Mohan charan majhi
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ୧୨ହଜାର ପରାମର୍ଶ ସାଧାରଣ ଲୋକଙ୍କଠୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆସନ୍ତା ୨୫ତାରିଖରେ ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିବେ ।
ଆଜି ବିଭିନ୍ନ ବର୍ଗର ଲୋକଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆସନ୍ତା ୨୫ତାରିଖରେ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ବିଧାନସଭାରେ ଉପସ୍ଥାପନ କରାଯିବ । ଏନେଇ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବ, ବିଭିନ୍ନ ବର୍ଗ ଲୋକ, ବିଶେଷଜ୍ଞ ଓ ସଂଗଠନ ସହ ବିଚାରବିମର୍ଶ କରାଯାଇଥିଲା । ସମସ୍ତେ ନିଜ ନିଜର ପରାମର୍ଶ ଦେଇଛନ୍ତି । ଆମେ ଲୋକଙ୍କ ସରକାର ହୋଇଥିବାରୁ ଲୋକଙ୍କ ମତାମତକୁ ବଜେଟ୍ ପ୍ରସ୍ତୁତିରେ ଅଧିକ ପ୍ରାଥମିକତା ଦିଆଯିବ ।
ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୬ଗୁଣ ମତାମତ ଚଳିତବର୍ଷ ବଜେଟ୍ ପାଇଁ ସାଧାରଣ ଲୋକଙ୍କଠୁ ମିଳିଛି । ଏତେସଂଖ୍ୟକ ପରାମର୍ଶ ମିଳିବା ନିଶ୍ଚିତ ଭାବେ ଅର୍ଥ ବିଭାଗ ପାଇଁ ବଜେଟ୍ ପ୍ରସ୍ତୁତି ନିମନ୍ତେ ଉତ୍ସାହଜନକ ହୋଇଛି । ସମସ୍ତଙ୍କ ମୂଲ୍ୟବାନ ମତାମତ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଆଗାମୀ ବଜେଟରେ ଏସବୁ ମତାମତକୁ ପ୍ରତିଫଳିତ କରିବାକୁ ସରକାର ଯଥାସମ୍ଭବ ଉଦ୍ୟମ କରି ଲୋକଙ୍କ ଆଶାଆକାଂକ୍ଷାକୁ ପୂରଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।
ଆଜିର ପ୍ରାକ୍ ବଜେଟ୍ ଆଲୋଚନାରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅର୍ଥବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପଂଚାନନ କାନୁନଗୋ, ଶଶୀଭୂଷଣ ବେହେରା ପ୍ରମୁଖ ମଧ୍ୟ ନିଜର ମତ ରଖିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719422716.jpg)