Advertisment

ବିଜେଡି ଗଢ଼ିଲା ଶୃଙ୍ଖଳା କମିଟି: ଦେବୀଙ୍କୁ ପୁଣି ଲଲିପପ୍‌, ଅଭିଜ୍ଞଙ୍କୁ ଅଣଦେଖା

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ରାଜ୍ୟସ୍ତରୀୟ ଶୃଙ୍ଖଳାଗତ କମିଟିରେ ୭ଜଣ ସଦସ୍ୟଙ୍କୁ ସ୍ଥାନିତ କରାଯାଇଥିବାର ସୂଚନା ଦିଆଯାଇଛି ।

Debi Mishra

Debi Prasad Mishra

Advertisment

ସାଧାରଣ ନିର୍ବାଚନରେ ପରାଜୟ ପରଠୁ ତୀବ୍ର ଗୋଷ୍ଠୀକନ୍ଦଳ ଓ ବିଶୃଙ୍ଖଳାର ଚରମସୀମାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଆଜି ନିଜର ଶୃଙ୍ଖଳା କମିଟି ଗଠନ କରିଛି । କମିଟିରେ ୭ଜଣ ସଦସ୍ୟଙ୍କୁ ସ୍ଥାନିତ କରିଥିବାବେଳେ ଏହାର ଅଧ୍ୟକ୍ଷ ନିଜେ ନବୀନ ରହିବେ ନା ଅନ୍ୟକେହି ତାହା ସ୍ପଷ୍ଟ ହୋଇନାହିଁ । ପ୍ରାୟ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ପରେ ବିଜେଡିକୁ ନିଜର ଶୃଙ୍ଖଳା କମିଟି ଗଠନ କରିବାର ଆବଶ୍ୟକତା କ’ଣ ପଡ଼ିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ଅଣଦେଖା କରି ଉଦ୍ଦେଶ୍ୟମୂଳକ ଭାବେ କମିଟିକୁ ଲୋକଦେଖାଣିଆ ଓ ଦନ୍ତହୀନ କରିବା ନିମନ୍ତେ ଉଦ୍ୟମ ହୋଇଥିବା ଜଣାପଡ଼ିଛି । ସାଧାରଣ ନିର୍ବାଚନ ପରେ ଅସନ୍ତୋଷ,ଆକ୍ରୋଶ ଓ ବିଶୃଙ୍ଖଳାର ଚରମସୀମାରେ ଥିବା ଦଳୀୟ ସଂଗଠନକୁ ସଜାଡ଼ିବା ପାଇଁ ଗତବର୍ଷ ଅଗଷ୍ଟ ମାସରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ଦେବୀପ୍ରସାଦ ମିଶ୍ରଙ୍କୁ ପୁଣିଥରେ ‘ଲଲିପପ୍‌’ ଦେଇ ଭଣ୍ଡେଇବାକୁ ପ୍ରୟାସ ହୋଇଛି । ଚଳିତମାସ ୫ତାରିଖରେ ତାଙ୍କୁ ଦଳର ବରିଷ୍ଠ ଉପସଭାପତି ଭାବେ ଦଳୀୟ ମୁଖ୍ୟାଳୟ ବା ‘ଶଙ୍ଖଭବନ’ ଜଗିବା ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ଏବେ ପୁଣିଥରେ ତାଙ୍କୁ ମେରୁଦଣ୍ଡବିହୀନ କମିଟିର ସଦସ୍ୟ କରି ପୁରସ୍କାର ଦିଆଯାଇଛି ନା ଅପମାନିତ କରାଯାଇଛି ତାହା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଥିବା ଅନ୍ୟ ନେତାମାନଙ୍କର ରାଜନୀତିକ ପୃଷ୍ଠଭୂମି, ଅଭିଜ୍ଞତା ଓ ଆଚରଣ ହିଁ ଏହି କମିଟିର ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି ।

