ଦୀର୍ଘ ୨୪ବର୍ଷ ପରେ କ୍ଷମତାଚ୍ୟୁତ ବିଜେଡି ନିଜର ସାଂଗଠନିକ ନବକଳେବର ପାଇଁ ଆସନ୍ତା ଅକ୍ଷୟ ତୃତୀୟାକୁ କଂଟ କରିଛି । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ସହ ଦଳର ସାଂଗଠନିକ ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୨୫ବର୍ଷ ବ୍ୟବଧାନରେ ଦଳ ପୁଣିଥରେ ‘ରାଜନୀତିକ ବ୍ୟାପାର କମିଟି’ ଗଢିବା ସହ ଦଳୀୟ ସମ୍ବିଧାନର ପ୍ରାବଧାନ ଆଧାରରେ ସାଂଗଠନିକ କର୍ମକର୍ତ୍ତାମାନ ନିଯୁକ୍ତି ଦେବାକୁ କସରତ ଚଳାଇଛି। ଅତୀତରେ ଦଳୀୟ ସମ୍ବିଧାନ ବାହାରକୁ ଯାଇ ‘ସାଂଗଠନିକ ସମ୍ପାଦକ’ ପଦବୀକୁ ଅଧିକ କ୍ଷମତାଶାଳୀ ଅର୍ଥାତ୍ ଦଳର ‘ନମ୍ବର-ଟୁ’ କରିଥିବା ତ୍ରୁଟିର ପୁନରାବୃତ୍ତି ଏଥର କରିବ ନାହିଁ ବୋଲି ଜଣାପଡ଼ିଛି।
ନବୀନ ନିବାସ ସୂତ୍ର ଅନୁସାରେ, ଆଂଚଳିକ ଦଳ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ କ୍ରମାଗତ ନବମ ଥର ପାଇଁ ଦଳର ସଭାପତି ହେବେ । ୨୦୨୩ ଫେବୃୟାରୀ ଶେଷ ସପ୍ତାହରୁ ନବୀନଙ୍କ ସଭାପତି କାର୍ଯ୍ୟକାଳ ଶେଷ ହୋଇସାରିଛି । ଏବେ ପୁଣିଥରେ ସାଂଗଠନିକ ନିର୍ବାଚନ ମାଧ୍ୟମରେ ତାଙ୍କୁ ପୁନର୍ବାର ୩ବର୍ଷ ପାଇଁ ଦଳର ସଭାପତି କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ଓ କ୍ଷମତାରୁ ବେଦଖଲ ହେବା ପଛର କାରଣ ଖୋଜା ନଯିବା ତଥା ଏହାର ସମୀକ୍ଷା ହେଉ ନଥିବାରୁ ଦଳ ଭିତରେ ଅସନ୍ତୋଷ ବଢ଼ିଚାଲିଛି । ଯେଉଁମାନଙ୍କ ପାଇଁ ଦଳକୁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା ସେମାନେ ଏବେବି ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିଥିବାରୁ ତାକୁ ନେଇ ଦଳରେ ଅସନ୍ତୋଷ ଚରମସୀମାରେ ପହଂଚିଛି।
ଦଳର ବରିଷ୍ଠ ନେତାମାନେ ନିରବ ରହି ସଂଗଠନ ପରିଚାଳନାର ଗତିବିଧିକୁ ଅନୁଧ୍ୟାନ କରୁଥିବାବେଳେ ସାଂଗଠନିକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ତେଣୁ ଦଳକୁ ସଂଗଠିତ କରି ରଖିବା ଓ ଅସନ୍ତୋଷକୁ ପ୍ରଶମିତ କରି ପୁଣିଥରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ସଂଗଠନକୁ କ୍ରିୟାଶୀଳ କରିବା ବିଜେଡି ନେତୃତ୍ୱଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଖାସ୍ ଏହି କାରଣରୁ ସାଂଗଠନିକ ନିର୍ବାଚନ ପାଇଁ ଦଳୀୟ ସମ୍ବିଧାନକୁ ଢାଲ କରାଯାଇଛି ।
