/odisha-reporter/media/post_attachments/uploads/2015/04/odisha.jpg)
odisha
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ୨୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା ଯେ କ୍ରୀଡ଼ାବିତଙ୍କୁ ପୋଲିସ୍ ବିଭାଗରେ ନିଯୁକ୍ତି ଦିଆଯିବ। ଅଲିମ୍ପିକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ଡିଏସପି ପାହ୍ୟା ପଦବୀରେ ନିଯୁକ୍ତି ଦିଆଯିବ।
ସେହିପରି ଆଳୁ ସଂରକ୍ଷଣ ପାଇଁ ସରକାର ୨୬୭ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟରେ ଆଳୁ ସଂକଟକୁ ଆଖି ଆଗରେ ରଖି ଗଢ଼ା ଯାଇଥିବା ପୋଟାଟୋ ମିସନ ଅଧୀନରେ ଏ ଅର୍ଥ ଖର୍ଚ୍ଚ ହେବ। ଏ ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ଲାଗିଛି। ଆଳୁ ସଂରକ୍ଷଣ ପାଇଁ ସରକାର ପ୍ରତିଷ୍ଠା କରିବେ ୧୧୨ଟି ଶୀତଳ ଭଣ୍ଡାର। ଏଥିପାଇଁ ଖର୍ଚ୍ଚ ହେବ ୨୦୫ କୋଟି ଟଙ୍କା । ଶୀତଳ ଭଣ୍ଡାର ଗୁଡ଼ିକର ବିଦୁ୍ୟତ ସବସିଡି ବାବଦକୁ ଆଉ ୬୨ କୋଟି ଟଙ୍କା ଖର୍ଚ୍ଚ ହେବ।
ମଞ୍ଜୁରୀ ମିଳିଥିବା ଅନ୍ୟ ପ୍ରସ୍ତାବଗୁଡ଼ିକ ହେଲା ସମ୍ବଲପୁରରେ ଡଫଲର ରାଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗକୁ ରାଜ୍ୟ ସରକାର ୩ ଏକର ଜମି ଯୋଗାଇ ଦେବେ। ଏହା ବ୍ୟତୀତ ୩ଟି କମିଶନର ତଦନ୍ତ ରିପୋର୍ଟକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏଗୁଡ଼ିକ ହେଲା- ବଲାଙ୍ଗୀର ଛାତ୍ର ମୃତୁ୍ୟ, ରାଉରକେଲା ବିଚାରପତିଙ୍କୁ ଦୁର୍ବ୍ୟବହାର ଓ ଚମ୍ପୁଆ ଥାନା ସମ୍ମୁଖ ପୁଲିସ ଗୁଳିକାଣ୍ଡ ତଦନ୍ତ ରିପୋର୍ଟ । ଏଗୁଡ଼ିକୁ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ କ୍ୟାବିନେଟ୍ ମୋହର ଲାଗିଛି। ନୂଆ ବିଭାଗ ଭିନ୍ନକ୍ଷମକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।
ନବକଳେବରକୁ ଦୃଷ୍ଟିରେ ରଖି ପୁରୀରେ ନିର୍ମାଣ କରାଯିବ କମୁ୍ୟନିଟି ଟଏଲେଟ । ସୁଲଭ ଇଣ୍ଟରନ୍ୟାସନାଲ ସର୍ଭିସ ଜରିଆରେ ୧୫ଟି ଟଏଲେଟ କଂପ୍ଲେକ୍ସ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅନୁଦାନ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଅନୁଦାନ ପାଇଁ ସର୍ବନିମ୍ନ ଛାତ୍ରଛାତ୍ରୀ ସଂଖ୍ୟାରେ ସଂଶୋଧନକୁ ବି ଅନୁମୋଦନ କରାଯାଇଛି। ଏହା ସହିତ ଜଳ ସଂପଦ ବିଭାଗ ଆସିଷ୍ଟାଣ୍ଟ ଇଂଜିନିୟର ପରୀକ୍ଷା ଦେବା ପାଇଁ ବୟସ ସୀମା ୪୫କୁ ବଢ଼ା ଯାଇଛି।
ବେସରକାରୀ ଜମି ତଳେ ପାଇପ୍ ଲାଇନ୍ ବିଛାଇବା ଅଧିକାର ପାଇଁ ସରକାର ଏକ ବିଧେୟକ ପ୍ରସ୍ତୁତ କରିବେ। ପାଇପ୍ ବିଛା ସରିବା ପରେ କିଛି ସର୍ତ୍ତ ସହ ଚାଷୀ ଜମିକୁ ପୁଣି ବ୍ୟବହାର କରିପାରିବେ।
ସେହିପରି ଗେଜେଟେଡ୍ ଅଧିକାରୀ କିମ୍ବା ସେମାନଙ୍କ ସଂପର୍କୀୟ ନାଁରେ ୪ ହଜାରରୁ ଅଧିକ ଟଙ୍କାର ଅସ୍ଥାବର ସଂପତ୍ତି ଓ ଅଣଗେଜେଟେଡ କର୍ମଚାରୀ ୨ ହଜାର ଟଙ୍କାରୁ ଅଧିକ ଅସ୍ଥାବର ସଂପତ୍ତି ରଖିଥିଲେ, ବିହିତ ଅଧିକାରୀଙ୍କୁ ଜଣାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
