/odisha-reporter/media/post_attachments/uploadimage/library/16_9/16_9_0/BJP_1712157585.jpg)
BJP
ନିର୍ବାଚନରେ ହାରିଯିବା ଭୟରେ ଶାସକ ବିଜେଡି ଏବେ ରାଜ୍ୟର ମହିଳା, ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କୁ ଟଙ୍କା ବାଂଟୁଛି ବୋଲି ବିଜେପି ଅଭିଯୋଗ କରିଛି। ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଏକ ଦଳୀୟ ମିଶ୍ରଣ ପର୍ବରେ ମହିଳାମାନଙ୍କୁ ଶାଢ଼ୀ ବଂଟନ କରି ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରି ଆଜି ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ ହୋଇଛି।
ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ତଥ୍ୟ ଓ ପ୍ରମାଣ ସହ ଅଭିଯୋଗପତ୍ର ଦେଇଛନ୍ତି। ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବିଜୁ ଜନତା ଦଳ ପ୍ରତି ଓଡ଼ିଶାବାସୀ ବିମୁଖ ହେଉଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ଏବେଠୁ ସ୍ପଷ୍ଟ ହୋଇଗଲାଣି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପାଖରେ କେବଳ ଅର୍ଥ ବଳ ହିଁ ରହିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଟଙ୍କା ବଳ ଓ କ୍ଷମତା ବଳକୁ ପ୍ରୟୋଗ କରି ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି। ପରଜଙ୍ଗ ବିଧାୟକ ତଥା ବିଜେଡି ପ୍ରାର୍ଥୀ ନୃସିଂହ ଚରଣ ସାହୁ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ପିତଲାଧୂଆ ପଂଚାୟତର ବେଲବଣିସାହି ଗ୍ରାମରେ ଅନୁଷ୍ଠିତ ଏକ ଦଳୀୟ ମିଶ୍ରଣ ପର୍ବରେ ମହିଳାମାନଙ୍କୁ ଶାଢ଼ି ବଂଟନ କରିଥିଲେ। ସେଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ କରୁଣାକର ହେମ୍ରମ ମଧ୍ୟ ଉପସ୍ଥିତ ଥିଲେ। ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିଛନ୍ତି ଓ ଏହା ଧାରା ୧୭୧(ବି),(ଇ) ଅନୁଯାୟୀ ଦଣ୍ଡନୀୟ।
ସେହିପରି ନିର୍ବାଚନ ବୈତରଣୀ ପାର ହେବା ଲାଗି ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ପ୍ରଲୋଭନ ଦେଖାଇବା ଆରମ୍ଭ କରିଦେଇଛି ବିଜୁ ଜନତା ଛାତ୍ର ଦଳ। ସରକାରୀ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ବିଜେଡିର ଦଳୀୟ ଶଙ୍ଖ ଚିହ୍ନ ଲାଗିଥିବା ଗୋଟିଏ ଗୋଟିଏ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ବାଂଟୁଛନ୍ତି। ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ନଷ୍ଟ କରିଦେଇଥିବା ବିଜୁ ଜନତା ଦଳ ପ୍ରତ୍ୟେକ କଲେଜକୁ ଯାଇ ସରକାରୀ ପ୍ରଶାସନିକ ଅଧିକାରୀମାନଙ୍କ ସହାୟତାରେ ଗ୍ରୁପ ତିଆରି କରି ମିଟିଂ କରୁଛି। ନିର୍ବାଚନ ହାରିଯିବା ଭୟରେ ଛାତ୍ରଛାତ୍ରୀ ଓ ଯୁବକଙ୍କୁ ଟଙ୍କା ବାଂଟିବା କାର୍ଯ୍ୟ ବିଜେଡି ଆରମ୍ଭ କରି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ କରୁଛି।
ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତ। ଏହି ପ୍ରତିନିଧି ମଣ୍ଡଳୀରେ କସ୍ତୁରୀ ମିଶ୍ର, ସତ୍ୟବ୍ରତ ପଣ୍ଡା, ସୋନାଲୀ ସାହୁ, ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
