କୋମାରେ ବିଜେଡିର ଇସ୍ତାହାର କମିଟି: ଅଧ୍ୟକ୍ଷ ଅସୁସ୍ଥ, ଆବାହକ ନୀରବ, ପ୍ରଚାର ସରିବାକୁ ୩ଦିନ ବାକି

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ପ୍ରମୁଖ ପ୍ରସଙ୍ଗକୁ ଦଳ ସମ୍ପୂର୍ଣ୍ଣ ଦୂରେଇ ଦେଇଛି ଓ ଏବେ ବି ତାହା ପୂରଣ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ

  • Published: Wednesday, 08 May 2024
  • , Updated: 08 May 2024, 07:07 PM IST

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ସରିବାକୁ ଆଉ ମାତ୍ର ୩ଦିନ ବାକି । ୧୩ତାରିଖରେ ଭୋଟ୍ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ସରିବ । ମାତ୍ର ଆଜି ପର୍ଯ୍ୟନ୍ତ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କଲାନି । ବିଜେପି ଓ କଂଗ୍ରେସ ନିଜର ଇସ୍ତାହାର(ନିର୍ବାଚନୀ ସଂକଳ୍ପ) ଜାରି କରି ଲୋକଙ୍କ ପାଖକୁ ଯାଉଥିବାବେଳେ ବିଜେଡିର ଇସ୍ତାହାର କମିଟି କୋମାରେ ରହିଥିବା ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନ ପାଇଁ ଯେଉଁ ୩୮ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ତାହା ଏବେ କୋମାରେ ଥିବା ଚର୍ଚ୍ଚା ହେଉଛି । ଇସ୍ତାହାର କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ ଅସୁସ୍ଥ ତ ଆବାହକ ଅମର ପଟ୍ଟନାୟକ ବି ଦୂରେଇ ରହିଛନ୍ତି। ଧର୍ମକୁ ଆଖିଠାର ମାରିବା ଭଳି ହାତଗଣତି କିଛି ନେତାଙ୍କୁ ନେଇ ଥରୁଟିଏ ବୈଠକରେ ଇସ୍ତାହାର କମିଟି କାର୍ଯ୍ୟ ଶେଷ ହୋଇଛି । ସେପଟେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ପ୍ରମୁଖ ପ୍ରସଙ୍ଗକୁ ଦଳ ସମ୍ପୂର୍ଣ୍ଣ ଦୂରେଇ ଦେଇଛି ଓ ଏବେବି ତାହା ପୂରଣ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେପି ରାଜ୍ୟରେ ନିଜର ସଂକଳ୍ପ ପତ୍ର(ନିର୍ବାଚନୀ ଇସ୍ତାହାର)ରେ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେବାପରେ ବିଜେଡିକୁ ନିଜର ପ୍ରସ୍ତାବିତ ନିର୍ବାଚନୀ ଇସ୍ତାହାରରେ ପରିବର୍ତ୍ତନର ଆବଶ୍ୟକତା ପଡ଼ିଛି । ଯେଉଁଥିପାଇଁ ବିଜେଡି ନିଜର ଇସ୍ତାହାର ଜାରି କରିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି । ବିଶେଷକରି ମହିଳା, ଚାଷୀ, ଯୁବବର୍ଗ, ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା ସହ ବାର୍ଦ୍ଧକ୍ୟ ଓ ବିଧବାଙ୍କ ମାସିକ ଭତ୍ତା ପରିମାଣ ୩ହଜାର ଟଙ୍କା ଏବଂ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ବିଜେପି ପ୍ରତିଶ୍ରୁତି ଦେବାପରେ ବିଜେଡିର ଅଡ଼ୁଆ ବଢ଼ିଛି । ଦଳ ସେଥିପାଇଁ ନିଜର ଇସ୍ତାହାରରେ ଆବଶ୍ୟକ ସଂଶୋଧନ କରୁଥିବାର ସୂଚନା ମିଳିଛି । ଦଳର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ପାଇଁ ବିଜେପିର ‘ସୁଭଦ୍ରା’ ଯୋଜନା ଅଧିକ ଫଳପ୍ରଦ ହୋଇପାରେ ବୋଲି ଆଶଙ୍କା କରି ବିଜେଡି ଏବେ ଅନୁରୂପ ପ୍ରତିଶ୍ରୁତି ଦେବ ବୋଲି ଜଣାପଡ଼ିଛି।

