Advertisment

ମାମୁ ସହ ଫୋନ୍‌ରେ କଥା ହେଉଥିଲା ଭଣଜା, ଓଲଟପାଲଟ ହୋଇଗଲା ଦୁନିଆ

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତଙ୍କ ଭିତରେ ରହିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡା ପାଳ ଗାଁର ମୁକ୍ତିକାନ୍ତ ରାଉଳ। ତାଙ୍କୁ ହରାଇଥିବା ପରିବାର ଲୋକେ ବାହୁନିବାହୁନି କାନ୍ଦୁଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
family is devastated by the loss of their son

family is devastated by the loss of their son

ଶନିବାର, ରବିବାର ଛୁଟିଥିଲା। ତେଣୁ ଭଦ୍ରକ ପୋଷ୍ଟ ଅଫିସ୍‌ରେ ଚାକିରି କରୁଥିବା ପୁଅ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପାଳ ଗାଁକୁ ଫେରୁଥିଲା। ଡ୍ରାଇଭିଂ ଲାଇସେନ୍ସ ବାହାର କରିବା ନିମନ୍ତେ ଟେଷ୍ଟ ଦେବା ସହ ଦୁଇଦିନ ପରିବାର ସହ ବିତାଇବା ପରେ ପୁଣି କର୍ମସ୍ଥଳକୁ ଫେରିଯିବା ଲକ୍ଷ୍ୟ ରହିଥିଲା। ଟ୍ରେନ୍‌ରେ ଘରକୁ ଫେରୁଥିବା ନେଇ ମା’ଙ୍କୁ ମଧ୍ୟ ଫୋନ୍‌ କରି ଜଣାଇଥିଲା। ପୁଅ ଫେରୁଥିବା ଜାଣି ମା’ ଖୁସି ହୋଇଯାଇଥିଲେ।ପୁଅ ଟ୍ରେନ୍‌ରେ ବସିବା ପରେ ମାମୁଙ୍କୁ ଫୋନ୍ କରିଥିଲା। ମାମୁଁ ସହ ଫୋନ୍‌ରେ କଥା ହେଉଥିବା ବେଳେ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ଟ୍ରେନ୍‌ ଆସୁଥିବା ଭଣଜାର କ’ଣ ହେଲା, ଏହା ଜାଣିବା ପୂର୍ବରୁ ତା’ର ଫୋନ୍ କଟିଗଲା। ଆଉ ଯେତେ ଫୋନ୍‌ କଲେ ଯୋଗାଯୋଗ ହୋଇପାରି ନ ଥିଲା। ୩ଟି ଯାକ ଫୋନ୍ ନମ୍ବର ସୁଇଚ୍ ଅଫ୍ ଆସିଥିଲା। ଯାହାପରେ ଚିନ୍ତାରେ ପଡ଼ି ଯାଇଥିଲେ ମାମୁ। କ’ଣ ହେଲା ? ବୁଝୁବୁଝୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଆଜି ସକାଳୁ ଜଣାପଡ଼ିଥିଲା ଭଣଜା ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲି।

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତଙ୍କ ଭିତରେ ରହିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପାଳ ଗାଁର ମୁକ୍ତିକାନ୍ତ ରାଉଳ। ତାଙ୍କୁ ହରାଇଥିବା ପରିବାର ଲୋକେ ବାହୁନିବାହୁନି କାନ୍ଦୁଛନ୍ତି। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ତାହାର ଭଲଗୁଣକୁ ଝୁରି ହେଉଛନ୍ତି। ଘଟଣା କିପରି ଘଟିଲା ପ୍ରକାଶ କରୁଛନ୍ତି।

Muktikanta rahulaମୁକ୍ତିକାନ୍ତ ରାଉଳ।(ଫାଇଲ୍ ଫଟୋ)

ଖୁଡି ଅପର୍ଣ୍ଣା ରାଉଳ କହିଛନ୍ତି, ବାପାଙ୍କୁ ହରାଇ ଥିଲେ ହେଁ ମୁକ୍ତିକାନ୍ତ ପିଲାଟି ଦିନରୁ ଭଲ ପାଠ ପଢ଼ନ୍ତି। ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀ ହାସଲ କରୁଥିଲେ। ଏଏମ୍‌ଏସି ପଢ଼ା ସରିବା ପରେ ଗତ ବର୍ଷ ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ। ସେ ଗତକାଲି ଯଶବନ୍ତପୁର ହାୱାଡା ଏକ୍ସପ୍ରେସରେ ଭଦ୍ରକରୁ ବାଲେଶ୍ୱର ଆସୁଥିଲେ। ବାଲେଶ୍ୱର ଆରଟିଓ ଅଫିସରେ ଡ୍ରାଇଭିଂ ଟେଷ୍ଟ ଦେବା ପରେ ଘରେ ପହଞ୍ଚି ଦୁଇଦିନ ମା’ଙ୍କ ସହ ବିତାଇ ଥାଆନ୍ତେ। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳକୁ ବାହାରି ଯାଇଥିଲେ। ପୁଅ କେଉଁଠି ଅଛି ଘଟଣାସ୍ଥଳ ଠାରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଖୋଜାଖୋଜି କରିଥିଲେ। ରାତି ତମାମ ବହୁ ଖୋଜାଖୋଜି କରିବା ପରେ ସକାଳ ୯ଟା ସମୟରେ ପୁଅର ମୃତଦେହକୁ ରେମୁଣା ହାସ୍ପିଟାଲରୁ ଠାବ କରିଥିଲେ।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Train Accident