Advertisment

ବିଜେଡିର ରାଜ୍ୟସ୍ତରୀୟ ଶୃଙ୍ଖଳାଗତ କମିଟି

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ରାଜ୍ୟସ୍ତରୀୟ ଶୃଙ୍ଖଳାଗତ କମିଟିରେ ୭ଜଣ ସଦସ୍ୟଙ୍କୁ ସ୍ଥାନିତ କରାଯାଇଥିବାର ସୂଚନା ଦିଆଯାଇଛି । କମିଟିରେ ଦେବୀପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର ଓ ଶାରଦା ପ୍ରସନ୍ନ ଜେନା ସଦସ୍ୟ ରହିଛନ୍ତି । ଦଳ ଗଠନ ପରେ ପ୍ରଥମଥର ପାଇଁ ଏଭଳି ଶୃଙ୍ଖଳାଗତ କମିଟି ଗଠନ ହୋଇଥିବା କୁହାଯାଉଛି ।  କମିଟିର ଅଧ୍ୟକ୍ଷ ଭାବେ କାହାରିକୁ ରଖାଯାଇନାହିଁ । ନବୀନ ସମ୍ଭବତଃ ଏହି କମିଟିର ଅଧ୍ୟକ୍ଷ ରହିବେ ।

ଦେବୀ ଓ ଚନ୍ଦ୍ରଶେଖରଙ୍କୁ ଲଲିପପ୍‌

ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଏହି କମିଟିରେ ସାମିଲ କରି ସେମାନଙ୍କୁ ‘ଲଲିପପ୍‌’ ଦେବାକୁ ପ୍ରୟାସ ହୋଇଛି । ଯଦିଓ ଏହି ଦୁଇ ବରିଷ୍ଠ ନେତା ଏବେ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡ଼ି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ସାଂସଦ ହୋଇଥିଲେ । କିନ୍ତୁ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କୁ ଗଞ୍ଜାମ ଦାୟିତ୍ୱ ଦେଇ ତାଙ୍କର ମାମଲାତିରେ ଚନ୍ଦ୍ରଶେଖରଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଟିକେଟରୁ ବଂଚିତ କରାଗଲା । ଆଉ ବିଜେପିରୁ ଡ଼ିଆଁ ମାରିଥିବା ଭୃଗୁ ବକ୍ସିପାତ୍ରଙ୍କୁ ରାତାରାତି ବ୍ରହ୍ମପୁର ଭଳି ଲୋକସଭା ଆସନର ଟିକେଟ୍ ବିଜେଡି ଧରାଇଦେଲା ।  ଚନ୍ଦ୍ରଶେଖରଙ୍କୁ ସନ୍ତୁଷ୍ଟ କରିବାକୁ ସେତେବେଳେ ତାଙ୍କୁ ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ କଲା ସତ କିନ୍ତୁ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଦିନଟିଏ ବି ଏହି କମିଟି ବୈଠକରେ ସାମିଲ ହେଲେନି ।  ଚନ୍ଦ୍ରଶେଖରଙ୍କୁ ଅସନ୍ତୁଷ୍ଟ କରାଇବା ଓ ରାଜନୀତିକ ଅନଭିଜ୍ଞ ମାନସ ମଙ୍ଗରାଜଙ୍କ ମାମଲାତିର ପରିଣତି ବିଜେଡିକୁ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବେଶ୍ ମହଙ୍ଗା ପଡ଼ିଲା । ନିଜର ଗଡ଼ ଥିବା ଜିଲ୍ଲାରେ ବିଜେଡି ମାତ୍ର ଗୋଟିଏ ଆସନ ଯାହାକି ନବୀନଙ୍କର ଥିଲା ତାକୁ ଅଳ୍ପ ଭୋଟ୍ ବ୍ୟବଧାନରେ ବଂଚାଇବାରେ ସକ୍ଷମ ହେଲା ।