ରାଜ୍ୟରେ  ବିଜେପିର ସରକାର ଆସିଲେ ରାଜ୍ୟରେ ‘ସୁଭଦ୍ରା’ ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର(୨ବର୍ଷ ପାଇଁ ବୈଧ) ମିଳିବ, ଯାହାକୁ ସେମାନେ ନିଜ ହିସାବରେ ଖର୍ଚ୍ଚ କରିପାରିବେ । ପ୍ରତ୍ୟେକ ୫୦୦ମହିଳା ଏସଏଚଜି ପାଇଁ ଶିଳ୍ପ କ୍ଲଷ୍ଟର ଓ ୨୫ଲକ୍ଷ ‘ଲକ୍ଷପତି ଦିଦି’  ସମସ୍ତ ବିପିଏଲ୍ ଝିଅମାନଙ୍କ ପାଇଁ ୨ଲକ୍ଷ ଟଙ୍କାର ଆଶ୍ୱାସନା ପ୍ରମାଣପତ୍ର, ମାତୃତ୍ୱ ସୁରକ୍ଷା ଯୋଜନାରେ ୨୧ହଜାର ଟଙ୍କାର ସହାୟତା ମିଳିବ । କେବଳ ସେତିକି ନୁହେଁ  ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ, ମତ୍ସ୍ୟଜୀବୀଙ୍କୁ ମାସିକୁ ୧୦ହଜାର ଟଙ୍କା ଭତ୍ତା, ଯୁବବର୍ଗଙ୍କ ପାଇଁ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ୫ଲକ୍ଷ ପଦବୀରେ ନିଯୁକ୍ତି, ୧୫ଲକ୍ଷ ଗରିବଙ୍କୁ ପକ୍କାଘର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ସହ ୨୧ଟି ସଂକଳ୍ପ ବିଜେପି ନେଇଛି । ବିଜେପିର ଏହି ନିର୍ବାଚନୀ ପ୍ରତିଶ୍ରୁତି ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଲାଗିଥିବାରୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଶା ସଂଚାର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଜେଡି ଯଦିଓ ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି(ଇସ୍ତାହାର)କୁ ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟର ମୋହର ଲଗାଇଥିଲା, ମାତ୍ର ତାହା କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇରହିଛି । ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ-ପୋଲାଭରମ ଭଳି ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ଲଢ଼େଇ ଜାରି ରହିବାର ପ୍ରତିଶ୍ରୁତି ଦେଇ ସମ୍ପୂର୍ଣ୍ଣ ଭୁଲିଯାଇଛି। 

