Advertisment

ଆମେରିକା ଶୁଣିବ କୋରାପୁଟ ବୈଦ୍ୟର କଥା

ହରି ପାଙ୍ଗି ଡଳିଆମ୍ବଠାରେ ଗୁପ୍ତେଶ୍ୱର ଚେରମୂଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ପ୍ରୋସେସିଂ କରି ଔଷଧ ତିଆରି କରୁଛନ୍ତି।

author-image
Manoranjan Sial
Hari

Hari

ଯୁକ୍ତରାଷ୍ଟ୍ର ଆମେରିକା ଯିବେ କୋରାପୁଟର ବୈଦ୍ୟ ହରି ପାଙ୍ଗି। ୱାସିଂଟନ୍‌ରେ ଆୟୋଜିତ ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରସିପ୍‌ କାର୍ଯ୍ୟକ୍ରମରେ ସେ ଯୋଗଦେବ। ପରିବେଶର ପରିବର୍ତ୍ତନ ଓ ଏହାର କାରଣ ଉପରେ ସେ ଅଭିଭାଷଣ ଦେବେ। ଆମେରିକା ସମେତ ପୂରା ବିଶ୍ୱ ଶୁଣିବ ବୈଦ୍ୟ ହରି ପାଙ୍ଗିଙ୍କ କଥା।

Advertisment

ସେମିଲିଗୁଡା ବ୍ଳକ୍ ତେନ୍ତୁଳିଗୁଡା ଗାଁର ହରି ପାଙ୍ଗି। ଅଷ୍ଟମ ପାଠ ପଢ଼ିଛନ୍ତି। ବାପାଙ୍କ ପେଶାକୁ ସେ ଆପଣାଇ ନେଇଛନ୍ତି। ଆଉ ସେ ପାଲଟି ଯାଇଛନ୍ତି ଜଣେ ପୋଖତ ବୈଦ୍ୟ। ନିଜ ଗାଁରେ ସେ ଖୋଲିଛନ୍ତି ଆୟୁର୍ବେଦିକ ଡାକ୍ତରଖାନା। ତାଙ୍କ ପାଖକୁ ଦୂରଦୂରାନ୍ତରୁ ଆସୁଛନ୍ତି ବହୁ ପୂରାତନ ରୋଗୀ। ମିଳିଥିବା ସୂଚନା ଅନୁସାରେ ବୈଦ୍ୟ ହରି ପାଙ୍ଗିଙ୍କ ପାଖକୁ ଚିକିତ୍ସା ପାଇଁ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରୁ ବହୁ ରୋଗୀ ଆସୁଛନ୍ତି। ରୋଗ ଦେଖି ପଥି ଦେଉଛନ୍ତି ହରି। ରୋଗ ଭଲ ହେଉଛି।

ବୈଦ୍ୟ ହରି ପାଙ୍ଗି ଡଳିଆମ୍ବଠାରେ ଗୁପ୍ତେଶ୍ୱର ଚେରମୂଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ପ୍ରୋସେସିଂ କରି ଔଷଧ ତିଆରି କରୁଛନ୍ତି। ହାର୍ଟ ଆଟାକ, ବ୍ଲଡ୍‌ ପ୍ରେସର, ସିକଲସେଲ୍‌ ସ୍ନାୟୁ ରୋଗ, ମହିଳାଙ୍କ ଋତୁସ୍ରାବ ସମସ୍ୟା, ଥାଇରଏଡ୍‌, କିଡନୀ ସମସ୍ୟା ଭଳି ୧୦୫ ପ୍ରକାର ରୋଗ ସେ ଔଷଧ ଦେଉଛନ୍ତି। ସେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗୁଜରାଟରେ ଆୟୋଜିତ କର୍ମଶାଳାରେ ଯୋଗଦେଇଥିଲେ। କୋରାପୁଟ ଅଞ୍ଚଳରେ ଥିବା ଔଷଧିୟ ବୃକ୍ଷ ଓ ଗୁଳ୍ମ ଲତା ଉପରେ ସେ କର୍ମଶାଳାରେ ତଥ୍ୟ ଉପସ୍ଥାପନ ରଖି ରାଜ୍ୟ ପାଇଁ ଗୌରବ ଆଣିଥିଲେ।

Advertisment

ବୈଦ୍ୟ ହରି ପାଙ୍ଗିଙ୍କ ଜୀବନ ଚର୍ଯ୍ୟା ସକାଳେ ଆରମ୍ଭ ହୋଇଥାଏ। ସେ ସକାଳୁ ଉଠି ଗାଧୋଇ ସୂର୍ଯ୍ୟପୂଜା କରି ନିଜ ଗାଁରେ ପାରମ୍ପରିକ ନିଶାଣି ମୁଣ୍ଡାରେ ମୁଣ୍ଡିଆଟିଏ ମାରି ହାତରେ ବ୍ୟାଗ ଧରି ଘଞ୍ଚ ଜଙ୍ଗଲକୁ ବାହାରି ଯାଆନ୍ତି। ଜଙ୍ଗଲରେ ଏ କୋଣରୁ ସେ କୋଣ ଘୂରି ବୁଲନ୍ତି। ଘଞ୍ଚ ଜଙ୍ଗଲରୁ ଚେରମୂଳି, କନ୍ଦ, ପତ୍ର, ଫୁଲ ଓ ଫଳ ସଂଗ୍ରହ କରନ୍ତି। ସେ ଆଜି ପର୍ଯ୍ୟନ୍ତ ୪୫୦ ପ୍ରକାର ଚେରମୂଳି ସଂଗ୍ରହ କରିଛନ୍ତି।

ଆୟୂର୍ବେଦ ଔଷଧକୁ ନେଇ ଚର୍ଚ୍ଚାରେ ଥିବା ହରି ପାଙ୍ଗି ଏବେ ସମସ୍ତଙ୍କ ମୁହଁରେ। ସେ ମାର୍ଚ୍ଚ ମାସରେ ଆମେରିକା ଯିବେ। ୱାସିଂଟନ୍‌ରେ ଆୟୋଜିତ କର୍ମଶାଳାରେ ସେ ଯୋଗଦେବେ। ଆଉ ବିଶ୍ୱ ଦରବାର ଆଗରେ କୋରାପୁଟର ଆୟୁର୍ବେଦିକ ଔଷଧ ଓ ପରିବେଶ ସନ୍ତୁଳନ ଉପରେ ଭାଷଣ ଦେବେ। ସେଥିପାଇଁ ତାଙ୍କ ପାଖକୁ ପାସପୋର୍ଟ ଓ ଭିସା ଆସିଛି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି।

ରିପୋର୍ଟ-କୋରାପୁଟ ସୂର୍ଯ୍ୟନାରାୟଣ ପଣ୍ଡା

Koraput