ସର୍ପାଘାତ ରୋଗୀଙ୍କୁ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେଲେ, ଚାଲିଗଲା ୨ ଜୀବନ

ବଣାଇ (ରଞ୍ଜିତ ଚୌଧୁରୀ): ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଚିକିତ୍ସା ପରିବର୍ତ୍ତେ ଝଡ଼ାଫୁଙ୍କାକୁ ଆପଣାଉଛନ୍ତି। ଡାକ୍ତରଙ୍କ ଚିକିତ୍ସା ଅପେକ୍ଷା ଗୁଣିଆର ଝଡ଼ାଫୁଙ୍କା ଦ୍ୱାରା ସାପ କାମୁଡ଼ା ଓ ଅନେକ ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ କରୁଛନ୍ତି। ଲୋକମାନଙ୍କ ଏପରି ଭୁଲ ଚିନ୍ତାଧାରା ଯୋଗୁ ଚାଲି ଯାଉଛି ଅନେକ ଜୀବନ। ଗତ ରବିବାର ପୁଣି ଏହିଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି। ଆଉ ଦୁଇଟି ଯାକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। […]

snake

  • Published: Tuesday, 09 August 2022
  • , Updated: 09 August 2022, 10:43 AM IST

ବଣାଇ (ରଞ୍ଜିତ ଚୌଧୁରୀ): ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଚିକିତ୍ସା ପରିବର୍ତ୍ତେ ଝଡ଼ାଫୁଙ୍କାକୁ ଆପଣାଉଛନ୍ତି। ଡାକ୍ତରଙ୍କ ଚିକିତ୍ସା ଅପେକ୍ଷା ଗୁଣିଆର ଝଡ଼ାଫୁଙ୍କା ଦ୍ୱାରା ସାପ କାମୁଡ଼ା ଓ ଅନେକ ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ କରୁଛନ୍ତି। ଲୋକମାନଙ୍କ ଏପରି ଭୁଲ ଚିନ୍ତାଧାରା ଯୋଗୁ ଚାଲି ଯାଉଛି ଅନେକ ଜୀବନ। ଗତ ରବିବାର ପୁଣି ଏହିଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି। ଆଉ ଦୁଇଟି ଯାକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ।

ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲୁହୁରାସାହିର ଜଣେ ବ୍ୟକ୍ତିଙ୍କୁ ରବିବାର ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା। ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନ ନେଇ ପାଖ ଗାଁର ଏକ ଗୁଣିଆ ପାଖକୁ ନେଇଯାଇଥିଲେ। ସେଠାରେ ଗୁଣିଆ ଝଡ଼ାଫୁଙ୍କା କରିଥିଲା। ହେଲେ ବ୍ୟକ୍ତି ଜଣଙ୍କ ଭଲ ହୋଇ ନଥିଲେ। ପରେ ପରିବାର ଲୋକ ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ। ସେଠାରେ ମଧ୍ୟ ବ୍ୟକ୍ତି ଜଣଙ୍କ ଭଲ ହୋଇନଥିଲେ। ତଥାପି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇ ନଥିଲେ। ଆଉ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ରବିବାର ରାତିରେ ଚାନ୍ଦିପୋଷ ଥାନାର ତାମଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡ଼ିଥିଲା। ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନ ନେଇ ଝଡ଼ାଫୁଙ୍କା କରିବା ପାଇଁ ଗୁଣିଆ ପାଖକୁ ନେଇଯାଇଥିଲେ। ହେଲେ ଶିକ୍ଷୟିତ୍ରୀ ଜଣଙ୍କ ସୁସ୍ଥ ନ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହାପରେ ବି ପରିବାର ଲୋକଙ୍କ ମନ ବୁଝି ନଥିଲା। ଡାକ୍ତର ଶିକ୍ଷୟିତ୍ରୀଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କୁ ପୁଣି ଗାଁକୁ ଆଣି ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା।

 

 

Related story