Advertisment

ଲକ୍ଷେ ଲୋକଙ୍କୁ ଜଣେ ଡାକ୍ତର

ବିନିକା(ଦିଲୀପ କୁମାର ସାହୁ): ଲକ୍ଷେ ଲୋକଙ୍କୁ ଜଣେ ଡାକ୍ତର। ଡାକ୍ତରଖାନାରେ ରହିଛି ୧୦ ପଦବୀ, ହେଲେ ୯ ପଦବୀ ଖାଲି। ଡାକ୍ତରଖାନା କାନ୍ଥରେ ମୋ ସରକାର ବୋର୍ଡ ଲାଗିଛ ସତ। ହେଲେ ବୋର୍ଡରେ ଲେଖା ଥିବା ଅଭିଯୋଗ ନମ୍ବରରେ ଫୋନ କଲେ ସମସ୍ୟାର ସମାଧାନ ହେଉନି। ରୋଗୀଙ୍କୁ ଉତ୍ତମ ସେବା ଦେବା ନିମନ୍ତେ ବ୍ୟବସ୍ଥା କରାଯାଉନି। ବାପା, ମା’ ନ ଥିବା ଭଳି ଏହି ଡାକ୍ତରଖାନା ଚାଲିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି […]

author-image
Niranjan Mishra
ଅଦ୍ୟତନ ହୋଇଛି
ଲକ୍ଷେ ଲୋକଙ୍କୁ ଜଣେ ଡାକ୍ତର

Binika-1

ବିନିକା(ଦିଲୀପ କୁମାର ସାହୁ): ଲକ୍ଷେ ଲୋକଙ୍କୁ ଜଣେ ଡାକ୍ତର। ଡାକ୍ତରଖାନାରେ ରହିଛି ୧୦ ପଦବୀ, ହେଲେ ୯ ପଦବୀ ଖାଲି। ଡାକ୍ତରଖାନା କାନ୍ଥରେ ମୋ ସରକାର ବୋର୍ଡ ଲାଗିଛ ସତ। ହେଲେ ବୋର୍ଡରେ ଲେଖା ଥିବା ଅଭିଯୋଗ ନମ୍ବରରେ ଫୋନ କଲେ ସମସ୍ୟାର ସମାଧାନ ହେଉନି। ରୋଗୀଙ୍କୁ ଉତ୍ତମ ସେବା ଦେବା ନିମନ୍ତେ ବ୍ୟବସ୍ଥା କରାଯାଉନି। ବାପା, ମା' ନ ଥିବା ଭଳି ଏହି ଡାକ୍ତରଖାନା ଚାଲିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ସମସ୍ୟା ସମାଧାନ ହେବାର ନାଁ ଧରୁନି।

Advertisment

ଏଠାରେ ୧୦ ଜଣଙ୍କ ସ୍ଥାନରେ ମାତ୍ର ଜଣେ ଡାକ୍ତର ସ୍ଥାୟୀ ଭାବେ ରୋଗୀଙ୍କ ରୋଗ ଦେଖୁଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସମେତ ଭେଷଜ ଓ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଠିକ୍ ରୋଗୀ ସେବା ମିଳୁ ନ ଥିବାରୁ ରୋଗୀମାନେ ବାଧ୍ୟ ହୋଇ ଘରୋଇ ଚିକିତ୍ସାଳୟ ନଚେତ ସୁଦୂର ବୁର୍ଲା କିମ୍ବା କଟକ ଡାକ୍ତରଖାନା ଯାଇ ରୋଗ ଦେଖାଉଛନ୍ତି। ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ଦାବି ସତ୍ତ୍ୱେ ସରକାର ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର କରିବାରେ ଫେଲ ମାରିଛନ୍ତି। ଏଭଳି ଦାୟିତ୍ୱହୀନତା ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଲାଣି।

ଏହି ଡାକ୍ତରଖାନା ଉପରେ ବିନିକା ବ୍ଲକର ଅନ୍ତର୍ଗତ ୧୬ଟି ପଞ୍ଚାୟତର ଲକ୍ଷେରୁ ଅଧିକ ଲୋକ ନିର୍ଭର କରନ୍ତି। ହେଲେ ଷ୍ଟାଫ୍ ନର୍ସ ସାଙ୍ଗକୁ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ବହୁ ସଂଖ୍ୟାରେ ଖାଲି ପଡ଼ିଛି। ଫଳରେ ଚିକିତ୍ସା ପାଇବା ନିମନ୍ତେ ଏଠାକୁ ଦୌଡ଼ି ଆସୁଥିବା ସ୍ଥାନୀୟ ଲୋକଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ମିଳୁନି।

