Advertisment

ଆଜିଠୁ ବିଧାନସଭା; ଶପଥ ନେଲେ ନବନିର୍ବାଚିତ ବିଧାୟକ

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ଅବସରରେ ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ।

author-image
Niharika Rout
BJP Leaders

BJP Leaders

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ଅବସରରେ ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।

Advertisment

ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଭାବେ ଶପଥ ନେଇଥିଲେ। ଏହାପରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେହିପରି ବିଧାୟକ ଭାବେ ରବି ନାୟକ, ସୂର୍ଯ୍ୟବଂଶୀ ସୂରଜ, ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ ବି ଶପଥ ନେଇଛନ୍ତି।

ଏଥର ବିଧାନସଭାକୁ ୮୨ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

Advertisment

ଏଥର ବହୁ ପୁରୁଣା ମୁହଁଙ୍କୁ ମିଳିଛି ନୂଆ ପରିଚୟ। ଚଳିତ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସନ ବଦଳି ଯାଇଛି। ଗତ ୫ଟି ପାଳିରେ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଛନ୍ତି।

ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ।

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା। 

ଗତକାଲି ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ବିଧାନସଭାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏହି ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।

ପୁଲିସ କମିଶନର ବିଧାନସଭା ସୁରକ୍ଷା ଦାୟିତ୍ୱରେ  ଥିବାବେଳେ ୭୫ ପୁଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି । ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରୋରିଷ୍ଟ ଟିମ୍ ମଧ୍ୟ ବିଧାନସଭାରେ ମୁତୟନ ହୋଇଛନ୍ତି। 

BjD Bjp Congress Odisha Assembly