରଣ ହୋଇପାରେ।

Advertisment

ହାଇଦ୍ରାବାଦ ସହର ଉପକଣ୍ଠରେ ଥିବା ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଘରେ ବସିଥିଲା ଏହି ଗୁପ୍ତ ବୈଠକ। ଏହି ବୈଠକରେ ଅନିରୁଦ୍ଧଙ୍କ ସହିତ ନୈନୀ ରାଜେନ୍ଦ୍ର ରେଡ୍ଡୀ, ଭୂପତି ରେଡ୍ଡୀ, ୱାଇ ଶ୍ରୀନିବାସ ରେଡ୍ଡୀ, ମୁରଲୀ ନାଏକ, କେ ରାଜେଶ ରେଡ୍ଡୀ, ସଞ୍ଜୀବ ରେଡ୍ଡୀ, ଲକ୍ଷ୍ମୀକାନ୍ତ ରାଓ, ଡି ମାଧବ ରେଡ୍ଡୀ ଓ ବୀର୍ଲା ଇଲିୟାହ ଉପସ୍ଥିତ ଥିଲେ।

ଏହି ବୈଠକରେ ବିଶେଷ କରି ଦୁଇ ଜଣ ମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ବୋଲି ଜଣାପଡ଼ିଛି। ଏହି ଦୁଇ ମନ୍ତ୍ରୀ ଠିକା କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ବିଶେଷ କରି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀଙ୍କ ବିରୋଧରେ ଏହି ବିଧାୟକମାନେ ଅଧିକ ଅସନ୍ତୋଷ ଝାଡ଼ିଥିଲେ। ଦଳର ଆହୁରି ଅନେକ ବିଧାୟକ ମଧ୍ୟ ତାଙ୍କ ବିରୋଧରେ ଥିବା ଏହି ବୈଠକରେ ଆଲୋଚନା ହୋଇଥିଲା।

Advertisment

ଦଳର ୧୦ ବିଧାୟକଙ୍କ ରୁଦ୍ଧଦ୍ୱାର ବୈଠକକୁ ଗୁରୁତ୍ୱର ସହିତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ସେ ଏହାର ସମାଧାନ ପାଇଁ ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି। ସ୍ଥିତିର ଆବଶ୍ୟକତାକୁ ଦେଖି ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଦେଇଛନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଡାକିଥିବା ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଏହା ସହିତ କୌଣସି ପ୍ରକାର ଗୁପ୍ତ ବୈଠକ ନକରିବାକୁ ଦଳର ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ଏଭଳି ବୈଠକର ନକାରାତ୍ମକ ପ୍ରଭାବକୁ ଗୁରୁତ୍ୱ ଦେଇ ଏହି ପ୍ରକାର କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ନିଜ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଏହିଭଳି ମେଳି ସାଧାରଣ ଜନତାଙ୍କ ନିକଟକୁ ଭିନ୍ନ ବାର୍ତ୍ତା ପ୍ରେରଣ କରିବ, ଯାହା ଦଳ ପାଇଁ ଭଲ ନୁହେଁ ବୋଲି ଦଳୀୟ ନେତୃତ୍ୱ କହିଥିବା ଜଣାପଡ଼ିଛି।

ସ୍ଥିତିକୁ ଗୁରୁତ୍ୱର ସହିତ ନେଇ ବିଧାୟକମାନଙ୍କ ସହିତ ସମନ୍ୱୟକୁ ଆହୁର ମଜବୁତ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ବିଧାୟକମାନଙ୍କ ପ୍ରସ୍ତାବ ଓ ପରାମର୍ଶକୁ ପ୍ରାଥମିକତା ଦେବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ବିଧାୟକମାନେ ଯେତେବେଳେ ସେମାନଙ୍କ ଅଞ୍ଚଳର କୌଣସି ସମସ୍ୟା ନେଇ ଆସୁଛନ୍ତି, ସେତେବେଳେ ସେଗୁଡ଼ିକୁ ଗୁରୁତ୍ୱ ଦେବାକୁ ସେ ମନ୍ତ୍ରୀମାନଙ୍କୁ କହିଛନ୍ତି।

ଦଳ ଭିତରେ କେଁ ଥିବା ଜଣାପଡ଼ୁଥିବା ବେଳେ ଏହା ଯେମିତି ବାହାରକୁ ଦେଖା ନଯିବ, ସେଥିପାଇଁ ଗଣମାଧ୍ୟମରେ ମାପିଚୁପି ବୟାନ ଦେଉଛନ୍ତି ଦଳୀୟ ନେତା। ଦଳର ନାଗାକୁରନୂଲ ସାଂସଦ ମଲ୍ଲୁ ରବି କହିଛନ୍ତି ଯେ ଦଳର କିଛି ବିଧାୟକ ଆଇଟିସି କୋହିନୂରରେ ନୈଶ ଭୋଜିର ଆୟୋଜନ କରିଥିଲେ। ସେମାନେ ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଘରେ ମେଳି କରିଥିଲେ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ। ସେହି ବିଧାୟକମାନଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀଙ୍କ ନଜରକୁ ଏକ ପ୍ରସଙ୍ଗ ଆଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେହି ସମୟରେ ଅନ୍ୟ ବିଧାୟକମାନେ ମିଳିତ ଭାବରେ ମନ୍ତ୍ରୀଙ୍କୁ ଭେଟି ଉକ୍ତ ପ୍ରସଙ୍ଗରେ ଆଲୋଚନା କରି ତା’ର ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ସେମାନେ ସମସ୍ତେ ସେହି ବିଷୟରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ କଂଗ୍ରେସର ୭୫ ଜଣ ବିଧାୟକ ଥିବା ବେଳେ ବିରୋଧୀ ବିଆରଏସ୍‌ର ୨୮, ବିଜେପିର ୮ ଓ ଏଆଇଏମ୍‌ଆଇଏମ୍‌ର ୭ ଜଣ ବିଧାୟକ ଅଛନ୍ତି। ସିପିଆଇର ଜଣେ ବିଧାୟକ ଥିବା ବେଳେ ସେ ସରକାରଙ୍କ ସହିତ ଅଛନ୍ତି।