/odisha-reporter/media/post_attachments/uploadimage/library/16_9/16_9_0/IMAGE_1724770955.jpg)
BJD Leaders
ମାତ୍ର ୧୧ଦିନ ପୂର୍ବରୁ ନିଜର ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହୋଇଥିବା ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ଆଜି ପୁଣିଥରେ ବିଜେଡିକୁ ଫେରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବରୀ ବ୍ଲକର ବିକାଶ ପାଇଁ ବିଜେପି ଉପରେ ଯେଉଁ ଭରସା କରିଥିଲି, ତାହା ୧୧ଦିନ ମଧ୍ୟରେ ଅନୁଭବ କରିପାରିଲି ନାହିଁ ବୋଲି ଶ୍ରୀ ଗେଡ଼ି ଅଭିଯୋଗ କରିଛନ୍ତି ।
ଆଜି ଶଙ୍ଖ ଭବନରେ ଯାଜପୁର ଜିଲ୍ଲାର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱରଞ୍ଜନ ଦାସ, ବରିଷ୍ଠ ନେତା ପ୍ରତାପ ଜେନା, ପ୍ରତାପ ଦେବ ଓ ପ୍ରଣବପ୍ରକାଶ ଦାସଙ୍କ ଉପସ୍ଥିତିରେ ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଗେଡ଼ି ଓ ତାଙ୍କ ଟିମ୍ ପୁଣିଥରେ ବିଜେଡିକୁ ଫେରି ଆସିଛନ୍ତି ।
ଏହି ମିଶ୍ରଣ ଅବସରରେ ଶ୍ରୀ ଗେଡ଼ି କହିଛନ୍ତି ଯେ, ବରୀ ବ୍ଲକର ବିକାଶ ପାଇଁ ବିଜେପିରେ ସାମିଲ ହୋଇଥିଲି । କିନ୍ତୁ ବିଗତ ୧୧ଦିନ ମଧ୍ୟରେ ସେଭଳି କିଛି ଅନୁଭବ କରିପାରିଲି ନାହିଁ । ବିଜେପିରେ ଖାଲି ମିଛ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ପାଇଲି ନାହିଁ । ତେଣୁ ବିଜେଡିକୁ ଫେରି ଆସିଲି ଓ ଆଗକୁ ମଧ୍ୟ ରହିବି ବୋଲି ସେ କହିଛନ୍ତି ।
ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଯାଜପୁର ଜିଲ୍ଲା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ବିଜେପି କ୍ଷମତାର ଦୁରୂପଯୋଗ କରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡ଼ିଙ୍କୁ ବିଜେପି ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ପ୍ରଲୋଭନ ଓ ବିଭିନ୍ନ ପ୍ରକାର ଧମକ ଦେଇ ଦଳରେ ମିଶାଇ ବାହାବା ନେବାକୁ ପ୍ରୟାସ କରିଥିଲା । ବରୀ ବ୍ଲକର ବିକାଶ ନକରି ବିଜେପି କର୍ମୀମାନେ କିଭଳି ଫାଇଦା ପାଇବେ ସେ ଯୋଜନା ବିଜେପି କରିଥିବା ଜାଣିବା ପରେ ଅଶୋକ ଗେଡ଼ି ପୁଣିଥରେ ବିଜେଡିକୁ ଫେରି ଆସିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ଗେଡ଼ି ନିଜର ସମର୍ଥକ ସରପଂଚ ଓ ସମିତି ସଭ୍ୟମାନଙ୍କ ସହ ଗତ ଅଗଷ୍ଟ ୧୬ତାରିଖରେ ବିଜେପିରେ ସାମିଲ ହୋଇଥିଲେ । ଶ୍ରୀ ଗେଡ଼ିଙ୍କ ଏଭଳି ପଦକ୍ଷେପ ଯାଜପୁର ବିଜେଡି ପାଇଁ ଶକ୍ତ ଧକ୍କା ହୋଇଥିଲା । ଶ୍ରୀ ଗେଡ଼ିକୁ ପୁଣିଥରେ ଦଳକୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ବିଜେଡି ବିଧାୟକ ବିଶ୍ୱରଞ୍ଜନ ଦାସ ପ୍ରୟାସ କରିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
