Assembly
ବିଧାନସଭାରେ ବିରୋଧୀ ଦଳରର ବିଧାୟକମାନେ ଦୀର୍ଘ ୧୧ଦିନ ଧରି ଜାରି ଚଳାଇଥିବା ଅଚଳାବସ୍ଥା ମଧ୍ୟରେ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ବାଚସ୍ପତି କୌଣସି ରାଜନୀତିକ ଦଳର ୧୨ଜଣ ବିଧାୟକଙ୍କୁ ଏକକାଳୀନ ୭ଦିନ ନିମନ୍ତେ ଗୃହରୁ ନିଲମ୍ବନ କରିଛନ୍ତି । ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଶାସକ ବିଜେପି ବିଧାୟକମାନେ ସମର୍ଥନ ସହ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିବାବେଳେ ବିଜେଡି ମାପିଚୁପି ବୟାନ ଦେଇଛି । ଆଉ କଂଗ୍ରେସର ବିଧାୟକମାନେ ଏହି ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ ଦେଇ ସ୍ୱର ଆହୁରି ଶାଣିତ ହେବ ବୋଲି ଚେତାବନୀ ଦେଇଛନ୍ତି । ଏସବୁ ମଧ୍ୟରେ ଗୃହରେ ସ୍ୱାଭାବିକ ସ୍ଥିତି ଫେରାଇବା ପାଇଁ ବାଚସ୍ପତି ପ୍ରୟାସ କରିବା ସହ ୮ଥର ଗୃହକୁ ମୁଲତବୀ ଘୋଷଣା କରିଥିଲେ । ମାତ୍ର କଂଗ୍ରେସ ବିଧାୟକମାନେ ଧାରଣାରେ ବସି ରହିବା ଯୋଗୁ ବାଚସ୍ପତି ଗୃହକୁ ବୁଧବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତିଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସମ୍ବିଧାନ ବିଶେଷଜ୍ଞମାନେ ମଧ୍ୟ ନିଜର ମତ ରଖିଛନ୍ତି । ଦିନଟିଏ ବିଧାନସଭା ଚାଲିବା ପାଇଁ ପ୍ରାୟ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇନପାରିବାକୁ ନେଇ ସାଧାରଣରେ ମଧ୍ୟ ନାନାଦି ଚର୍ଚ୍ଚା ଜୋର ଧରିଛି ।
କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ ବାଚସ୍ପତି
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନଠୁ କଂଗ୍ରେସ ରାଜ୍ୟରେ ମହିଳା ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା । ବିଜେଡି ବିଧାୟକମାନେ ମଧ୍ୟ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି । ମାତ୍ର କଂଗ୍ରେସ ବିଧାୟକମାନେ ଘଣ୍ଟ, ତୁରୀ ଓ ହୁଇସିଲ୍ ବଜାଇ ପ୍ରତିବାଦ କରି ଗୃହ କାର୍ଯ୍ୟରେ କ୍ରମାଗତ ବାଧା ସୃଷ୍ଟି କରୁଥିଲେ । ଗୃହରେ ବାରମ୍ବାର ଅଚଳାବସ୍ଥା ଯୋଗୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଦିନ ଗୃହରୁ ନିଲମ୍ବନ କରିଥିଲେ ମଧ୍ୟ କଂଗ୍ରେସର ବିଧାୟକମାନେ ସୁଧୁରିବାର ନାଁ ଧରିନଥିଲେ । ଯଦିଓ ଗୃହରେ ସରକାର କଂଗ୍ରେସର ଦାବି ମୁତାବକ ମହିଳା ନିର୍ଯାତନା ମାମଲା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ମାତ୍ର କଂଗ୍ରେସ ନିଜର ଦାବିକୁ ଦୋହରାଇ ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯାତନା ଓ ଅପରାଧର ଯାଂଚ ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲା । ଏହି ଦାବି ପୂରଣ ନିମନ୍ତେ କଂଗ୍ରେସ ବିଧାୟକମାନେ ଗୃହରେ ହୁଇସିଲ ଓ ଘଂଟ ବଜାଇବା ଭଳି କାର୍ଯ୍ୟ କରିବା ଯୋଗୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନଥିଲା । ବାରମ୍ବାର ସର୍ବଦଳୀୟ ବୈଠକ ଡାକିବା ପରେ ମଧ୍ୟ ଗୃହ ସ୍ୱାଭାବିକ ହେଉନଥିବାରୁ ସୋମବାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ ।
ମାତ୍ର ମଙ୍ଗଳବାର ସମାନ ସ୍ଥିତି ଉପୁଜିବା ପରେ ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସୁରମା ପାଢ଼ୀ କଠୋର ପଦକ୍ଷେପ ସ୍ୱରୂପ କଂଗ୍ରେସର ୧୨ଜଣ ବିଧାୟକଙ୍କୁ ୭ଦିନ ପାଇଁ ଗୃହରୁ ନିଲମ୍ବନର ରୁଲିଂ ଦେଇଥିଲେ । ପୂର୍ବରୁ ତାରା ନିଲମ୍ବିତ ହୋଇ ଗୃହକୁ ଫେରିଥିବା ଏବଂ ଅନ୍ୟଜଣେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ୍ ଦେଇ କଂଗ୍ରେସର ଅନ୍ୟ ସମସ୍ତ ୧୨ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମା, ସିଏସ୍ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ କୁମାର ଦାସ, ସତ୍ୟଜିତ୍ ଗମାଙ୍ଗ,ସାଗର ଚରଣ ଦାସ, କାଡ୍ରାକା ଅପ୍ପଲା ସ୍ୱାମୀ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋଷ, ମଙ୍ଗୁ ଖିଲ ଓ ନୀଳମାଧବନ ହିକ୍କାଙ୍କୁ ନିଲମ୍ବନ କରିଛନ୍ତି । କଂଗ୍ରେସର ଗୃହରେ ୧୪ଜଣ ବିଧାୟକ ଅଛନ୍ତି ।
କାର୍ଯ୍ୟାନୁଷ୍ଠାନକୁ ନେଇ ୩ଦଳର କିଏ କ’ଣ କହିଲେ
ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଲମ୍ବିତ ବିଧାୟକମାନଙ୍କୁ ଗୃହ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବା ସହ ବିଧାନସଭାର ମାର୍ଶଲଙ୍କୁ ମଧ୍ୟ ନିଲମ୍ବିତ ବିଧାୟକମାନଙ୍କ ସଙ୍ଗେ ଆଲୋଚନା ପାଇଁ କହିଛନ୍ତି । ଗୃହରେ ହଟ୍ଟଗୋଳ ଯୋଗୁ ବାରମ୍ବାର ମୁଲତବୀ ପରେ ବାଚସ୍ପତି ଗୃହକୁ ବୁଧବାର ପୂର୍ବାହ୍ନ ସାଢ଼େ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ କଡ଼ା ବିରୋଧ କରି ନିଲମ୍ବିତ କଂଗ୍ରେସ ବିଧାୟକମାନେ ରାତିରେ ଗୃହ ଭିତରେ ରହିବେ ବୋଲି ଚେତାବନୀ ଦେଇଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇନଥିଲେ ମଧ୍ୟ ସେ ନିଜର ସହଯୋଗୀଙ୍କ ସହ ରହିଛନ୍ତି । ଆଉ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୃହ ଭିତରେ ରାତ୍ରିଯାପନ କରିବୁ । ସରକାର ହାଉସ୍ କମିଟି ଗଠନ ନ କରିବା ପର୍ଯ୍ୟନ୍ତ ଗୃହ ଛାଡ଼ିବୁ ନାହିଁ । ମାର୍ଶଲ କି ପୁଲିସ ଯାହାବି ବାଚସ୍ପତି ଲଗାନ୍ତୁ, ଆମେ ଗୃହ ଭିତରେ ଶୋଇବୁ । କଂଗ୍ରେସ ତା’ର ସ୍ୱରକୁ ଆହୁରି ଜୋରଦାର କରିବ । କଂଗ୍ରେସ କାର୍ଯ୍ୟାନୁଷ୍ଠାନକୁ ଭୟ କରେନି । ୨୭ତାରିଖରେ କଂଗ୍ରେସର ବିଧାନସଭା ଘେରାଉକୁ ଭୟ କରି ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ତାରା କହିଛନ୍ତି ।
ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କଂଗ୍ରେସର ଆଚରଣ-ଉଚ୍ଚାରଣ ଆମକୁ ପସନ୍ଦ ନୁହେଁ । ବାଚସ୍ପତି ମଧ୍ୟ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ଗ୍ରହଣୀୟ ନୁହେଁ । ଆଲୋଚନା କରି ପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ନିରବ ନରହି ମୁହଁ ଖୋଲନ୍ତୁ । ଗୃହରେ ପଏଂଟ ଅଫ୍ ଅର୍ଡରରେ ଶ୍ରୀମତୀ ମଲ୍ଳିକ ଏହା କହିଥିଲେ । ତାଙ୍କୁ ସମର୍ଥନ କରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ଏହା ଏକ ଦୁଃଖଦାୟକ ଘଟଣା । ଏହା ଏକ ବିବାଦୀୟ ଅଧ୍ୟାୟ ହୋଇ ରହିଯିବ । କଂଗ୍ରେସର ଆଚରଣକୁ ନାପସନ୍ଦ କରୁଛୁ । ତେବେ ଅପରାଧ ତୁଳନାରେ ଦଣ୍ଡ ବଳି ଗଲା । ମୁଖ୍ୟମନ୍ତ୍ରୀ ଆସନ୍ତୁ ଓ ବିରୋଧୀ ଦଳ ସହ ଆଲୋଚନା କରି ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ ବୋଲି ସେ କହିଛନ୍ତି । ବିଜେଡିର ବୟାନ ‘ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ’ ଭଳି ହୋଇଛି ।
ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ, ବାଚସ୍ପତିଙ୍କ ନିଷ୍ପତ୍ତି ଯୁକ୍ତିଯୁକ୍ତ । ବାଚସ୍ପତିଙ୍କ ପାଖରେ ଅନ୍ୟ କୌଣସି ବାଟ ନଥିଲା । ସେହିପରି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭାରେ ଆଲୋଚନା ହେବା ଦରକାର । ବାଚସ୍ପତିଙ୍କ ଧୈର୍ଯ୍ୟର ପରୀକ୍ଷା ହୋଇସାରିଲାଣି । ଶାସକ ଦଳ କାହାର କଣ୍ଠରୋଧ କରିନାହାନ୍ତି । ଆପଣାହସ୍ତେ ଜିହ୍ୱା ଛେଦି,କେ ଅଛି ତା’ର ପ୍ରତିବାଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ତେବେ ସମ୍ବିଧାନ ବିଶେଷଜ୍ଞ ମାନସ ବେହେରା ‘ଓଟିଭି’କୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୃହକୁ ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର । କଂଗ୍ରେସର ବିଧାୟକମାନେ ଯାହା କଲେ ତାହା ଗ୍ରହଣୀୟ ନୁହେଁ । କିନ୍ତୁ ସେମାନଙ୍କ ସହ ଆଲୋଚନା କରି ବିକଳ୍ପ ମାର୍ଗ ଖୋଜା ଯାଇପାରିଥାନ୍ତା । କାର୍ଯ୍ୟାନୁଷ୍ଠାନ ମାତ୍ରାଧିକ ହୋଇଯାଇଛି । ବିରୋଧୀ ଦଳ ନରହିଲେ ଗୃହ ଚାଲିବ କେମିତି । ଶାସକ ଦଳର ବରିଷ୍ଠ ବିଧାୟକମାନେ ଏନେଇ ଚିନ୍ତା କରିବା କଥା । ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ସରକାରଙ୍କୁ ଅଧିକ ସମାଲୋଚିତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ
ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ଏତେସଂଖ୍ୟକ ବିଧାୟକଙ୍କୁ ଏକକାଳୀନ ୭ଦିନ ନିମନ୍ତେ ଗୃହ କାର୍ଯ୍ୟରୁ ନିଲମ୍ବନ ହେବାକୁ ପଡ଼ିଛି । ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ୧୨ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିଥିବାବେଳେ ତାଙ୍କ ପୂର୍ବରୁ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ(ବିଜେଡି ସରକାରରେ) ୨୦୨୩ ସେପ୍ଟେମ୍ବର ୨୮ତାରିଖରେ ତତକାଳୀନ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ(୨୦୨୩ ଅକ୍ଟୋବର ୪) ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ । ତତକାଳୀନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଗୃହରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ କରି ଓ ଏହାକୁ ଗୃହ ବିବରଣୀରୁ ବାଦ୍ ଦେବା ଦାବିରେ ବିଜେପି ବିଧାୟକମାନେ ସେତେବେଳେ ବାଚସ୍ପତି ଶ୍ରୀମତୀ ମଲ୍ଲିକଙ୍କ ଚେୟାର ଉପରକୁ ଡାଲି ଫିଙ୍ଗିଥିଲେ । ଶ୍ରୀମତୀ ମଲ୍ଲିକ ବିଜେଡିର ମନ୍ତ୍ରୀ ଥିବାବେଳେ ଡାଲି ଦୁର୍ନୀତିରେ ବିବାଦୀୟ ଥିଲେ । ସେହିପରି ବିଜେଡି ସରକାରରେ ତତକାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୨୦୨୧ ମସିହାରେ ୩ଜଣ ବିଜେପି ବିଧାୟକଙ୍କୁ ନିଲମ୍ବନ କରିଥିଲେ । ବିଜେପିର ତତକାଳୀନ ବରିଷ୍ଠ ବିଧାୟକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ସ୍ୱର୍ଗତ ବିଷ୍ଣୁଚରଣ ସେଠୀଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୨୦୨୧ ଏପ୍ରିଲ ୩ତାରିଖରେ ବଜେଟ୍ ଅଧିବେଶନର ଅବଶିଷ୍ଟ ଦିନ(ଏପ୍ରିଲ ୯ରେ ସରିବାର ଥିଲା) ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ । ଏହି ବିଜେପି ବିଧାୟକମାନେ ସେତେବେଳେ ଖଣି ଅନିୟମିତତା ମାମଲାରେ ମୁଲତବୀ ଆଲୋଚନା ଓ ଓଡ଼ିଶା ଲୋକୟୁକ୍ତ ସଂଶୋଧନ ବିଲ୍କୁ ବିନା ଆଲୋଚନାରେ ଗୃହୀତ କରାଇବାକୁ ନେଇ ଗୃହରେ ପ୍ରତିବାଦ କରିଥିଲେ ।
ସେହିପରି ୨୦୧୫ ଡିସେମ୍ବର ମାସରେ ଶୀତ ଅଧିବେଶନ ଚାଲିଥିବାବେଳେ ତତକାଳୀନ କଂଗ୍ରେସ ବିଧାୟକ ନବ ଦାସ(ପରବର୍ତ୍ତୀ ସମୟରେ ବିଜେଡିରେ ମିଶି ମନ୍ତ୍ରୀ ହୋଇଥିଲେ) ଗୃହ ଭିତରେ ମୋବାଇଲ ଫୋନରେ ଅଶ୍ଲୀଳ ଭିଡିଓ ଦେଖିବା ଅଭିଯୋଗରେ ଗୃହରୁ ୭ଦିନ ପାଇଁ ନିଲମ୍ବନ ହୋଇଥିଲେ । ବିଜେଡି ସରକାରରେ ତତକାଳୀନ ବାଚସ୍ପତି ନିରଞ୍ଜନ ପୂଜାରୀ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ତତକାଳୀନ ଶାସକ ବିଜେଡି ଦଳର ମୁଖ୍ୟ ସଚେତକଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଓ ବାଚନିକ ଭୋଟ୍ ଆଧାରରେ ନେଇଥିଲେ ।
ଏହାପୂର୍ବରୁ ୨୦୦୪ ମସିହାରେ ବିଜେଡି-ବିଜେପି ମେଂଟ ଶାସନରେ ତତକାଳୀନ ବାଚସ୍ପତି ଶରତ କୁମାର କର ଗୃହରେ ଚପଲ ଫିଙ୍ଗିବା ଯୋଗୁ ତତକାଳୀନ କଂଗ୍ରେସ ବିଧାୟକ ଅନୁପ ସାଏ(ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ)ଙ୍କୁ ୬ଦିନ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Assembly_1732500821.jpg)