ହାରି ଯାଇନାହାନ୍ତି ହରି ମାଉସୀ, ୯୪ ବର୍ଷରେ ବି ଦୋକାନ କରି ପରିବାର ଚଳାଉଛନ୍ତି

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବୟସ ୯୪। ଚମ ଧୁଡ଼ୁଧୁଡ଼ୁ। ହେଲେ ଏ ପର୍ଯ୍ୟନ୍ତ ଦାନ୍ତ ରହିଛି ମଜଭୁତ। ଏ ବୟସରେ ବି ସେ ଖୁବ୍ ଚଳଚଞ୍ଚଳ। ରାସ୍ତା ପାର୍ଶ୍ୱରେ ଏକ ଛୋଟିଆ ପାନ ଦୋକାନ କରି ପୂରା ପରିବାରର ହନିଲାଭ ବୁଝନ୍ତି। ପୁଅମାନଙ୍କ ପରେ ନାତୁଣୀମାନଙ୍କର ମଧ୍ୟ ବିବାହ ଖର୍ଚ୍ଚ ତୁଲାଇ ଛନ୍ତି। ସମସ୍ତଙ୍କ ନିମନ୍ତେ ପ୍ରେରଣା ସାଜିଥିବା ଏହି ବୃଦ୍ଧା ଜଣକ ବାଲେଶ୍ୱର ସହର ମାଣିଖମ୍ବର ହରିପ୍ରିୟା ଦେ। ହରି ମାଉସୀ ଭାବେ ସେ ବେଶ ଜଣାଶୁଣା। […]

haramani

  • Published: Monday, 19 September 2022
  • , Updated: 20 September 2022, 11:26 AM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବୟସ ୯୪। ଚମ ଧୁଡ଼ୁଧୁଡ଼ୁ। ହେଲେ ଏ ପର୍ଯ୍ୟନ୍ତ ଦାନ୍ତ ରହିଛି ମଜଭୁତ। ଏ ବୟସରେ ବି ସେ ଖୁବ୍ ଚଳଚଞ୍ଚଳ। ରାସ୍ତା ପାର୍ଶ୍ୱରେ ଏକ ଛୋଟିଆ ପାନ ଦୋକାନ କରି ପୂରା ପରିବାରର ହନିଲାଭ ବୁଝନ୍ତି। ପୁଅମାନଙ୍କ ପରେ ନାତୁଣୀମାନଙ୍କର ମଧ୍ୟ ବିବାହ ଖର୍ଚ୍ଚ ତୁଲାଇ ଛନ୍ତି। ସମସ୍ତଙ୍କ ନିମନ୍ତେ ପ୍ରେରଣା ସାଜିଥିବା ଏହି ବୃଦ୍ଧା ଜଣକ ବାଲେଶ୍ୱର ସହର ମାଣିଖମ୍ବର ହରିପ୍ରିୟା ଦେ। ହରି ମାଉସୀ ଭାବେ ସେ ବେଶ ଜଣାଶୁଣା। ତାଙ୍କ କହିବା ମୁତାବକ, ହାତଗୋଡ଼ ସହିସଲାମତ ଥିବା ପର୍ଯ୍ୟନ୍ତ ସେ କାହା ଉପରେ ବୋଝ ହେବେନି। ପୁଅ, ବୋହୂ, ନାତୁଣୀମାନଙ୍କୁ ଆବଶ୍ୟକ ସାହାଯ୍ୟ କରି ଚାଲିଥିବେ।

ହରିପ୍ରୀୟା ଜୀବନର ସଂଘର୍ଷ କାହାଣୀ ଯେତିକି ହୃଦୟସ୍ପର୍ଶୀ, ସେତିକି ଦୁଃଖଦ। ଖୁବ୍ କମ୍ ବାୟସରେ ବାହା ହୋଇଥିଲେ। ୩ଟି ପୁଅ ହେବା ପରେ ହଠାତ୍ ସ୍ୱାମୀଙ୍କ ବିୟୋଗ ହେଲା। ଯାହା ଆଜକୁ ପ୍ରାୟ ୫୦ ବର୍ଷ ତଳେ ଘଟିଥିଲା। କୋଳରେ ଥିବା ତିନି ପୁଅଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ତେଣୁ ସେ ଏଣେତେଣେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଅଭାବୀ ଦୁନିଆରେ ଚଳିବା ସମ୍ଭବ ନ ହେବାରୁ ଦୁଇ ପୁଅଙ୍କୁ ବାଳାଶ୍ରମରେ ଛାଡ଼ିଥିଲେ। ହେଲେ ସାନ ରହିଲା, ମଝିଆ ଘରକୁ ଚାଲି ଆସିଲା।

ପୁଅମାନେ ଏବେ ବଡ଼ ହୋଇ ଛୋଟମୋଟ କାମଧନ୍ଦା କରୁଛନ୍ତି। ବାହାତୋଳା ହୋଇଛନ୍ତି। ହେଲେ ଦୁଃଖ ତଥାପି ଯାଇନି। ତିନି ପୁଅ ଭିତରୁ ବଡପୁଅ ଜଣେ କିଡ୍‌ନୀ ରୋଗୀ। ଦୁର୍ଘଟଣାରେ ବଡ ବୋହୂର ହାତ ଗୋଡ ଭାଙ୍ଗିଯିବାପରେ ସେ ଏକ ପ୍ରକାର ଅଚଳ। ମଝିଆ ପୁଅ ମ୍ୟୁନିସିପାଲିଟି ଅଫିସ୍‌ରେ ସିକୁରିଟି କାମ କରେ ଓ ଆଉ ସାନ ପୁଅ ଛୋଟିଆ ଫୁଲ ଦୋକାନ ଟିଏ କରି ଚଳୁଛି। ସେମାନଙ୍କୁ କୌଣସି ବେଳେ ନିଅଣ୍ଟ ପଡ଼ିଲେ ହରିପ୍ରୀୟା ସାହାରା ହୋଇ ଠିଆ ହୋଇଯାଆନ୍ତି। ଯଥାସାଧ୍ୟ ଆର୍ଥିକ ସାହାଯ୍ୟ ଯୋଗାଇ ଦିଅନ୍ତି।

ବାଲେଶ୍ୱର ସହରର ଟାଉନ ହଲ ପାଖରେ ଆଜକୁ ୩୮ ବର୍ଷ ହେବ ଛୋଟିଆ ପାନ ଦୋକାନ ଟିଏ ସେ କରିଛନ୍ତି। ଏଠାରୁ କେଉଁ ଦିନ ୫୦ ଟଙ୍କା ତ କେଉଁଦିନ ୧୦୦ ରୋଜଗାର ହୁଏ। ସେଥିରେ ପରିବାର ଚଳିବା ନିମନ୍ତେ ସଉଦା କିଣି ନେଇଥାନ୍ତି। ଅଳ୍ପ କିଛିକିଛି ସଞ୍ଚୟ କରି ଅସୁବିଧା ବେଳେ ତିନି ପୁଅଙ୍କୁ ସାହାଯ୍ୟ କରନ୍ତି। ନିକଟରେ ସାନ ପୁଅ ଦୁଇ ଝିଅଙ୍କ ବିବାହ ହୋଇଥିଲା। ସେ ଏଥିରେ ନିଜର ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ।

ସବୁଠାରୁ ବିଡମ୍ବନାର ବିଷୟ ତିନି ପୁଅଙ୍କୁ ଭାଗରେ ପଡିଥିବା ଘର ଯଥେଷ୍ଟ ନହେବାରୁ ସେ ଏକ ଜରି କୁଡ଼ିଆ କରି ରହୁଥିଲେ। ତାଙ୍କ ସଂପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ସ୍ଥାନୀୟ ବିଧାୟକ ଓ କଂଗ୍ରେସର ଜଣେ ନେତା ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ବିଧାୟକ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ତାହା ଏପର୍ଯ୍ୟନ୍ତ ଛାତ ପଡିପାରୁନି।

ଏହି ଦୁଃଖ ଭିତରେ ପ୍ରତିଦିନ ସେ ବଡ଼ି ଭୋରୁ ଉଠି ନିଜପାଇଁ ଭାତ, ତରକାରୀ ରାନ୍ଧି ଖାଇବା ପରେ ଦୋକାନକୁ ବାହାରି ଆସନ୍ତି। ଘର ଠାରୁ ଗୋଟାଏ କିଲୋମିଟର ଦୂର ଦୋକାନରେ ଚାଲିଚାଲି ପହଞ୍ଚିବା ପରେ ବ୍ୟବସାୟରେ ଲାଗି ପଡ଼ନ୍ତି। ରାତି ହେଲେ ଘରକୁ ଫେରିଆସି ପୁଣି ପରିବାର ଲୋକଙ୍କ ଭଲମନ୍ଦ ବୁଝିଥାନ୍ତି। ଆସିବା ବେଳେ ସାଙ୍ଗରେ ଆଣିଥିବା ଛେନା ଓ କ୍ଷୀରକୁ ପୁଅ, ବୋହୂଙ୍କୁ ବାଣ୍ଟି ନିଜେ ଖାଆନ୍ତି।

ଯେଉଁ ବୟସରେ ପୁଅ ବୋହୂମାନେ ତାଙ୍କର ସେବା କରିବା କଥା, ସେହି ବୟସରେ ସେ ପୂରା ପରିବାର ସେବା କରିଚାଲିଛନ୍ତି। ତାଙ୍କ ମତରେ ବୋହୂ ନୁହେଁ ଝିଅ। ପୁଅ ଓ ନାତୁଣୀମାନଙ୍କ ଦୁଃଖ ବେଳାରେ ସେ ଯଦି ସାହାଯ୍ୟ ନ କରିବେ, ତେବେ ଆଉ କିଏବା କାହିଁକି କରିବ।

ଏନେଇ ବିଧାୟକ ସ୍ୱରୂପ କୁମାର ଦାସ କହିଛନ୍ତି, ଯେଉଁମାନେ ଦୁଃଖ ସମୟରେ ଭାଙ୍ଗି ପଡ଼ୁଛନ୍ତି, ସେମାନେ ହରି ମାଉସୀଙ୍କ ଠାରୁ ଶିକ୍ଷା ନେବା ଉଚିତ। ଜୀବନରେ କେବେବି ଭାଙ୍ଗି ନ ପଡ଼ି ଜୀବନ ଯାତ୍ରାରେ ଆଗକୁ ବଢ଼ିବା ନିମନ୍ତେ କାମ କରିବା ଉଚିତ୍। ତେବେ ହିଁ ସମସ୍ତଙ୍କ ସହାଯ୍ୟ, ସହାନୁଭୂତି ସହ ଭଗବାନଙ୍କ ଆଶୀର୍ବାଦ ମିଳିବ। ହରି ମାଉସୀଙ୍କ ନିମନ୍ତେ ପକ୍କାଘର କାମ ଚାଲିଛି। ଖୁବଶୀଘ୍ର ଘର କାମ ସରିବା ପରେ, ଏଠାରେ ସେ ରହିବେ ବୋଲି ଶ୍ରୀ ଦାସ କହିଛନ୍ତି।

Related story