କେବଳ ସେତିକି ନୁହେଁ କାରଣ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶକୁ ଏବେ ସମ୍ପୂର୍ଣ୍ଣ ଭୁଲିଗଲାଣି ।  ‘ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ନିର୍ମାଣ ଲକ୍ଷ୍ୟରେ ଏକ ଯାତ୍ରା’ ଶୀର୍ଷକରେ ବିଜେଡି ୨୦୧୪ ନିର୍ବାଚନୀ ଇସ୍ତାହାର ଜାରି କରିଥିଲା । ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡରେ ଛାତ, ସବୁ ପରିବାରକୁ ପିଇବା ପାଣି, ଯିବାଆସିବା ପାଇଁ ସବୁଦିନିଆ ରାସ୍ତା, ଦକ୍ଷ ଶିକ୍ଷକ ସହ ଯଥେଷ୍ଟ ସଂଖ୍ୟକ ସ୍କୁଲ ଓ ପ୍ରଶିକ୍ଷିତ ଡାକ୍ତରଙ୍କ ସହ ଆବଶ୍ୟକ ପରିମାଣର ହସ୍ପିଟାଲ ପାଇଁ ବିଜେଡି ପ୍ରତିଶ୍ରୁତି ଦେଇଥିଲା । ୨୦୧୪ରେ ‘ବିଜେଡିର ଗ୍ୟାରେଣ୍ଟି’ରୁ ଦଳ ଏବେ ‘ନବୀନ ଗ୍ୟାରେଣ୍ଟି’ର ପ୍ରଚାର କରୁଛି । ମାତ୍ର ୨୦୧୪ରେ ଦଳ ‘ଆଶ୍ରୟ ସୁରକ୍ଷା ମିଶନ’ ଗଠନ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରିନି।କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଭିତ୍ତିଭୂମିର ବିକାଶ ମାଧ୍ୟମରେ ମଡେଲ ପଂଚାୟତ ଓ ଗାଁ, ଜିଲ୍ଲାସ୍ତରରେ ନିୟମିତ ନିଯୁକ୍ତି ମେଳା ଆଦିର ପ୍ରତିଶ୍ରୁତି ବିଜେଡି ଦେଇଥିଲା।

କେବଳ ସେତିକି ନୁହେଁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେଡି ରାଜ୍ୟରେ ‘ସାମଗ୍ରିକ ମହିଳା ନୀତି’ ପ୍ରଣୟନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ସାମାଜିକ ତଥା ଅର୍ଥନୀତିକ ସଶକ୍ତିକରଣ ଉଦ୍ଦେଶ୍ୟରେ ‘ସାମଗ୍ରିକ ମହିଳା ନୀତି’ର ପ୍ରଣୟନର ଆବଶ୍ୟକତା ଥିବା ବିଜେଡି ୨୦୧୪ ସାଧାରଣ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା । ମାତ୍ର ୧୦ବର୍ଷ ପରେ ବି ରାଜ୍ୟରେ ସାମଗ୍ରିକ ମହିଳା ନୀତିଟିଏ ବି ଆସିପାରିନି । କିନ୍ତୁ ମହିଳାଙ୍କୁ ନିଜର ଭୋଟବ୍ୟାଙ୍କ ଓ ଭୋଟ୍ ତିଆରି ମେସିନ୍ ଭାବେ ଉପଯୋଗ କରିବାର କୌଣସି ସୁଯୋଗକୁ ବିଜେଡି ହାତଛଡ଼ା କରିନି ।

୨୦୧୯ ନିର୍ବାଚନୀ ଇସ୍ତାହାରରେ ‘କେଜିରୁ ପିଜି’ ପର୍ଯ୍ୟନ୍ତ ଝିଅମାନଙ୍କୁ ମାଗଣା ଶିକ୍ଷା, ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀ ଦ୍ୱାରା ପରିଚାଳିତ ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫି’ ଛାଡ଼, ସୁନାଝିଅ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୨୫ହଜାର ଟଙ୍କାର ବିବାହକାଳୀନ ସହାୟତା, ମହିଳା ଏସଏଚଜିଙ୍କ ଜିଲ୍ଲା ଓ ରାଜ୍ୟସ୍ତରୀୟ ଫେଡେରେସନ୍ ଗଠନ କରି କର୍ମକର୍ତ୍ତାଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏସବୁ ଏବେବି ପୂରଣ କରିବାରେ ବିଜେଡି ସରକାର ସକ୍ଷମ ହୋଇନି ।

ସେହିପରି ‘ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ’କୁ ନେଇ ଡିଣ୍ଡିମ ପିଟୁଥିବା ବିଜେଡି ସରକାର ରାଜ୍ୟରେ ଏପର୍ଯ୍ୟନ୍ତ ‘ ନିଜସ୍ୱ ସ୍ୱାସ୍ଥ୍ୟ ନୀତି’ ପ୍ରଣୟନ କରିବାରେ ସକ୍ଷମ ହୋଇନାହାନ୍ତି ।

Related story