Advertisment

ଡାକ୍ତରଖାନାରେ ୪ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସମେତ ୪ ଜଣ ଆସିଷ୍ଟାଣ୍ଡ ସର୍ଜନ ଜଣେ ସିନିୟର ସର୍ଜନ ଏବଂ ଜଣେ ଦାନ୍ତ ଡାକ୍ତର ରହିବା କଥା। ମାତ୍ର ୯ ଡାକ୍ତର ପଦବୀ ଖାଲିପଡିଛି।

କିଛିଦିନ ତଳେ ଲୋକଙ୍କ ଦାବି ଉପରେ ପ୍ରଶାସନ ଗୁରୁତ୍ୱ ନ ଦେବାରୁ ସ୍ଥାନୀୟ ସାମ୍ବାଦିକ ସଂଘ ଆନ୍ଦୋଳନକୁ ଓହ୍ଲାଇ ଥିଲା। ଯାହା ପରେ ପ୍ରଶାସନ ପକ୍ଷରୁ ଡାକ୍ତର ପଦବୀ ପୂରଣ ପଦକ୍ଷେପ ନିଆଯାଇଥଲା। ହେଲେ ମାତ୍ର କେଇମାସ ଭିତରେ ଜଣଙ୍କ ପରେ ଜଣେ ଡାକ୍ତରଙ୍କୁ ଏଠାରୁ ବିଭିନ୍ନ ସ୍ଥାନକୁ ବଦଳି କରିଦିଆଯାଇଛି। ଏବେ ମାତ୍ର ଜଣେ ସ୍ଥାୟୀ ଡାକ୍ତର ଅଛନ୍ତି। ୨୪ ଘଣ୍ଟିଆ ରୋଗୀଙ୍କ ସ୍ୱାସ୍ଥ୍ୟ ଦେଖିବାକୁ ୩ ଜଣ ଡାକ୍ତର ଡେପୁଟେସନରେ ଆସୁଛନ୍ତି। ତେବେ କେହିବି ବିଶେଷଜ୍ଞ ନୁହେଁ। ତେଣୁ ରୋଗୀଙ୍କ ରୋଗ ଚିହ୍ନି ପାରୁନାହାନ୍ତି। ତେଣେ ପୁଣି ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଡାକ୍ତରଙ୍କୁ ଭେଟିବାର ସୁଯୋଗ ମିଳୁଛି। ଲୋକେ ବାଧ୍ୟ ହୋଇ ଅନ୍ୟ ସ୍ଥାନରେ ଚିକିତ୍ସା ପାଇବା ନିମନ୍ତେ ଖର୍ଚ୍ଚାନ୍ତ ହେଉଛନ୍ତି।

ତେବେ ଏଭଳି ଅସୁବିଧା ଯୋଗୁ ବିଶେଷ ଭାବେ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ସବୁଠାରୁ ବିଶେଷ ହଇରାଣ ହେଉଛନ୍ତି। ଦୂର ସ୍ଥାନକୁ ଯାଇ ରୋଗ ଦେଖାଇ ନ ପାରି ଗରିବ ଲୋକେ ରୋଗୀ ଶଯ୍ୟା ପ୍ରାଣ ତ୍ୟାଗ କରୁଛନ୍ତି। ନଚେତ ଘରୋଇ ମେଡିକାଲରେ ଦେଖାଇ ଶୋଷଣର ଶିକାର ହେଉଛନ୍ତି। ଯାହା ସରକାରଙ୍କ ଦାୟିତ୍ୱହୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପଦାରେ ପକାଇଛି।

ଏନେଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଅଂଶୁମାଳିନୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରାଥମିକ ଡାକ୍ତରଖାନାରେ ଜଣେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଜଣ ଏମ୍‌ବିବିଏସ୍ ଡାକ୍ତର ନିଯୁକ୍ତ ରହିବା କଥା। ମାତ୍ର ଏଠାରେ ଜଣେ ମାତ୍ର ସ୍ଥାୟୀ ଡାକ୍ତର ଅଛନ୍ତି। ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଅନ୍ୟ ୩ ଜଣ ଡେପୁଟେସନରେ ଆସୁଛନ୍ତି। ପ୍ରତିସିପ୍ଟରେ ଜଣେ ଡାକ୍ତର ନିଶ୍ଚିତ ଉପସ୍ଥିତ ରହୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏ ସମ୍ପର୍କରେ ଧାଡ଼ିକିଆ ଉତ୍ତର ଦେଇ କହିଛନ୍ତି, ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି।

[caption id="attachment_751313" align="aligncenter" width="650"]publive-image ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର।[/caption]

ଏଥିରୁ ସ୍ପଷ୍ଟ ହୋଇଛି, ଆଦିବାସୀ ଅଧ୍ୟୁଷିତ ବିନିକା ବ୍ଲକର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ଏକ ସରକାରୀ ପ୍ରହେଳିକାରେ ପରିଣତ ହୋଇଛି।