ପୂରା ଦେଶକୁ ଏକାଠି କରିବା ପାଇଁ ଯୁଦ୍ଧ ଠାରୁ ଆଉ କିଛି ବି ବଡ଼ ନୁହେଁ। ବର୍ତ୍ତମାନ ପାକିସ୍ତାନର ଆର୍ଥିକ ସ୍ଥିତି ସାଂଘାତିକ। ଦେଶର ୪ଟି ପ୍ରଦେଶ ମଧ୍ୟରୁ ୨ଟିରେ ବିଦ୍ରୋହୀ ପୂରା ସକ୍ରିୟ। ପାକିସ୍ତାନ ସେନାର ଲୋକପ୍ରିୟତା ସର୍ବକାଳୀନ ତଳେ ରହିଛି। ଦେଶରେ ସାମରିକ ବିଦ୍ରୋହର ଆଶଙ୍କା ରହିଛି। ସେନା ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ି ଚାଲିଛି। ୧୯୭୧ ବିଭାଜନ ପରେ ପାକିସ୍ତାନ ଏବେ ପୁଣି ଭାଗ ହେବାର ଅତି ନିକଟରେ ପହଞ୍ଚି ଯାଇଛି। ତେଣୁ ଗୋଟିଏ ଛୋଟ ଧରଣର ଯୁଦ୍ଧ ଏକାଧିକ ସମସ୍ୟାର ସମାଧାନ କରିପାରେ ଓ ପହଲଗାମ ଆକ୍ରମଣ ଏହାର କାରଣ ହୋଇଥାଇ ପାରେ।
ପହଲଗାମ ନରସଂହାରର ଜବାବ ଦିଆଯିବ ବୋଲି ଭାରତର ବରିଷ୍ଠ ନେତୃବୃନ୍ଦ କହି ସାରିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ କେମିତି ଓ କେବେ? ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଯେ – ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ଭାରତ ସହ କାହିଁକି ସାମରିକ ବିବାଦ ଆରମ୍ଭ କରିବାକୁ ବିକଳ ହେଉଛନ୍ତି? ଉରି ଓ ପୁଲୱାମା ଆତଙ୍କବାଦୀ ହମଲା ପରେ ଭାରତର ମୁହଁତୋଡ଼ ଜବାବ ଦେଖିବା ସତ୍ତ୍ୱେ ପାକିସ୍ତାନ ସେନା ମୁଖ୍ୟ ମୁନିର କାହିଁକି ଯୁଦ୍ଧ କରିବାକୁ ଚାହୁଁଛନ୍ତି? ପାକିସ୍ତାନ ଭଲ ଭାବେ ଜାଣିଛି ଯେ ଭାରତ ସହ ଯୁଦ୍ଧ କଲେ ଜିତିବ ନାହିଁ। ଦେଶ ଦରକାର ପଡ଼ିଲେ ଧ୍ୱଂସ ହୋଇଯିବ। ତଥାପି ମୁନିର ବିବାଦ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି।
୧୯୪୭ ମସିହା ବିଭାଜନ ପରଠାରୁ ଭାରତ ନିୟମିତ ଭାବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ସାମ୍ନା କରୁଛି। କିନ୍ତୁ ପହଲଗାମ ଆତଙ୍କବାଦୀ ହମଲା ଅନ୍ୟ ସମସ୍ତ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହମଲା ଠାରୁ ଭିନ୍ନ। ଏପ୍ରିଲ ୨୨ରେ ଦକ୍ଷିଣ କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସହଯୋଗୀ ସଂସ୍ଥା ଦି ରେଜିଷ୍ଟାନ୍ସ ଫୋର୍ସ ଏଥିପାଇଁ ନିଜକୁ ଦାୟୀ କରିଛି।
ଲସ୍କର କମାଣ୍ଡର ସୈଫୁଲା କସୁରୀ ଘଟଣାର ମାଷ୍ଟରମାଇଣ୍ଡ। ପହଲଗାମରେ ପ୍ରାକୃତି ସୌନ୍ଦର୍ଯ୍ୟର ଉପ ଭୋଗ କରୁଥିବା ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯିବ ଓ ସେମାନଙ୍କୁ ଧର୍ମ ପଚାରି ଗୁଳି କରିବା ଅନ୍ୟ ସମସ୍ତ ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ହମଲା ଠାରୁ ଭିନ୍ନ। ନିକଟ ଅତିତୀରେ ଏଭଳି ଘଟଣା କେବେ ବି ଦେଖିବାକୁ ମିଳି ନଥିଲା। ଆକ୍ରମଣକୁ ଦେଖିଲେ ଜଣାପଡ଼ୁଛି ଯେ ଏହା ଯୋଜନାବଦ୍ଧ। ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିଥିଲା। ଏପରି ସ୍ଥିତିରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଛି।
ଅବଶ୍ୟ ପାକିସ୍ତାନ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ହମଲା ସହ କୌଣସି ଲିଙ୍କ ନଥିବା ସଫେଇ ଦେଇଛି। ହେଲେ ପାକିସ୍ତାନ ମିଲିଟାରୀ ସଂସ୍ଥାର ବିନା ସହାୟତାରେ ଜମ୍ମୁ-କଶ୍ମୀରରେ ଏତେ ବଡ଼ ହମଲା ଆଦୌ ସମ୍ଭବ ନୁହେଁ। ଏହା ଉପରେ ବି ବିତର୍କ ଚାଲିଛି। ଜମ୍ମୁ-କଶ୍ମୀରର ପୂର୍ବତନ ଡିଜିପି ଏସ୍ପି ବୈଦ କହିଛନ୍ତି, “ପହଲଗାମ ଆକ୍ରମଣ ପାକିସ୍ତାନ ସେନାର ନିର୍ଦ୍ଦେଶରେ ହୋଇଛି। ପାକିସ୍ତାନର ଏସଏସଜି କମାଣ୍ଡୋ ଆତଙ୍କବାଦୀଙ୍କ ବେଶ ନେଇ ଏପରି ଆକ୍ରମଣ କରିଛନ୍ତି।”
ଆକ୍ରମଣରେ ଥିବା ସାଂପ୍ରଦାୟିକ ଦିଗ ନିକଟରେ ଜେନେରାଲ ମୁନିର ଦେଇଥିବା ଭାଷଣରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏପ୍ରିଲ ୧୬ରେ ସେ କହିଥିଲେ, “ଜୀବନର ପ୍ରତିଟି କ୍ଷେତ୍ରରେ ଆମେ ହିନ୍ଦୁମାନଙ୍କ ଠାରୁ ଅଲଗା ବୋଲି ଆମ ପୂର୍ବପୁରୁଷ ବିଶ୍ୱାସ କରୁଥିଲେ। ଆମ ଧର୍ମ ସବୁବେଳେ ଭିନ୍ନ। ଆମ ଚାଲି ଚଳନ ଭିନ୍ନ। ଏହା ହିଁ ଦୁଇ ଦେଶ ଥିଓରୀର ମୂଳ ଥିଲା।” ମୁନିରଙ୍କ ଏପରି ଭାଷଣ ପାକିସ୍ତାନର ଆତଙ୍କୀ ସମ୍ପଦକୁ ଉତ୍ସାହିତ କରିଥିଲା ଓ ଭାଷଣର ଗୋଟିଏ ସପ୍ତାହରେ ପହଲଗାମରେ ନରସଂହାର ହୋଇଛି।
ପାକିସ୍ତାନୀ ସେନା ମୁଖ୍ୟମାନଙ୍କ ଭାରତ ବିରୋଧୀ ବୟାନ କିଛି ନୂଆ କଥା ନୁହେଁ। ହେଲେ ମୁନିର ହିନ୍ଦୁ ବିରୋଧୀ ବୟାନ ଦେଇ ଉସକାଇଥିଲେ। ମୁନିରଙ୍କ ହିନ୍ଦୁ ବିରୋଧୀ ବୟାନ ଓ ପହଲଗାମରେ ଆତଙ୍କବାଦୀମାନେ ଅଣ ମୁସଲିମଙ୍କୁ ଗୁଳି କରିବା ଘଟଣା ଭାରତକୁ ଅଧିକ ଉତ୍ତେଜିତ କରିଛି। ଏଥିପାଇଁ ଭାରତ ସରକାର ବିଭିନ୍ନ ପ୍ରକାରର କଟକଣା ପାକିସ୍ତାନ ଉପରେ ଲଗାଇଛନ୍ତି।
ଆତଙ୍କବାଦ ପ୍ରସଙ୍ଗରେ ଭାରତ ତା’ର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି
ପହଲଗାମ ଆକ୍ରମଣ ସହ କୌଣସି ନେଣଦେଣ ନାହିଁ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଥିଲେ ହେଁ ଭାରତ ଏହାକୁ ଗ୍ରହଣ କରିନି। ଭାରତ ପକ୍ଷରୁ ପହଲଗାମ ଆକ୍ରମଣର ଜବାବ ପାକିସ୍ତାନ କୂଟନୀତିକ ସ୍ତରରେ ଦିଆଯାଇଛି। ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ଅଚଳ କରିଥିବା ବେଳେ ପାକିସ୍ତାନୀଙ୍କ ଭିସାକୁ ରଦ୍ଦ କରିଛନ୍ତି। ସେହିପରି ପାକିସ୍ତାନ ହାଇକମିଶନରେ ଅଧିକାରୀଙ୍କ ସଂଖ୍ୟାକୁ କମ କରି ଦେଇଛନ୍ତି। କିନ୍ତୁ ଏପରି କୂଟନୀତିକ ଜବାବ ଠାରୁ ଦେଶବାସୀ ଅଧିକ କିଛି ଆଶା ରଖିଛନ୍ତି। ଭାରତ ସରକାର ନେଇଥିବା କୂଟନୀତିକ ନିଷ୍ପତ୍ତି କେବେ ହେଲେ ପହଲଗାମ ହମଲା ପରେ ତାତି ଥିବା ଭାରତୀୟଙ୍କ ରକ୍ତକୁ ଥଣ୍ଡା କରି ନଥିବ। ସେମାନେ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ଏୟାର ଷ୍ଟ୍ରାଇକ ଭଳି ଆଉ କିଛି ଦେଖିବାକୁ ଚାହୁଁଛନ୍ତି।
ପାକିସ୍ତାନକୁ ମଧ୍ୟ ଭାରତର ଆକ୍ରମଣ ଭୟ ରହିଛି। ଏଥିପାଇଁ ନର୍ଦନ ରିଜନରେ ଥିବା ଭାରତୀୟ ସୀମା ନିକଟରେ ପାକିସ୍ତାନର ଯୁଦ୍ଧ ବିମାନ ପଇଁତରା ମାରୁଛି। ସମସ୍ତଙ୍କର ବିଶ୍ୱାସ ଯେ ଦୁଇ ଆଣବିକ ଯୁଦ୍ଧାସ୍ତ୍ର ଖଚିତ ଦେଶ ମଧ୍ୟରେ ଅଲଆଉଟ ଯୁଦ୍ଧ ହେବନି। ଦୁଇ ଦେଶ ଯୁଦ୍ଧ କଲେ ପୂରା ବିଶ୍ୱକୁ ବିପଦ ମାଡ଼ି ଆସିବ। ବିଶ୍ୱ ନିଶ୍ଚିତ ଭାବେ ଏଥିରେ ହସ୍ତକ୍ଷେପ କରି ଯୁଦ୍ଧ ଅଟକାଇବାକୁ ଚେଷ୍ଟା କରିବ। କଶ୍ମୀରକୁ ନେଇ ୧୯୪୭,୧୯୬୫ ଓ ୧୯୯୯ରେ ଭାରତ-ପାକିସ୍ତାନ ଲଢ଼ି ସାରିଛନ୍ତି। ଏହି ସବୁ ଯୁଦ୍ଧ ପାକିସ୍ତାନ ଆରମ୍ଭ କରିଥିଲା। ଭାରତ ସବୁ ଥିରେ ଜିତିଥିଲା। ପୂର୍ଣ୍ଣକାଳୀନ ଯୁଦ୍ଧ ଯଦିଓ ଅସମ୍ଭବ, ହେଲେ ସୀମିତ ସମୟର ଯୁଦ୍ଧ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏକଥା ଜେନେରାଲ ମୁନିର ମଧ୍ୟ ବେଶ ଭଲ ଭାବେ ଜାଣିଛନ୍ତି।
ପାକିସ୍ତାନରେ ମୁନିରଙ୍କ ଲୋକପ୍ରିୟତା କମିବାରେ ଲାଗିଛି
ବର୍ତ୍ତମାନ ପାକିସ୍ତାନର ପ୍ରତିରକ୍ଷା ଅନୁଷ୍ଠାନ ଅଦ୍ଭୂତପୂର୍ବ ଚାପରେ ରହିଛି। ଆର୍ମି ମୁଖ୍ୟ ଅସିମ ମୁନିରଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଛି। ପାକିସ୍ତାନ ଆର୍ମି ବିବାଦକୁ ବୃଦ୍ଧି କରି ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ଚାହୁଁଛନ୍ତି। ମୁନିର ଓ ତାଙ୍କ ସୈନ୍ୟ ବାହିନୀ ପାକିସ୍ତାନର ୪ଟି ଯାକ ପ୍ରଦେଶରେ ଘୋର ବିରୋଧର ସମ୍ମୁଖୀନ ହେବାରା ଲାଗିଛନ୍ତି।
ବାଲୁଚିସ୍ତାନରେ ବାଲୋଚ ବିଦ୍ରୋହୀ ପାକ ସେନାକୁ ଖାତିର କରୁ ନାହାନ୍ତି। ଖାୟବର ପାଖତୁନଖ୍ୱାରେ ତେହରିକ-ଇ-ତାଲିବାନ ପାକିସ୍ତାନ ନିଜ ଇଚ୍ଛାରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରୁଛି। ସିନ୍ଧରେ ଗୋଟିଏ କେନାଲ ପ୍ରକଳ୍ପ ଯୋଗୁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଞ୍ଜାବ ପ୍ରଦେଶର ଲୋକମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ। ଇମ୍ରାନଙ୍କୁ ସେନା ଜେଲରେ ବନ୍ଦୀ କରି ରଖିଥିବାରୁ ସେଠାକାର ଲୋକ ମୁନିର ବାହିନୀ ଉପରେ ଖପ୍ପା।
ଜେନେରାଲ ମୁନିରଙ୍କ ଅବସ୍ଥା ବର୍ତ୍ତମାନ ଯାହା ଅଛି ଯେ ନିଜ ଇଚ୍ଛାରେ ଟ୍ରେନରେ ବି ପାକିସ୍ତାନର କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ। କାରଣ କେତେବେଳେ କେଉଁଟି ବୋମା କି ଗୁଳିମାଡ଼ ହେବ, ସେକଥା କାହାକୁ ଜଣାନାହିଁ। ଏଥିପାଇଁ ସେ ଜାଣିଶୁଣି କଶ୍ମୀର କାର୍ଡ ଖେଳିବାରେ ଲାଗିଛନ୍ତି।
୧୯୭୧ରେ ପାକିସ୍ତାନ ଦୁଇ ଭାଗ ହୋଇଥିଲା। ପାକିସ୍ତାନରୁ ବାଂଲାଦେଶ ଜନ୍ମ ନେଇଥିଲା। ଏବେ ପୁଣିଥରେ ପାକିସ୍ତାନ ଭାଙ୍ଗିବାର ଅତି ନିକଟରେ ପହଞ୍ଚି ଯାଇଛି। ପାକିସ୍ତାନରେ ସେନା ବାହିନୀର ସମ୍ମାନ ଅତ୍ୟନ୍ତ ଭଲ ଥିଲା। ଲୋକମାନେ ସେନା ପଛରେ ସବୁ ବେଳେ ରହୁଥିଲେ। କିନ୍ତୁ ଏବେ ହେଉଥିବା ବିକ୍ଷୋଭ ଓ ବିକ୍ଷୋଭକାରୀଙ୍କୁ ଦମନ ପାଇଁ ସେନା ନେଉଥିବା ପଦକ୍ଷେପ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଯଦିଓ ପାକିସ୍ତାନରେ ସାମରିକ ସଂସ୍ଥା ସବୁଠାରୁ କ୍ଷମତା ଶାଳୀ ଓ ଦେଶକୁ ଏହା ଚଳାଉଛି, କିନ୍ତୁ ଜେନେରାଲ ମୁନିର ବେଶୀ ଦିନ ଲୋକଙ୍କ ଭାବନାକୁ ଅଣଦେଖା କରିପାରିବେ ନାହିଁ। ଏପରି ସ୍ଥିତିରେ ଭାରତ ପଟୁ ଷ୍ଟ୍ରାଇକ ହେଲେ ପାକିସ୍ତାନୀ ଏକାଠି ହୋଇଯିବେ ଓ ପୁଣି ସେନା ସହ ଛିଡ଼ା ହେବେ ବୋଲି ମୁନିର ଆଶା ରଖି କଶ୍ମୀର କାର୍ଡ ଖେଳି ଚାଲିଛନ୍ତି।
୨୦୦୭ରେ ପାକିସ୍ତାନର ସାମରିକ ଶାସନର ମୁଖିଆ ପରଭେଜ ମୁଶାରଫ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ହତ୍ୟା ପାଇଁ ଉଦ୍ୟମ ହୋଇଥିଲେ ହେଁ ସେ ବର୍ତ୍ତିଯାଇଥିଲେ। ଏବେ ପାକିସ୍ତାନ ସେନା ନିଜ ଦେଶରେ ଅସ୍ଥିରତା ଓ ସାଧାରଣ ଲୋକଙ୍କ ବିଶ୍ୱାସ ହରାଇବା ସ୍ଥିତିରେ ରହିଛି।
କାହିଁକି ଭାରତ ଆକ୍ରମଣ କରୁ ବୋଲି ଚାହୁଁଛନ୍ତି ମୁନିର?
ପହଲଗାମ ଆକ୍ରମଣର ଜବାବ ଦେବାକୁ ଯାଇ ଯଦି ଭାରତ କାଉଣ୍ଟର ଆଟାକ କରେ କିମ୍ବା ସୀମିତ ଯୁଦ୍ଧ ଆରମ୍ଭ କରିବ, ତା’ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଆହୁରି ଖରାପ ହୋଇଯିବ। ଭାରତର ଆକ୍ରମଣ ଭୟ ପାକିସ୍ତାନ ଷ୍ଟକ ମାର୍କେଟକୁ ମଧ୍ୟ ଘାରିଛି। କେଏସ୍ଇ ୧୦୦ରେ ୧୦୦୦ ପଏଣ୍ଟ ହ୍ରାସ ପାଇଯାଇଛି। ଆର୍ଥିକ ସଙ୍କଟ ଯୋଗୁ ପାକିସ୍ତାନ ଏକପ୍ରକାରର ତାଟିଆ ଧରି ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଉଛି। ଗତ ସେପ୍ଟେମ୍ବର ମାସରେ ଆଇଏମଏଫ ପକ୍ଷରୁ ପାକିସ୍ତାନ ୭ ବିଲିୟନ ଡଲାରର ବର୍ଦ୍ଧିତ ଋଣ ହାସଲ କରିଥିଲା। ଏପରି ସ୍ଥିତିରେ ଭାରତ ସହ ବିବାଦ ସୃଷ୍ଟି କରି ସାମରିକ ଲଢ଼େଇ କରିବା ପାକିସ୍ତାନ ପାଇଁ ଠିକ ନୁହେଁ।
କିନ୍ତୁ ଋଣ ଭାର ଓ ଆର୍ଥିକ ସଙ୍କଟ ସତ୍ତ୍ୱେ ପ୍ରତିରକ୍ଷା କ୍ଷେତ୍ରର ବଜେଟ ଅତୁଟ ରହିଛି। ଅସିମ ମୁନିର ନିଜର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ଓ ଲୋକଙ୍କୁ ନିଜ ପଛରେ ଏକାଠି କରିବାର ତତ୍କାଳ ଯୋଜନାରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସମ୍ଭବତଃ ପ୍ରାଥମିକତା ଦେଇ ନ ପାରନ୍ତି। ଖାସ ଏହି କାରଣ ପାଇଁ ସେ ଜାଣି ଶୁଣି ହିନ୍ଦୁ ବିରୋଧୀ ବୟାନ ଦେବା ସହ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହାପରେ ପହଲଗାମରେ ଆକ୍ରମଣ ହୋଇଥିଲା। ଏବେ ମୁନିର ଭାରତର ପାଲଟା ଜବାବକୁ ଅପେକ୍ଷା କରିଛନ୍ତି।
ମୁନିର ନିଜ ସପକ୍ଷରେ ଲୋକଙ୍କୁ ଆଣିବା ପାଇଁ ଭାରତକୁ ଉସକାଉଥିବା ଚର୍ଚ୍ଚା ଆଦୌ ଭୁଲ ନୁହେଁ। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଦେଇଥିବା ବୟାନ ଏହାକୁ ପ୍ରମାଣିତ କରୁଛି। ସେ କହିଛନ୍ତି, “ପାକିସ୍ତାନ ରାଜନୀତିକ କ୍ଷେତ୍ରରେ ଭାଗ ଭାଗ ରହିଛି। କିନ୍ତୁ ଦେଶ ହିସାବରେ ଆମେ ଏକ। ଯଦି ଭାରତ ପକ୍ଷରୁ ଆକ୍ରମଣ କିମ୍ବା ଧମକ ଦିଆଯାଏ, ତା’ହେଲେ ସବୁ ରାଜନୀତିକ ଦଳ ପାକିସ୍ତାନ ପତାକା ତଳେ ଏକାଠି ହେବେ। ଆମେ ଆମ ମାଟିର ସୁରକ୍ଷା ପାଇଁ ପଛ ଘୁଞ୍ଚା ଦେବୁ ନାହିଁ।” ବାସ ଏହାର ଫାଇଦା ମୁନିର ଉଠାଇ ନିଜ ଲୋକପ୍ରିୟତା ବୃଦ୍ଧି କରିବାକୁ ଚାହୁଁଛନ୍ତି।
ଜାଫର ଏକ୍ସପ୍ରେସକୁ ମାର୍ଚ୍ଚ ମାସରେ ବାଲୁଚିସ୍ତାନ ମୁକ୍ତି ସେନା ଅପହରଣ କରିବା ପରେ ୨୦୦ରୁ ଅଧିକ ପାକ ସେନାଙ୍କୁ ହତ୍ୟା କରିବା ମୁନିରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିଜ ଲୋକଙ୍କ ଦ୍ୱାରା ପାକିସ୍ତାନ ସେନା ବିରୋଧର ସମ୍ମୁଖୀନ ହେଉଥିବାରୁ ଭାରତକୁ କ୍ଷତି ପହଞ୍ଚାଇବାକୁ ଆଗେଇ ଆସିଥିବା ଭଳି ମନେ ହେଉଛି।
ଆଫଗାନିସ୍ତାନ ସୀମାରେ ବିବାଦ ଯୋଗୁ ପାକିସ୍ତାନ ଆର୍ମିକୁ କ୍ଷତି ସହିବାକୁ ପଡ଼ୁଛି। ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବାକୁ ଆଫଗାନରେ ଥିବା ତାଲିବାନ ତେହରିକ-ଇ-ତାଲିବାନ-ଇ-ପାକିସ୍ତାନ ଓ ବିଏଲଏ ସହ ମିଶ ଉଦ୍ୟମ କରୁଛି। ଏସବୁ ଭିତରେ ଆଫଗାନିସ୍ତାନ ସହ ଭାରତ ସମ୍ପର୍କ ସୁଧୁରିବା ପାକିସ୍ତାନର ଚିନ୍ତା ବଢ଼ାଇଛି।
ବିଶ୍ୱସ୍ତରରେ ମଧ୍ୟ ପାକିସ୍ତାନର କଥାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି। ପାକିସ୍ତାନକୁ ସହଯୋଗ କରୁଥିବା ଆମେରିକା ଓ ସାଉଦି ମଧ୍ୟ ଭାରତ ସହ ସମ୍ପର୍କକୁ ମଜବୁତ କରୁଛନ୍ତି। ପାକିସ୍ତାନର ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ଜାତୀୟ ଋଣ ବୃଦ୍ଧି ହେଉଛି। ଭାରତ ଓ ପାକିସ୍ତାନ ଏକାଠି ସ୍ୱାଧୀନ ହୋଇଥିଲେ ହେଁ ଉଭୟଙ୍କ ସ୍ଥିତି ପୂରା ଭିନ୍ନ। ତେଣୁ ଏହାକୁ ପାକିସ୍ତାନ ବୋଧେ ସହିପାରୁନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।