Advertisment

ସେହିପରି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଭିକେ ପାଣ୍ଡିଆନ ଓ ତାଙ୍କ ଟିମ୍  ସଦସ୍ୟଙ୍କୁ ନେଇ ବଢ଼ୁଥିବା ଆକ୍ରୋଶକୁ ଦେଖି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ(ନମ୍ବର-ଟୁ) ଭାବେ ନିଯୁକ୍ତି ଦିଆଗଲା । ସେ ପ୍ରାୟ ୧୦ମାସ ଧରି ଏହି ପଦବୀରେ କାର୍ଯ୍ୟ କରି ଦଳର ସବୁବର୍ଗର ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପ୍ରୟାସ ଜାରି ରଖିବାବେଳେ ତାଙ୍କୁ ଅଚାନକ ‘ଶଙ୍ଖଭବନ’ ଦାୟିତ୍ୱ(ବରିଷ୍ଠ ଉପସଭାପତି, ହେଡକ୍ୱାର୍ଟର୍ସ) କରି ଅପମାନିତ କରାଗଲା । ଦେବୀଙ୍କୁ ଏହା ଏଭଳି ବାଧିଲା ଯେ ସେ ଭୁବନେଶ୍ୱର ଛାଡ଼ି ନିଜ ଗାଁରେ କିଛିଦିନ ରହିବାକୁ ବାଧ୍ୟ ହେଲେ । ଏବେ ପୁଣି ତାଙ୍କୁ ତୁଷ୍ଟୀକରଣ ନିମନ୍ତେ ଶୃଙ୍ଖଳା କମିଟିର ସଦସ୍ୟ କରାଯାଇଛି । ଯାହାକି ‘କଟା ଘା’ରେ ଚୂନ ସଦୃଶ’ । କମିଟିର ଅଧ୍ୟକ୍ଷ କରିଥିଲେ ହୁଏତ ଦେବୀଙ୍କ ସମ୍ମାନ ରକ୍ଷା ହୋଇପାରିଥାନ୍ତା ।

ଦଳୀୟ ବିଶୃଙ୍ଖଳା ଚରମସୀମାରେ

ସାଧାରଣ ନିର୍ବାଚନରେ ହାରିବା ପରଠୁ ଦଳ ବିଶୃଙ୍ଖଳାର ଚରମସୀମା ଦେଇ ଗତି କରୁଛି । ନିର୍ବାଚନ ପରାଜୟର ସମୀକ୍ଷା ପାଇଁ ଶଙ୍ଖଭବନରେ ଯେତିକି ବୈଠକ ହେଲା ସବୁଥିରେ ଦଳର ନେତାମାନେ ପରସ୍ପରର ବିରୋଧରେ ବର୍ଷିବା ସହ ପାଣ୍ଡିଆନଙ୍କ ମାମଲାତି ପାଇଁ ବିଜେଡି ପରାଜିତ ହେଲା ବୋଲି ଅଭିଯୋଗ କଲେ । ଆଉ ଏସବୁ ସମୀକ୍ଷା ବୈଠକ ଦେବୀଙ୍କ ଅଧ୍ୟକ୍ଷତାରେ ବସୁଥିଲା । କିନ୍ତୁ ପ୍ରାୟତଃ ସେତେବେଳେ ସବୁ ବୈଠକରେ ଦଳର ନେତାମାନେ ମୁହାଁମୁହିଁ ଓ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଉଥିଲା । ଅଶୋକ ପଣ୍ଡାଙ୍କ ସମର୍ଥକମାନେ ପ୍ରଣବପ୍ରକାଶ ଦାସଙ୍କୁ ଗାଳିଗୁଲଜ କରିବା, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ମନ୍ମଥ ରାଉତରାୟ ର୍ଦୁବ୍ୟବହାର କରିବା ଓ ତାଙ୍କ ପିତା କଂଗ୍ରେସନେତା ସୁର ରାଉତରାୟ ଅଶାଳୀନ ଟିକାଟିପ୍ପଣୀ କରିବା, ମୁଖପାତ୍ର ଇପସିତା ସାହୁଙ୍କୁ ଦଳୀୟ ନେତ୍ରୀ ଚାପୁଡ଼ା ମାରିବା ଭଳି ଘଟଣା ସମେତ ଦଳୀୟ ପରିଚାଳନାକୁ ନେଇ ବରିଷ୍ଠ ନେତାମାନେ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିବା ଏବେବି ବିଜେଡି ରାଜନୀତିକୁ ସରଗରମ କରି ରଖିଛି । ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ନେତାମାନେ ଦଳୀୟ ପରିଚାଳନାକୁ ନେଇ ଏବେବି ନିଜର କଠୋର ଆଭିମୁଖ୍ୟ ପୋଷଣ କରିବାରେ ଲାଗିଛନ୍ତି ।

