ଭୁବନେଶ୍ୱରରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ, ମୁଖ୍ୟମନ୍ତ୍ରୀ ଯିବେନି କଟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର କଟକ ନଯାଇ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ

ଜାତୀୟ ପତାକା

Ordigital Desk
  • Published: Friday, 20 January 2023
  • , Updated: 20 January 2023, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁୟାରୀ ୨୬ରେ ରାଜ୍ୟସ୍ତରୀୟ  ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ରାଜ୍ୟର ୨୦ଜଣ ମନ୍ତ୍ରୀ ସେମାନଙ୍କୁ ଆଂବଟିତ ଜିଲ୍ଲା ଏବଂ ୧୦ଜଣ ଜିଲ୍ଲାପାଳ ନିଜ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତଥର ବି କଟକ ନଯାଇ ଭୁବନେଶ୍ୱରର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ ବୋଲି ଜଣାପଡ଼ିଛି । ଏହି ରାଜ୍ୟସ୍ତରୀୟ ସମାରୋହ ପାଇଁ ୨୨ତାରିଖରୁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଆରମ୍ଭ ହେବ ।

ସୂଚନା ଅନୁସାରେ, ଚଳିତଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଗାନ୍ଧି ମାର୍ଗ(ପିଏମଜିରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତା)ରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଉପସ୍ଥିତ ରହିବେ । ପୂର୍ବରୁ ସାଧାରଣତନ୍ତ୍ର ଦିବସ ସମାରୋହରେ କଟକରେ ପତାକା ଉତ୍ତୋଳନ ମୁଖ୍ୟମନ୍ତ୍ରୀ କରିବାର ନଜିର ରହିଥିଲା । ଗତ କିଛିବର୍ଷ ଧରି ଏହି ପରମ୍ପରାକୁ ଭଙ୍ଗ କରାଯାଇଛି ।

ଅନ୍ୟପକ୍ଷରେ ୨୦ଟି ଜିଲ୍ଲାରେ ମନ୍ତ୍ରୀ, ୧୦ଟି ଜିଲ୍ଲାରେ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ପତାକା ଉତ୍ତୋଳନ କରିବେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ-କଟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ଗଞ୍ଜାମ, ଅତନୁ ସବ୍ୟସାଚୀ ନାୟକ-ଢେଙ୍କାନାଳ, ନବ କିଶୋର ଦାସ-କଳାହାଣ୍ଡି, ଜଗନ୍ନାଥ ସାରକା-ଗଜପତି, ପ୍ରଦୀପ ଅମାତ-ସୋନପୁର, ପ୍ରମିଳା ମଲ୍ଲିକ-ଜଗତସିଂହପୁର, ଉଷା ଦେବୀ-କେନ୍ଦୁଝର, ପ୍ରଫୁଲ୍ଲ ମଲ୍ଲିକ-କେନ୍ଦ୍ରାପଡ଼ା, ପ୍ରତାପ ଦେବ-ପୁରୀ, ଟୁକୁନି ସାହୁ-ମାଲକାନଗିରି, ଅଶୋକ ପଣ୍ଡା-ମୟୂରଭଞ୍ଜ, ରାଜେନ୍ଦ୍ର ଢ଼ୋଲକିଆ-ବରଗଡ଼, ସମୀର ରଞ୍ଜନ ଦାଶ-ବାଲେଶ୍ୱର, ଶ୍ରୀକାନ୍ତ ସାହୁ-କନ୍ଧମାଳ, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ରୀତା ସାହୁ-ସମ୍ବଲପୁର, ବାସନ୍ତୀ ହେମ୍ବ୍ରମ-ଦେବଗଡ଼, ତୁଷାରକାନ୍ତି ବେହେରା-କୋରାପୁଟ ଓ ରୋହିତ ପୂଜାରୀ-ବଲାଙ୍ଗିରରେ ପତାକା ଉତ୍ତୋଳନ କରିବେ । ବ୍ରହ୍ମପୁରରେ ଦକ୍ଷିଣାଂଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଂଚଳ ଆରଡିସି ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ୨୨ ଓ ୨୩ତାରିଖ ଅପରାହ୍ନ ୨ଟାରୁ ସାଢ଼େ ୫ଟା ଏବଂ ୨୪ ତାରିଖ ସକାଳ ୭ଟାରୁ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ । ସେହିପରି  ୨୬ତାରିଖ ସକାଳ ସାଢ଼େ ୬ଟାରୁ ପରେଡ ସରିବା ପର୍ଯ୍ୟନ୍ତ ରାମମନ୍ଦିର ଛକଠୁ ରାଜମହଲ ଛକ ପର୍ଯ୍ୟନ୍ତ, ହାଉସିଂ ବୋର୍ଡ ଛକଠୁ ରବିନ୍ଦ୍ର ମଣ୍ଡପ ଛକ, ଏଜି ଛକରୁ ପିଏମଜି ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ଜଣାପଡ଼ିଛି ।

Related story