Advertisment

ଦିଲ୍ଲୀରେ ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା

ଭାଇକୁ ଖୋଜୁଥିଲେ, ଦୁଇ ଭଉଣୀଙ୍କୁ ମାରି ଦେଲେ!

author-image
Jitendra Garnayak
Police

Police

ଦିଲ୍ଲୀର ଆର.କେ ପୁରମ ଥାନା ଅନ୍ତର୍ଗତ ଆମ୍ବେଦକର ବସ୍ତିରେ ଆଜି ଭୋରରେ ଘଟିଛି ଗୁଳିକାଣ୍ଡ। ଏଥିରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ଦୁଇ ଭଉଣୀ ଥିଲେ।

Advertisment

ମୃତ ଦୁଇ ଭଉଣୀ ହେଉଛି ପିଙ୍କି (୩୦) ଓ ଜ୍ୟୋତି (୨୯)। ସେମାନଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ଜେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପିଙ୍କ ସୂଚନା ଅନୁଯାୟୀ, ଭୋର ପ୍ରାୟ ସାଢ଼େ ୪ଟା ବେଳେ ଆର.କେ ପୁରମ ଥାନାକୁ ଏକ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆମ୍ବେଦକର ବସ୍ତିରେ ତାଙ୍କର ଦୁଇ ଭଉଣୀଙ୍କୁ କିଛି ଲୋକ ଗୁଳି କରି ଦେଇଛନ୍ତି। ଏହି ଖବର ପାଇବା ମାତ୍ରେ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ଗୁଳିମାଡ଼ରେ ଆହତ ଦୁଇ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Advertisment

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ବୃତ୍ତମାନେ ପ୍ରକୃତରେ ପ୍ରାଣ ହରାଇଥିବା ଏହି ଦୁଇ ମହିଳାଙ୍କ ଭାଇଙ୍କୁ ଖୋଜୁଥିଲେ। କିନ୍ତୁ ଯୁକ୍ତିତର୍କ ବେଳେ ସେମାନେ ଦୁଇ ଭଉଣୀଙ୍କ ଉପରକୁ ଗୁଳି କରିଥିଲେ। ଅର୍ଥ ନେଣଦେଣକୁ ନେଇ ସେମାନଙ୍କର ଭାଇ ଓ ଉକ୍ତ ଦୁର୍ବୃତ୍ତଙ୍କ ମଧ୍ୟରେ କିଛି ଝମେଲା ରହିଥିଲା ବୋଲି ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ଏହି ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରି ଉକ୍ତ ଦୁର୍ବୃତ୍ତମାନଙ୍କୁ ଖୋଜୁଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ସମାଲୋଚନା କରିଛନ୍ତି। ଏକ ଟ୍ୱିଟ କରି କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ଲୋକେ ଏବେ ନିଜକୁ ଭାରି ଅସୁରକ୍ଷିତ ମନେ କରୁଛନ୍ତି। ଯେଉଁମାନେ ଦିଲ୍ଲୀର ଆଇନ ଶୃଙ୍ଖଳା ସ୍ଥିତିକୁ ବ୍ୟବସ୍ଥିତ କରି ରଖିବା ଦାୟିତ୍ୱରେ ଅଛନ୍ତି, ସେମାନେ ସେହି କାମ ନ କରି ପୂରା ଦିଲ୍ଲୀ ସରକାରକୁ ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଯଦି ଉପ-ରାଜ୍ୟପାଳଙ୍କ ବଦଳରେ ଦିଲ୍ଲୀର ଆଇନ ଶୃଙ୍ଖଳା ଦାୟିତ୍ୱ ଆପ୍ ସରକାର ହାତରେ ଥାଆନ୍ତା, ତା’ହେଲେ ଦିଲ୍ଲୀ ସୁରକ୍ଷିତ ଥାଆନ୍ତା।

Murder Delhi