Advertisment

ନିରବୀ ଯାଇଛି ସରଧାପାଲି, ମା’ ଆଖିରୁ ଶୁଖୁନି ଲୁହ

ନିରବୀ ଯାଇଛି ସରଧାପାଲି ଗାଁ । ୩ ଛୁଆଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର । ଗୁମୁରୀ କାନ୍ଦୁଛନ୍ତି ପରିବାର ଲୋକେ। ଗାଁ ଦାଣ୍ଡ ବି ଖାଁ ଖାଁ । କୋଳ ଖାଲି ହୋଇଯିବା ପରେ ମା’ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ତାକୁ ବୁଝାଇବାକୁ କାହା ପାଖରେ ଭାଷା ବି ନାହିଁ ।

author-image
Niharika Rout
ଅଦ୍ୟତନ ହୋଇଛି
family

family

ନିରବୀ ଯାଇଛି ସରଧାପାଲି ଗାଁ । ୩ ଛୁଆଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର । ଗୁମୁରୀ କାନ୍ଦୁଛନ୍ତି ପରିବାର ଲୋକେ। ଗାଁ ଦାଣ୍ଡ ବି ଖାଁ ଖାଁ । କୋଳ ଖାଲି ହୋଇଯିବା ପରେ ମା’ମାନଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବୁଝାଇବାକୁ କାହା ପାଖରେ ଭାଷା ବି ନାହିଁ । ସୁବର୍ଣ୍ଣପୁର ଜିଲ୍ଲାର ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗତକାଲି ଏକ କାର୍‌ ଧକ୍କାରେ ୩ ଛାତ୍ର ଆଖି ବୁଜିବା ପରେ ନିସ୍ତବ୍ଧ ହୋଇ ଯାଇଛି ପୂରା ଗାଁ । 

Advertisment

ସକାଳୁ ଖୁସି ମନରେ ପରୀକ୍ଷା ଦେବାକୁ ସ୍କୁଲକୁ ଯାଇଥିଲେ ୩ ଛାତ୍ର । ପରୀକ୍ଷା ସରିବା ପରେ ହସଖୁସିରେ ଘରମୁହାଁ ବି ହୋଇଥିଲେ। କିଛି ସମୟ ଫାଟକ ପାଖରେ ଛିଡ଼ା ହୋଇ ଗପିବା ବେଳେ ମାଡ଼ି ଆସିଲା ମୃତ୍ୟୁ। ଦ୍ରୁତ ଗତିରେ ମାଡ଼ି ଆସିଥିବା କାର୍‌ ଧକ୍କାରେ ଚାଲିଗଲା ୩ ନିଷ୍ପାପ ଜୀବନ । ଆଗ ପଛ ହୋଇ ଚାଲିଗଲେ ସୁବତ୍ର ଭୋଇ, ରାଜା ପେରା ଓ ରାଜେଶ ପେରା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କପିଳ ଭୁଏ ଏବେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି। 

ଗତ ରାତିରେ ଗାଁ ନଦୀ ପଠାରେ ୩ ଶିଶୁଙ୍କ ଜୁଇ ଜଳିଥିଲା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଚତୁଃର୍ଦିଗ । ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବାକୁ କାହା ପାଟିରେ ଭାଷା ନ ଥିଲା।

Advertisment
Cremetion ଏକ ସଙ୍ଗେ ଜଳୁଛି ୩ ସାଙ୍ଗଙ୍କ ଜୁଇ ।

୨ ଝିଅ ପରେ ବହୁ ଠାକୁରଙ୍କୁ ମନାସୀ ସୁବ୍ରତକୁ ପାଇଥିଲେ ବାପାମା’ । ଏବେ ସୁବ୍ରତ ଆଖି ବୁଜିବା ପରେ ମା’ ଆଖିରୁ ଲୁହ ଶୁଖୁନି। ବାପା ବି ପୁଅ ଶବ ପାଖରେ ମୁଣ୍ଡ ପିଟି କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କ ହୃଦୟକୁ ତରଳାଇ ଦେଇଥିଲା। ମରିବା ପରେ ଯେଉଁ ପୁଅ ନିଆଁ ଦେବ ବୋଲି ଭାବିଥିଲା ବାପା, ସେହି ପୁଅ ମୁହଁରେ ନିଆଁ ଦେଇ ବାପା ନିଜକୁ ସମ୍ଭାଳି ପାରୁ ନ ଥିଲା।

ସରଧାପାଲି ଛକରେ ଗତକାଲି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଜାରି ରହିଥିଲା। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୁରଣ ଦାବୀରେ ଘଟଣାସ୍ଥଳରେ ଶବରଖି ୬ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଓ ସହାୟତାର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା।

୩ ମୃତ ଶିଶୁଙ୍କ ପରିବାରକୁ ରେଡକ୍ରମସ ତରଫରୁ ୧୦ ହଜାର ଲେଖା ପ୍ରଦାନ କରାଯାଇଥିବା ବେଳେ ୩ ଲକ୍ଷ ଲେଖା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା ହେବା ପରେ ଉତ୍ତେଜନା ଥମିଥିଲା। 

ଏହି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗାଁ ଲୋକେ କାବୁ କରି ପୁଲିସ୍‌ ଜିମା ଦେଇଥିବା ବେଳେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Accident Deadbody Road Accident Sonepur