/odisha-reporter/media/post_attachments/uploads/2016/02/cm1111.jpg)
cm1111
ବଲାଙ୍ଗିର/କଳାହାଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ଦୁଇ ଜିଲ୍ଲା ବଲାଙ୍ଗିର ଓ କଳାହାଣ୍ଡି ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦକ୍ଷିଣ ପାର୍ଶ୍ୱ କେନାଲ ପୁନରୁଦ୍ଧାର କାର୍ଯ୍ୟରେ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ। ପରେ କେସିଙ୍ଗା ଉତ୍କେଲାରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଉଦ୍ଘାଟନ, ଧର୍ମଗଡ଼ ବ୍ଲକ୍ ଛିଲିପାରେ ତେଲ ନଦୀ ଉପରେ ହାଇଲେବୁଲ୍ ସେତୁର ଉଦ୍ଘାଟନ କରିଥିଲେ। ପରେ ବଲାଙ୍ଗିର ଗୁଡ୍ଭେଲାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ସହ ମୁଖ୍ୟମନ୍ତ୍ରୀ ଜଳସେଚନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହି ପ୍ରକଳ୍ପ ଦ୍ୱାରା ଚାଷୀ ଉପକୃତ ହେବେ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ୩୫ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି। ସେଥିମଧ୍ୟରୁ ୮ ହଜାର କୋଟି ଟଙ୍କା ଜଳସେଚନ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ୨୧ ତାରିଖରେ ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶ ପୂର୍ବରୁ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି।
ବଲାଙ୍ଗିର ଗୁଡ଼ଭେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ। ତେବେ ଠିକ୍ ସମୟରେ ପୋଲିସ୍ ତାଙ୍କୁ କାବୁ କରି ନେଇଥିଲା। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଆଇନଶୃଙ୍ଖଳା ଦୃଷ୍ଟିରୁ ବିଜେପିର କିଛି କର୍ମୀଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
