/odisha-reporter/media/post_attachments/uploads/2022/08/si-death.jpg)
si-death
ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଜି. ଉଦୟଗିରି ଥାନା IIC ରେବତୀ ଶବରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସ୍ୱାଗତିକାଙ୍କ ପରିବାର ପକ୍ଷରୁ କରାଯାଇଥିବା ସବୁ ଅଭିଯୋଗର ତଦନ୍ତ ଜଣେ DSP ପାହ୍ୟାର ଅଧିକାରୀ କରିବେ। ଏନେଇ ଆଜି କନ୍ଧମାଳ ଏସ୍ପି ଭିନିତ୍ ଅଗ୍ରୱାଲ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ପରିବାରର ଅଭିଯୋଗ ପରେ IICଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗର ତଦନ୍ତ ସରିବା ପର୍ଯ୍ୟନ୍ତ ଜି. ଉଦୟଗିରି ଥାନା IIC ରେବତୀ ଶବରଙ୍କ ବଦଳି କରାଯିବ। ରେବତୀ ଶବରଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯିବ। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନା ଥାଇକି, ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ଯାହାପରେ ତାଙ୍କ ପରିବାର ଲୋକେ ଏହି ମୃତ୍ୟୁ ପଛରେ IIC ରେବତୀ ଶବର ପକାଉଥିବା ଚାପ ଓ ହାରାସ୍ମେଣ୍ଟ ବୋଲି ଅଭିଯୋଗ କରିଥିଲେ।
ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଏଠାରେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ମାନସିକ ନିର୍ଯାତନା ପାଉଥିଲେ। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ।
ସେପଟେ ଏତଲା ଉପରେ ପଦକ୍ଷେପ ନିଆଯାଉ ନ ଥିବା ପ୍ରତିବାଦରୁ ଆଜି ଜି. ଉଦୟଗିରି ଥାନା ଆଗରେ ପରିବାର ଲୋକେ ଢ଼ୁ ଢ଼ୁ ବର୍ଷା ସତ୍ତ୍ୱେ ଧାରଣା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
