ବିଜେଡିର ମନେପଡ଼ିଲା ମହିଳା ସଂରକ୍ଷଣ ପ୍ରସଙ୍ଗ, ସଂସଦରେ ଉଠାଇବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ପୁଣିଥରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିଛି । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ବିଜେଡି ପକ୍ଷରୁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକତୃତୀୟାଂଶ ସଂରକ୍ଷଣ ଦେବା ପ୍ରସଙ୍ଗକୁ ଉଠାଇବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି […]

cm

  • Published: Tuesday, 06 December 2022
  • , Updated: 06 December 2022, 09:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ପୁଣିଥରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିଛି । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ବିଜେଡି ପକ୍ଷରୁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକତୃତୀୟାଂଶ ସଂରକ୍ଷଣ ଦେବା ପ୍ରସଙ୍ଗକୁ ଉଠାଇବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତି । ଏହା ବିଜେଡିର ପୁରୁଣା ଦାବି । ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉଠାଇ ବିଲ୍ ପାସ୍ କରାଇବା ପାଇଁ ଦାବି ରଖିବ । ସେହିପରି ଅନୁସୂଚିତ ଜନଜାତି ବର୍ଗରେ ସାମିଲ ହେବା ସଂକ୍ରାନ୍ତ ବିଲ୍ ଆଗାମୀ ଅଧିବେଶନରେ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ସେଥିରେ ଆମ ଓଡ଼ିଶାର ଦାବି ମୁତାବକ ଜାତିଗୁଡ଼ିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । ବିଲ୍ କପି ଆମକୁ ମିଳିନି । ଅଧିବେଶନ ସମୟରେ ମିଳିଲେ ସେଥିରେ ଓଡ଼ିଶାର ଦାବିକୁ ସାମିଲ କରାଯାଇଛି କି ନାହିଁ ତାହା ଜଣାପଡ଼ିବ।

ସେହିପରି ଏବେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନ୍ୟାୟପାଳିକ ଓ ସରକାର ମୁହାଁମୁହିଁ ହେବାକୁ ବିଜେଡି ନାପସନ୍ଦ କରୁଛି । ଦଳ ସ୍ପଷ୍ଟ କରିଛି ଯେ, ନ୍ୟାୟପାଳିକାର ଗାରିମା ରହିବା ଉଚିତ୍ । ନ୍ୟାୟପାଳିକା ସହ ମୁହାଁମୁହିଁ ଆଦୌ ଗ୍ରହଣୀୟ କି ଶୋଭନୀୟ ନୁହେଁ । ଯଦି ନ୍ୟାୟପାଳିକାର କଥାକୁ ସରକାର ନମାନିବେ, ତା’ହେଲେ କୋର୍ଟଙ୍କ ରାୟକୁ ସାଧାରଣ ଲୋକେ କିଭଳି ପାଳନ କରିବେ । ତେଣୁ କଲେଜିୟମ ବାହାରେ ଆଉ ଏକ ଜୁଡିସିଆଲ କମିଶନ ଗଠନ ହେଉ, ଯିଏକି କଲେଜିୟମକୁ ବାଦ୍ ଦେଇ ବିଚାରପତିଙ୍କ ନିଯୁକ୍ତି କରିବେ । ଆଇନରେ ସଂଶୋଧନ ହେବା ପର୍ଯ୍ୟନ୍ତ ଏଭଳି ବନ୍ଦୋବସ୍ତ ହେଉ । କିନ୍ତୁ ସରକାର ଓ ସୁପ୍ରିମକୋର୍ଟ ମୁହାଁମୁହିଁ ହେବା ଯୋଗୁ ସୁସ୍ଥ ପରମ୍ପରା ରହୁନି । ସେଥିପାଇଁ ଏବେ ହାଇକୋର୍ଟଗୁଡ଼ିକରେ ପ୍ରାୟ ୩୦ ପ୍ରତିଶତ ବିଚାରପତି ପଦ ଖାଲି ପଡ଼ିଛି ଓ ୫୦-୭୦ବର୍ଷ ପୁରୁଣା କେସ୍ ଗୁଡ଼ିକ ପଡ଼ି ରହିଛି । ତେଣୁ ଏହି ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉତଥାପନ କରିବ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଦ୍ୱାରା ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟସ୍ତରରେ ପ୍ରୟାସ ଆରମ୍ଭ ହୋଇଥିଲା । ବିଜେଡି ନିଜର ନେତାମାନଙ୍କୁ ପଠାଇ ସବୁ ଦଳଗୁଡ଼ିକର ସମର୍ଥନ ଲୋଡ଼ି ସଂସଦରେ ବିଲ୍ ପାଶ୍ ନିମନ୍ତେ ଉଦ୍ୟମ କରିଥିଲା । ଏପରିକି ଦଳ ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ନିର୍ବାଚନ ସରିବା ପରେ ବିଜେଡି ଏହି ପ୍ରସଙ୍ଗକୁ ଭୁଲି ଯାଇଥିଲା, କିନ୍ତୁ ଗତବର୍ଷ ଦଳ ପକ୍ଷରୁ ପୁଣିଥରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ମୁଖ୍ୟ ଏଜେଣ୍ଡା କରାଯାଇଛି ।

Related story