ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ, ଆଜି ବି ଗତକାଲି ଭଳି ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଏବଂ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦ […]

depression

  • Published: Sunday, 14 August 2022
  • , Updated: 14 August 2022, 02:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଏବଂ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ କରିବ। ତେବେ ଆଗାମୀ ୨୪ ଘଣ୍ଟା ଯାଏଁ ଏହା ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ଆଜି ମଧ୍ୟ ସେହିଭଳି ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବ। ତେବେ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ଏହି ଅବପାତଟି ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆସନ୍ତାକାଲି କେବଳ ଛତିଶଗଡ଼କୁ ଲାଗିଥିବା ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ବା ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ଟି ସ୍ଥାନରେ ଅତିପ୍ରବଳ ବର୍ଷା (୧୧୫.୬ମିମିରୁ ୨୦୪.୪ମିମି) ହୋଇଥିବା ବେଳେ ୭୩ଟି ସ୍ଥାନରେ ପ୍ରବଳ ବର୍ଷା (୬୪.୫ରୁ ୧୧୫.୫ମିମି) ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ୨୦୦.୪ ମିମି ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୧୬୮ମିମି, ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୧୬୭.୪, ସୁନ୍ଦରଗଡ଼ ସହରରେ ୧୬୩.୪, କଟକ ଜିଲ୍ଲା ବାଙ୍କିରେ ୧୬୨, କନ୍ଧମାଳର ଫିରିଙ୍ଗିଆରେ ୧୬୧.୬, ସମ୍ବଲପୁରର ଧନକଉଡ଼ାରେ ୧୫୯, ସୁନ୍ଦରଗଡ଼ର ଲେଫ୍ରିପଡ଼ାରେ ୧୫୬.୪, ଜଗତସିଂହପୁରର ବାଲିକୁଦରେ ୧୫୪, ସମ୍ବଲପୁର ସହରରେ ୧୪୬, ପୁରୀ ଜିଲ୍ଲା ଗୋପରେ ୧୪୦.୨, ଜଗତସିଂହପୁରର ତିର୍ତ୍ତୋଲ ଓ ନୂଆଗାଁରେ ଯଥାକ୍ରମେ ୧୩୫, ସୋନପୁର ଜିଲ୍ଲା ବିନିକାରେ ୧୩୨.୨, ସମ୍ବଲପୁରର ବୁର୍ଲାରେ ୧୩୧.୮, ପୁରୀର କାକଟପୁରରେ ୧୨୩, କଟକର କଣ୍ଟାପଡ଼ା ଓ ନିଆଳିରେ ଯଥାକ୍ରମେ ୧୨୩ ଓ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ ୩୪ଟି ଗେଟ୍ ଖୋଲିଥିବା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

Related story