ଚର୍ଚ୍ଚାରେ ଶାରଦା ଓ ୩ ମହିଳା ସଦସ୍ୟ

ଏହି କମିଟିରେ ୩ଜଣ ନେତ୍ରୀଙ୍କ ସମେତ କଂଗ୍ରେସରୁ ଆସି ବିଜେଡି ଟିକେଟରେ ବିଧାୟକ ହୋଇଥିବା ଶାରଦା ପ୍ରସାଦ ଜେନାଙ୍କୁ ମଧ୍ୟ ସାମିଲ କରାଯାଇଛି । ପ୍ରଥମଥର ବିଧାୟକ ଶାରଦାଙ୍କର କେଉଁ ଅଭିଜ୍ଞତା ତାଙ୍କୁ ଏହି ଶୃଙ୍ଖଳାଗତ କମିଟିରେ ସ୍ଥାନ ଦେଲା ତାହା କେବଳ ବିଜେଡିର ସେହି ଅଘୋଷିତ ସର୍ବେସର୍ବା ହିଁ ଜାଣିଥିବେ ବୋଲି କୁହାଯାଉଛି । ଦଳରେ ବହୁ ପୁରୁଖା ନେତା ଥାଇ ମଧ୍ୟ ପ୍ରଣବପ୍ରକାଶ ଦାସଙ୍କ ଚାଟୁକାର ପ୍ରତାପ ଦେବଙ୍କ ସୁପାରିଶରେ ତାଙ୍କ ଅନୁଗତ ଶାରଦାଙ୍କୁ ଏହି କମିଟିରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି । ସେହିପରି କମିଟିରେ ସାମିଲ ୩ଜଣ ନେତ୍ରୀ ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ ଓ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସାଂଗଠନିକ ଦକ୍ଷତା ଏବଂ ସେମାନଙ୍କର ପାରିବାପଣିଆ କେତେ ତାହା ରାଜ୍ୟ ରାଜନୀତିରେ କାହାରିକୁ ଅଛପା ନାହିଁ । ଲୋପାମୁଦ୍ରାଙ୍କୁ ବିଜେଡି ୨ଥର ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ଆସୀନ କରିଥିଲେ ମଧ୍ୟ କେବେ ତାଙ୍କୁ ମହିଳା ହିଂସା ବିରୋଧୀ ପ୍ରସଙ୍ଗରେ ମୁହଁ ଖୋଲିବାକୁ ଦେଖିବାକୁ ମିଳେନି । ରାଜଶ୍ରୀ ଓ ଶର୍ମିଷ୍ଠାଙ୍କ ସାଂଗଠନିକ ଦକ୍ଷତା ଓ ଶୃଙ୍ଖଳାଗତ ଜ୍ଞାନ କେବଳ ସେହି ବିଜେଡି ସର୍ବେସର୍ବାଙ୍କୁ ହିଁ ଜଣା । ସେହିପରି ସମସ୍ତ ପ୍ରକାରର ବିବାଦରୁ ନିଜକୁ ଦୂରେଇ ରଖୁଥିବା ଶାନ୍ତସରଳ ପ୍ରଦୀପ ଅମାତଙ୍କୁ ଏହି କମିଟିରେ ନିଆଯାଇଛି ।  କନ୍ଧମାଳ ଜିଲ୍ଲା ସଭାପତି ଦାୟିତ୍ୱ ପଦ୍ମନାଭ ବେହେରାଙ୍କୁ ମିଳିବା ପରେ ଅସନ୍ତୁଷ୍ଟ ଥିବା ଶ୍ରୀ ଅମାତଙ୍କୁ ଏବେ ସନ୍ତୁଷ୍ଟ ପାଇ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe