/odisha-reporter/media/post_attachments/uploads/2021/07/Biranchi-1.jpg)
Accused
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ(ଓଏସଏସସି)ଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବିରଂଚି ନାରାୟଣ ସାହୁଙ୍କୁ ରାଜ୍ୟ ସରକାର ଆଜି ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ପରେ ଏବେ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଉପରେ ଡେମୋକ୍ଲିସ୍ ଖଡଗ ଝୁଲିଛି। ତାଙ୍କ ଅଫିସରେ କାର୍ଯ୍ୟରତ ପିଏସ୍ ଶ୍ରୀ ସାହୁ ଏତେ ପରିମାଣର ଅର୍ଥ ଠୁଳ କରିବା ଓ ଏନେଇ ଶ୍ରୀ ମିଶ୍ର ଦୀର୍ଘ ୨ବର୍ଷ ଧରି କିଛି ବି ଟେର ନପାଇବାର ଯୁକ୍ତିକୁ ଭିଜିଲାନ୍ସ ଗ୍ରହଣ କରିବାକୁ ନାରାଜ ଥିବାବେଳେ ରାଜ୍ୟ ସରକାର ମଧ୍ୟ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଏହି ପଦବୀରୁ ହଟାଇ ପାରନ୍ତି ବୋଲି ଜଣାପଡ଼ିଛି।
ସୂଚନାନୁସାରେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସରକାରଙ୍କ ଆସ୍ଥାଭାଜନ ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ମିଶ୍ରଙ୍କୁ ପୁରସ୍କାର ସ୍ୱରୂପ ୨୦୧୯ ସେପ୍ଟେମ୍ବର ମାସରେ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ୨୦୨୦ ସେପ୍ଟେମ୍ବରୁ ୨୦୨୧ ଜୁଲାଇ ମାସ ମଧ୍ୟରେ ପ୍ରାୟ ୪୫ଟି ପ୍ରତିଯୋଗିତା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଶ୍ରୀ ମିଶ୍ର କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ସହଯୋଗ ପାଇଁ ୫ଜଣ ଓଏଏସ୍ ଓ ଜଣେ ଓଏଫଏସ୍ ଅଫିସର ମଧ୍ୟ ସେଠାରେ ନିୟୋଜିତ ଅଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବ୍ୟକ୍ତିଗତ ସଚିବ(ପିଏସ) ବିରଂଚି ନାରାୟଣ ସାହୁ ଓ ଅନ୍ୟ ଜଣେ ଅଧିକାରୀଙ୍କ ଭୂମିକା ସର୍ବଦା ସନ୍ଦେହଘେରରେ ରହିଥିଲା। ବିଭିନ୍ନ ସମୟରେ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ କମିଶନଙ୍କ କାର୍ଯ୍ୟାଳୟ ଏଥିପ୍ରତି ଗୁରୁତ୍ୱ ଦେଇନଥାଏ ବୋଲି ଚର୍ଚ୍ଚା ହେଉଛି। ଏପଟେ ଷ୍ଟାଫ ସିଲେକ୍ସନ୍ ଦ୍ୱାରା ହେଉଥିବା ପରୀକ୍ଷାରେ କାହାରି ହସ୍ତକ୍ଷେପ ସମ୍ଭବପର ନୁହେଁ କିମ୍ବା କେହି ପରୀକ୍ଷା ଫଳକୁ ପ୍ରଭାବିତ କରିପାରିବେ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ଯୁକ୍ତି ଦର୍ଶାଉଥିଲେ ମଧ୍ୟ ଶ୍ରୀ ସାହୁ ଏତେ ପରିମାଣର ଅର୍ଥ କେଉଁଠୁ ଆଣିଲେ,ତା’ର ସେ ଯୁକ୍ତିଯୁକ୍ତ ଜବାବ ରଖିବାରେ ସକ୍ଷମ ହୋଇନାହାନ୍ତି ଓ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।
ସୂଚନା ଅନୁସାରେ, ଭିଜିଲାନ୍ସ ଅଧିକାରୀମାନେ ଏବେ ଶ୍ରୀ ସାହୁଙ୍କୁ ଜେରା କରିବା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେମାନଙ୍କ ଦୃଷ୍ଟିକୁ ଆସିଛି। ଶ୍ରୀ ସାହୁଙ୍କଠୁ ଜବତ ହୋଇଥିବା ସମ୍ପତ୍ତି ହିଁ ପରୋକ୍ଷରେ କମିଶନଙ୍କ କାର୍ଯ୍ୟାଳୟର ଜାଣତରେ ସେ କୋଟିକୋଟି ଟଙ୍କା ବେଆଇନ ଭାବେ ଉପାର୍ଜନ କରୁଥିବା ସ୍ପଷ୍ଟ ହୋଇଛି। କମିଶନଙ୍କ କାର୍ଯ୍ୟାଳୟରେ ସମସ୍ତେ ସବୁକିଛି ଜାଣୁଥିଲେ ମଧ୍ୟ ଚୁପ୍ ରହୁଥିଲେ। ଏତେ ଦିନ ଧରି ଶ୍ରୀ ସାହୁ ଖୋଲାଖୋଲି ଭାବେ ଅର୍ଥ ଆଦାୟରେ ଲିପ୍ତ ଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ ଉପରିସ୍ତ ଅଧିକାରୀମାନେ ଅଭିଯୋଗ କରିନଥିଲେ ତାହା ଭିଜିଲାନ୍ସକୁ ଏବେ ଚକିତ କରିଛି।
କମିଶନଙ୍କ ଦ୍ୱାରା ପ୍ରକାଶିତ ପରୀକ୍ଷା ଫଳର ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ଗଣମାଧ୍ୟମ ଆଗରେ ଯେତେ ସଫେଇ ଦେଲେ ମଧ୍ୟ ବିଫଳ ହୋଇଥିବା ଚାକିରି ଆଶାୟୀମାନେ ଏବେ କଡ଼ା ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଖୋଲାଖୋଲି ଭାବେ ସେମାନଙ୍କୁ ଲାଂଚ ମଗାଯାଇଥିବା ନେଇ ଗଣମାଧ୍ୟମ ଆଗରେ ଦାବି କରିବାକୁ ପଛାଇ ନାହାନ୍ତି। ଯାହାକି ଷ୍ଟାଫ ସିଲେକ୍ସନ କମିଶନଙ୍କ ବିଶ୍ୱସନୀୟତା ଉପରେ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ‘ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ’ ଉପରେ ଏହି କଳାଦାଗକୁ ଲିଭାଇବାକୁ ମଧ୍ୟ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇ କହିଛନ୍ତି ଯେ, କମିଶନ ଅଧ୍ୟକ୍ଷଙ୍କ ଭୂମିକାକୁ ଏଡ଼ାଇ ଦିଆଯିବା ସମ୍ଭବପର ନୁହେଁ। କମିଶନ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଜଣାଇ ଦିଆଯାଇଛି । ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ଏହାସହିତ ଏବେ କମିଶନରେ କାର୍ଯ୍ୟରତ ଅନ୍ୟ ଅଧିକାରୀମାନଙ୍କ ଭୂମିକାକୁ ଭିଜିଲାନ୍ସ ସ୍କାନରରେ ରଖିଛି। ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଉପରେ ଗୁରୁତ୍ୱ ଦେଉଥିବା ତୃତୀୟ ମହଲା, ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଚାକିରି ଆଶାୟୀଙ୍କ ଆକ୍ରୋଶରୁ ବର୍ତ୍ତିବା ନିମନ୍ତେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସପକ୍ଷରେ ରହିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
