Advertisment

କଂଗ୍ରେସର ହ୍ୟାଟ୍ରିକ୍ ପରାଜୟ, କିନ୍ତୁ କାହିଁକି

ଲଗାତାର ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଲଗାତାର ୩ ଥର ହେଲାଣି ଗୋଟିଏ ବି ଆସନ ଜିତିପାରୁନାହିଁ।

Malikarjun and Rahul

Malikarjun and Rahul

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେପିକୁ ମିଳିଛି ବଡ଼ ବିଜୟ। ଦଳ ୪୮ଟି ଆସନ ଜିତି ସରକାର ଗଢ଼ିବାକୁ ଯାଉଛି। ୨୭ ବର୍ଷ ପରେ ପୁଣି ଥରେ ବିଜେପିକୁ ମିଳିଛି ଏହି ସୁଯୋଗ। ଆପ୍‌ ହାରିଯାଇଛି। ଦଳକୁ ମାତ୍ର ୨୨ଟି ଆସନ ମିଳିଛି। ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପ୍ରମୁଖ ହାରିଯାଇଛି। କିନ୍ତୁ କଂଗ୍ରେସ ଖାତା ଖୋଲିପାରିନି। ଏହାର ଜଣେ ବି ପ୍ରାର୍ଥୀ ଜିତି ପାରିନାହାନ୍ତି। ଏହା ହେଉଛି ଦଳର ହ୍ୟାଟ୍ରିକ୍ ପରାଜୟ। ୨୦୧୫ ଓ ୨୦୨୦ ନିର୍ବାଚନ ମଧ୍ୟ କଂଗ୍ରେସ ଖାତା ପାରି ନଥିଲା। ଶେଷ ଥର ପାଇଁ ଦଳ ୨୦୧୩ରେ ୮ଟି ଆସନ ଜିତିଥିଲା। ତା’ ପୂର୍ବରୁ ଦଳ ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିଲା। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କଂଗ୍ରେସ ଦିଲ୍ଲୀରେ ସରକାର ଗଢ଼ିଥିଲା ଓ ଶୀଲା ଦିକ୍ଷୀତ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ତା’ପରଠାରୁ ଦଳ ମାଟି କାମୁଡ଼ିଛି। ପ୍ରଶ୍ନ ଉଠୁଛି, କେଉଁ କାରଣ ପାଇଁ ଦଳ ଲଗାତାର ତିନି ଥର ହେଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଗୋଟିଏ ବି ଆସନ ଜିତି ପାରୁନାହିଁ।

Advertisment

୨୦୧୩ ବିଧାନସଭା ନିର୍ବାଚନରୁ ଆରମ୍ଭ ହୋଇଥିଲା ଦିଲ୍ଲୀ କଂଗ୍ରେସର ବିପର୍ଯ୍ୟୟ। ଅରବିନ୍ଦ କେଜ୍ରିୱାଲଙ୍କ ଦୁର୍ନୀତି ବିରୋଧୀ ଲଢ଼େଇ ଲହରରେ ପୋଛି ହୋଇଯାଇଥିଲା କଂଗ୍ରେସ। ୨୦୦୮ ବିଧାନସଭା ନିର୍ବାଚନରେ ୪୩ଟି ଆସନ ଜିତିଥିବା କଂଗ୍ରେସ ୨୦୧୩ ନିର୍ବାଚନରେ ମାତ୍ର ୮ଟି ଆସନ ଜିତିଥିଲା। ତା’ପରଠାରୁ ଦଳ ଦିଲ୍ଲୀରେ ନିଜର ସ୍ଥିତିକୁ ଆଉ ଦୃଢ଼ କରିବାକୁ ସଫଳ ହୋଇନାହିଁ। ଏହା ପଛରେ ରହିଛି ଅନେକ କାରଣ।

ଦିଲ୍ଲୀ କଂଗ୍ରେସକୁ ଦୃଢ଼ କରିବା ବଦଳରେ ତଥା ଏହାର ନେତୃତ୍ୱକୁ ବଳିଷ୍ଠ କରିବା ବଦଳରେ ଦଳ ସବୁବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ନିର୍ଭର କରୁଛି। ଶୀଲା ଦୀକ୍ଷିତଙ୍କ ପରେ ସେଠାରେ ଦଳ ଆଉ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିପାରି ନାହିଁ। କେଜ୍ରିୱାଲ ଓ ବିଜେପିକୁ ଟକ୍କର ଦେବା ପାଇଁ ନୂଆ ନେତୃତ୍ୱ ତିଆରି କରିବାରେ ଦଳ ବିଫଳ ହୋଇଛି। ଅନ୍ୟପକ୍ଷରେ ଦଳ ଦିଲ୍ଲୀ ପାଇଁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପରେ ନିର୍ଭର କରୁଥିବା ବେଳେ ସେମାନେ ଦିଲ୍ଲୀର ଭୋଟରଙ୍କ ସହିତ ମିଶିପାରୁ ନାହାନ୍ତି। ଫଳରେ ଦଳର ଭୋଟ୍‌ର ବେସ୍‌ଟି ନଷ୍ଟ ହୋଇଯାଇଛି।

Advertisment

ଆପ୍‌ ଉଠିବା ଫଳରେ କଂଗ୍ରେସର ଅବନ୍ନତି ଆରମ୍ଭ ହୋଇଥିଲା। ପ୍ରତି ନିର୍ବାଚନରେ ହାରିବା ପରେ ଦଳ ସକ୍ରିୟ ହେବା ବଦଳରେ ଆହୁରି ନିଷ୍କ୍ରିୟ ହୋଇଯାଇଛି। ଆପ୍ ଓ ବିଜେପିଠାରୁ ଦଳ କାହିଁକି ଭିନ୍ନ, ତାହା ଲୋକଙ୍କ ନିକଟରେ ପହଞ୍ଚାଇବାରେ କଂଗ୍ରେସ ବିଫଳ ହୋଇଛି।

ପୁଣି କଂଗ୍ରେସର ରଣନୀତି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଇଣ୍ଡି ବ୍ଲକ୍ ଅଧୀନରେ ଦଳ ଆପ୍ ସହିତ ମିଶି ଦିଲ୍ଲୀରେ ଲଢ଼ିଥିଲା। କିନ୍ତୁ ମାତ୍ର କିଛି ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଭୟ ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଲେ। ଯଦିଓ ଆପ୍ ପ୍ରଥମେ ଘୋଷଣା କରିଥିଲା ଏକାକୀ ଲଢ଼ିବାକୁ, ତଥାପି କଂଗ୍ରେସ ମେଣ୍ଟ କରିବା ନେଇ ଯେମିତି ଉଦ୍ୟମ କରିବା କଥା ସେମିତି କରି ନଥିଲା ବୋଲି କୁହାଯାଉଛି। ଆପ୍ ଓ କଂଗ୍ରେସ ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିବା ଫଳରେ ବିଜେପି ବିରୋଧୀ ଭୋଟ୍‌ ବିଭକ୍ତ ହୋଇଗଲା। ଆଉ ଏହାର ଫାଇଦା ବିଜେପି ନେଲା। ସେହିପରି ବିଏସ୍‌ପି, ଏଆଇଏମ୍‌ଆଇଏମ୍‌ ଓ ଅନ୍ୟ ଛୋଟ ଦଳଗୁଡ଼ିକୁ ପ୍ରାର୍ଥୀ ଦେବାରୁ କଂଗ୍ରେସ ଏହାର ସପୋର୍ଟ ବେସ୍ ହରାଇଥିଲା।

ଦିଲ୍ଲୀ ଅନେକ ସମସ୍ୟା ଦେଇ ଗତି କରୁଛି। ପ୍ରଦୂଷଣ, ଭିତ୍ତିଭୂମି ଜନିତ ତାରତମ୍ୟ ଓ ବେକାରୀ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକର ସମାଧାନ କରି ଦଳ କିପରି ସୁଶାସନ ଦେଇପାରିବ, ସେ ନେଇ ଭୋଟରଙ୍କୁ ଏକ ସ୍ପଷ୍ଟ ଚିତ୍ର ଦେବାରେ କଂଗ୍ରେସ ବିଫଳ ହୋଇଛି। ଆପ୍ ଜନକଲ୍ୟାଣ ନୀତି ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିଜେପି ବିକାଶ ଓ ସ୍ଥିରତା ଉପରେ ଗୁରୁତ୍ୱ ଦେଇଥିଲା। କିନ୍ତୁ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତା’ର ଯୋଜନାକୁ ବ୍ୟାଖ୍ୟା କରିବାରେ ବିଫଳ ହୋଇଛି।

ଦିଲ୍ଲୀରେ ସ୍ଥିତି ମଜବୁତ କରିବା ପାଇଁ କଂଗ୍ରେସକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପ୍ରଥମେ ଜଣେ ବଳିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବାକୁ ପଡ଼ିବ, ଯିଏ ସମସ୍ତଙ୍କ ନେଇ କାର୍ଯ୍ୟ କରିପାରିବେ ଓ ତାଙ୍କଠାରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ଦକ୍ଷତା ଥିବ। ଦଳ ତା’ର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଦର୍ଶକୁ ସ୍ପଷ୍ଟ କରିବା ଉଚିତ। ତୃଣମୂଳ ସ୍ତରରେ ଦଳ ନିଜକୁ ମଜବୁତ କରିବା ଆବଶ୍ୟକ। ଦଳକୁ କିଛି ସାହସିକ ପଦକ୍ଷେପ ନେବାକୁ ପଡ଼ିବ, ନହେଲେ ଦୟନୀୟ ଅବସ୍ଥା ଜାରି ରହିବ।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe