Advertisment

କିଟ୍ଟୀ ପାର୍ଟି କରି କୋଟି କୋଟି ଟଙ୍କାର ଠକେଇ, ମହିଳାଙ୍କୁ ବାନ୍ଧିଲା ପୁଲିସ

ସବିତାଙ୍କ ଚିକ୍କଣ କଥାରେ ଭାସି ଯାଇ ଲକ୍ଷ ଲକ୍ଷ ଟଙ୍କା ଦେଇ କାନ୍ଦୁଛନ୍ତି ୨୦ରୁ ଅଧିକ ମହିଳା।

author-image
Jitendra Garnayak
ଅଦ୍ୟତନ ହୋଇଛି
Sabita

Sabita

୪୯ ବର୍ଷୀୟା ସବିତା ବେଙ୍ଗାଲୁରୁରେ ରହନ୍ତି। ପ୍ରତିଦିନ ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଆନ୍ତି। ମର୍ଣ୍ଣିଂ ୱାକ୍‌ ବେଳେ ଧନୀ ମହିଳାମାନଙ୍କୁ ଚିହ୍ନଟ କରନ୍ତି। ସେମାନଙ୍କ ସହିତ ବନ୍ଧୁତା କରନ୍ତି। କିଛି ଦିନର ମିଳାମିଶା ପରେ ସେମାନଙ୍କୁ କିଟ୍ଟୀ ପାର୍ଟିକୁ ନିମନ୍ତ୍ରଣ କରନ୍ତି। ସେଠାରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିବେଶର ପ୍ରସ୍ତାବ ଦେଇ ଟଙ୍କା ଦୁଇ ଗୁଣା, ତିନି ଗୁଣା କରିବାକୁ ଲୋଭ ଦେଖାନ୍ତି। ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କର ବସାଉଠା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଓ ନେତାଙ୍କ ସହିତ ବୋଲି କହନ୍ତି। ଯେଉଁମାନେ ତାଙ୍କ ଦ୍ୱାରା ବିଛା ଯାଇଥିବା ଜାଲରେ ପଡ଼ିଯାଇଛନ୍ତି, ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯାଇଛି। ଏମିତି ଭାବେ ୨୦ରୁ ଅଧିକ ମହିଳାଙ୍କୁ ଫସାଇ କୋଟି କୋଟି ଟଙ୍କା ଲୁଟିଛନ୍ତି ସବିତା। କୁସୁମ ନାମ୍ନୀ ଜଣେ ମହିଳାଙ୍କ ଏତଲା ଆଧାରରେ ସବିତା ଓ ତାଙ୍କର ୬ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଅବଶ୍ୟ ସମାନ ଢଙ୍ଗର ଏକ ମାମଲାରେ ସେ ପୂର୍ବରୁ ଗିରଫ ହୋଇଥିଲେ ଓ ପରେ ଜାମିନ୍‌ରେ ଆସିଥିଲେ।

Advertisment

କୁସୁମ ଜଣେ ବିଧବା ମହିଳା। ସେ ଶିକ୍ଷୟିତ୍ରୀ ଭାବେ ଅବସର ନେଇଛନ୍ତି। ସେ ବେଙ୍ଗାଲୁରୁରେ ତାଙ୍କ ବାପାମା’ ଓ ପୁଅ ସହିତ ରହନ୍ତି। ସେ ସବିତାଙ୍କୁ ଗତ ୩୦ ବର୍ଷ ହେଲା ଜାଣିଛନ୍ତି। ୨୦୨୦ରୁ ସେମାନଙ୍କ ମଧ୍ୟରେ ଟଙ୍କା ନେଣଦେଣ ଚାଲିଥିଲା। ୨୦୨୩ରେ ଦିନେ କୁସୁମଙ୍କୁ ଫୋନ୍ କରିଥିଲେ ସବିତା ଓ ଦୁବାଇରେ କମ୍‌ ଦାମ୍‌ରେ ସୁନା ମିଳୁଥିବା କହିଥିଲେ। ଦୁବାଇରେ ତାଙ୍କ ସ୍ୱାମୀ ଚାକିରି କରନ୍ତି ବୋଲି ସେ ପୂର୍ବରୁ କୁସୁମଙ୍କୁ କହିଥିଲେ। ସୁନାରେ ୨ ବର୍ଷ ପାଇଁ ନିବେଶ କଲେ ତାଙ୍କ ଟଙ୍କା ୪ ଗୁଣା ହୋଇଯିବ ବୋଲି କୁସୁମଙ୍କୁ ଲୋଭ ଦେଖାଇଥିଲେ ସବିତା। ତାଙ୍କ କଥାରେ ଫସି କୁସୁମ ୨୪ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ। ସେହି ଟଙ୍କା ସେ ଓ ତାଙ୍କ ଦିବଂଗତ ସ୍ୱାମୀ ସଞ୍ଚୟ କରିଥିଲେ। ସେ ସବିତାଙ୍କୁ ଭାଗ ଭାଗ କରି ଏହି ଟଙ୍କା ଦେଇଥିଲେ। ୨.୨୫ ଲକ୍ଷ ଟଙ୍କା ସେ ସବିତାଙ୍କ ଭାଇଙ୍କ ଏକାଉଣ୍ଟକୁ ପଠାଇଥିଲେ। ସେହିଭଳି ସବିତାଙ୍କ ମା’ଙ୍କୁ ନଗଦ ୧୯.୮୫ ଲକ୍ଷ ଟଙ୍କା ଦେଇଥିଲେ। ବାକି ୧.୯ ଲକ୍ଷ ଟଙ୍କା ସେ ଫୋନ୍‌ ପେ’ରେ ସବିତାଙ୍କ ଝିଅ ବାଲ୍ମିକାଙ୍କ ପାଖକୁ ପଠାଇଥିଲେ।

ଏହା ଆରମ୍ଭ ମାତ୍ର ଥିଲା। ତା’ପରେ ଏକାଧିକ ବାର ନିବେଶ ଓ ଋଣ ନାଁରେ କୁସୁମଙ୍କ ଠାରୁ ଟଙ୍କା ନେଇଥିଲେ ସବିତା। କିନ୍ତୁ ଆଉ ଫେରାଇବାର ନାଁ ଧରି ନଥିଲେ।  

Advertisment

କୁସୁମ କହିଛନ୍ତି, ଗତ ବର୍ଷ ଜାନୁଆରୀ ୬ ତାରିଖରେ ସବିତା ମୋତେ ଫୋନ୍ କରିଥିଲେ। ସେ ଉଦୟ ଟିଭିରେ ନିବେଶ କରିଥିଲେ ଓ ଏବେ ତାଙ୍କୁ ଡବଲ ପଇସା ମିଳିଥିବା କହିଥିଲେ। ଏହା ସହିତ ଉଦୟ ଟିଭିରେ ୧୦ ଲକ୍ଷ ଟଙ୍କା ନିବେଶ କରିବାକୁ ମୋତେ କହିଥିଲେ। ସେଥିରୁ ଭଲ ଲାଭ ମିଳିବ ବୋଲି ପୂର୍ବବତ୍ ସେ ମୋତେ ଆଶ୍ୱାସନା ଦେଇଥିଲେ। ମୁଁ ତାଙ୍କ ଉପରେ ବିଶ୍ୱାସ କରି ୧୦ ଲକ୍ଷ ଟଙ୍କା ଦେଇଥିଲି। ତା’ପରବର୍ତ୍ତୀ କିଛି ମାସରେ କେତେବେଳେ ନିବେଶ ତ କେତେବେଳେ ତାଙ୍କ ଝିଅ ବାହାଘର ଓ କାର ଲୋନ୍‌ ସୁଝିବା ବାହାନା କରି ମୋ’ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ସବିତା।

ଗତ ଜୁନ ମାସରେ ସବିତାଙ୍କ ନିକଟକୁ ଯାଇଥିଲେ କୁସୁମ ଓ ତାଙ୍କର ମୋଟ ୯୫ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ସବିତା ତାଙ୍କୁ ସଫା ସଫା କହିଥିଲେ ଯେ କିଛି ଟଙ୍କା ମିଳିବନି। ତା’ସହିତ ଘରକୁ ଫେରିଯିବାକୁ ସେ କୁସୁମଙ୍କୁ କହିଥିଲେ।

କୁସୁମ ଅଭିଯୋଗ କରିଛନ୍ତି ଯେ ସବିତା ତାଙ୍କୁ କହିଥିଲେ ଯେ ସେ ଏମିତି ବହୁ ଲୋକଙ୍କଠାରୁ ଟଙ୍କା ନେଇଛନ୍ତି ଓ କେବେ ଫେରାଇ ନାହାନ୍ତି। ବହୁ ପ୍ରୟାସ ସତ୍ତ୍ୱେ ଟଙ୍କା ନ ମିଳିବାରୁ ଜୁଲାଇ ୮ ତାରିଖରେ କୁସୁମ ୭ ଜଣଙ୍କ ନାଁରେ ଏଫଆଇଆର ଦେଇଥିଲେ। ସବିତାଙ୍କ ସହିତ ପୁନିତ, ସତୀଶ, ବାଲ୍ମିକା, ଦର୍ଶନ, ଲୋକେଶ ଓ ଶ୍ରୀଧରଙ୍କ ନାଁରେ ଏତଲା ଦେଇଥିଲେ କୁସୁମ। ତାଙ୍କ ଏତଲା ଆଧାରରେ ବାସବେଶ୍ୱରନଗର ଥାନା ପୁଲିସ ତଦନ୍ତ କରିଥିଲା। ଏହା ପରେ ୨୦ରୁ ଅଧିକ ମହିଳାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗରେ ସବିତା ଓ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଏଭଳି ଏକ ମାମଲାରେ ଗୋବିନ୍ଦରାଜନଗର ପୁଲିସ ସବିତାଙ୍କୁ ଗିରଫ କରିଥିଲା। ତେବେ ସେ ଜାମିନ୍‌ ପାଇ ଜେଲରୁ ମୁକୁଳି ଥିଲେ। ତଥାପି ସେ ସୁଧୁରି ନଥିଲେ ଓ ସମାନ ଢଙ୍ଗରେ ମହିଳାଙ୍କୁ ଲୁଟିବା ଜାରି ରଖିଥିଲେ।