ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ

କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଥିଲେ ଭର୍ତ୍ତୃହରି।

ଭର୍ତ୍ତୃହରି ମହତାବ

  • Published: Thursday, 28 March 2024
  • , Updated: 28 March 2024, 03:45 PM IST

ଲାଗି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପିରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭର୍ତ୍ତୃହରି ମହତାବ ପଦ୍ମ ଧରିଛନ୍ତି।  

ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ। ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ୱାସ ଓ ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ। ଏକ ନୂଆ ଟିମ୍‌ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ତାହା ଆସିଲେ ସମସ୍ତେ ଦେଖିପାରିବେ।

୨୨ ମାର୍ଚ୍ଚ ଶୁକ୍ରବାର ଦିନ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ। ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚାର ଆଜି ଅନ୍ତ ଘଟିଛି। 

ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି।୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। 

ବିଜେଡିରୁ ଇସ୍ତଫା ଦେବା ପରେ ଭର୍ତ୍ତୃହରି ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ବାର ବାରମ୍ବାର ବିଜେଡିକୁ ଟାର୍ଗେଟ କରୁଥିଲେ। କିଛି ଦିନ ତଳେ ନିଜର ସଂପାଦକୀୟରେ ବିଜେଡିକୁ ବାଣ ମାରିଥିଲେ ଭର୍ତ୍ତୃହରି । ଏହି ଲେଖାର ଶୀର୍ଷକ ଥିଲା “ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ”। ଏଥିରେ ସେ କେଉଁ ପରିସ୍ଥିତିରେ ଏବଂ କାହିଁକି ଦଳ ଛାଡ଼ିଲେ, ବିଜେଡି ଓ ଏହାର ନେତୃତ୍ୱ ଏବେ କେଉଁ ସ୍ତରକୁ ଗଲେଣି ତାହା ଉଲ୍ଲେଖ କରିଥିଲେ।

ବିଜେଡିରୁ ଇସ୍ତଫା ଦେବା ପରେ କ’ଣ କହିଥିଲେ ଭର୍ତ୍ତୃହରି?

ଭର୍ତ୍ତୃହରି କହିଥିଲେ,୧୭ତମ ଲୋକସଭାର କାର୍ଯ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ଯ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି। ତେବେ ଏଠି ପ୍ରଶ୍ନ ହେଉଛି କାହିଁକି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି, ବିଜେଡିରେ ବହୁ ପରିବର୍ତ୍ତନ ହୋଇଯାଇଛି। ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦଳ ଯେଉଁଭଳି ପରିଚାଳିତ ହେଉଛି, ତାହାର ସଂଶୋଧନ ପାଇଁ ବହୁବାର ଉଦ୍ୟମ କରିଛି ଓ କହିଛି। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ ପୁନର୍ବାର ଯେତେବେଳେ ନିର୍ବାଚନ ଆସିବାକୁ ଯାଉଛି, ମୁଁ ଭାବୁଛି ଦଳଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାର୍ଯ୍ୟ କରିପାରିବି। ମୁଁ ଯେତେବେଳେ ବନ୍ଧନରେ ରହିଯାଉଥିଲି, ସେତେବେଳେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା। ଯଦି କିଛି କହିଲି, ତାକୁ କଦର୍ଥ କରି ସମାଲୋଚନା କରାଯାଉଥିଲା। ଭଲ ହେବ ଯଦି ମୁଁ ଦଳଠାରୁ ଦୂରେଇ ଯିବି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଇଥିଲି ବୋଲି ଶ୍ରୀ ମହତାବ କହିଥିଲେ।

 

Related story