ଏପଟେ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ନବୀନ ନିବାସରେ ରହି ସାଂଗଠନିକ ଗୋଟିଚାଳନା ଜାରି ରଖିଛନ୍ତି । ଦଳର ସମ୍ବିଧାନ ଆଧାରରେ କର୍ମକର୍ତ୍ତା ଚୟନ ଓ କମିଟି ଗଠନ ଉପରେ ଗୁରୁତ୍ୱ ଦେଇ ଗଳାବାଟ ମାଧ୍ୟମରେ ନିଜର ଏଂଟ୍ରିକୁ ସୁନିଶ୍ଚିତ କରାଇବାକୁ ରଣନୀତି କରୁଥିବା ଜଣାପଡ଼ିଛି । ଏହାସହିତ ୨୦୨୦ ମସିହା ସାଂଗଠନିକ ନିର୍ବାଚନ ପରେ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଯେଭଳି ‘ସାଂଗଠନିକ ସମ୍ପାଦକ’ ପଦବୀରେ ଅବସ୍ଥାପିତ କରି ଦଳର ନମ୍ବର-ଟୁ ଭାବେ ଲଦି ଦିଆଗଲା ସେଭଳି ସ୍ଥିତିକୁ ପୁଣିଥରେ ହଜମ କରିବା ମୁଡ୍ରେ ଅଧିକାଂଶ ଦଳୀୟ ନେତାମାନେ ନଥିବାରୁ ତାହା ବି ପାଣ୍ଡିଆନଙ୍କ ସମସ୍ୟା ବଢ଼ାଇଛି ।
ଏସବୁକୁ ଦୃଷ୍ଟିରେ ରଖି ବିଜେଡି ଦୀର୍ଘ ୨୫ବର୍ଷ ପରେ ଦଳର ରାଜନୀତିକ ବ୍ୟାପାର କମିଟି’କୁ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଦଳ ଇତିମଧ୍ୟରେ ନିଜର ସମ୍ବିଧାନରେ ସଂଶୋଧନ କରି ଏହି ରାଜନୀତିକ ବ୍ୟାପାର କମିଟିର ପୁନର୍ଗଠନ ପକ୍ରିୟାକୁ ମଧ୍ୟ ପରିବର୍ତ୍ତନ କରିଛି । ଦଳର ସଭାପତି ହିଁ ରାଜନୀତିକ ବ୍ୟାପାର କମିଟିର ଅଧ୍ୟକ୍ଷ ରହିବେ ବୋଲି ସମ୍ବିଧାନରେ ବ୍ୟବସ୍ଥା ହୋଇଛି । ସଂସଦ,ବିଧାନସଭା ଓ ଦଳର ସମସ୍ତ ନୀତି ଓ କାର୍ଯ୍ୟକ୍ରମକୁ ଏହି କମିଟି ନିୟନ୍ତ୍ରଣ ଓ ସମନ୍ୱିତ କରିବ । ଏହାସହିତ ସଂସଦ, ବିଧାନସଭା,ସହରାଂଚଳ ସ୍ୱାୟତ୍ତ ସଂସ୍ଥା ଓ ଜିଲ୍ଲାପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିବ।
ରାଜନୀତିକ ବ୍ୟାପାର କମିଟି ସହମତିଭିତ୍ତିରେ ନିଷ୍ପତ୍ତି ନେବେ । ଯଦି ମତପାର୍ଥକ୍ୟ ହୁଏ ତା’ହେଲେ ବହୁମତକୁ ଗୁରୁତ୍ୱ ଦିଆଯିବ । ଏହି ରାଜନୀତିକ ବ୍ୟାପାର କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୨ଜଣ ସଦସ୍ୟ ରହିବେ । ରାଜ୍ୟ ସଭାପତି, ବିଧାନସଭାରେ ଦଳର ନେତା, ବିଧାନ ପରିଷଦରେ ଦଳର ନେତା, ଲୋକସଭାରେ ଦଳର ନେତା, ରାଜ୍ୟସଭାରେ ଦଳର ନେତାଙ୍କ ସମେତ ରାଜ୍ୟ ସଭାପତିଙ୍କ ଦ୍ୱାରା ରାଜ୍ୟ ପରିଷଦରୁ ମନୋନୀତ ୬ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯିବ । ଅର୍ଥାତ୍ ଏହି କମିଟି ସମ୍ପୂର୍ଣ୍ଣ ଭାବେ ନବୀନଙ୍କ ନିୟନ୍ତ୍ରଣରେ ରହିବ ଓ ନବୀନ ଯାହାକୁ ଚାହିଁବେ ସିଏ ହିଁ ଏଥିରେ ସାମିଲ ହୋଇପାରିବେ ।
ଉଲ୍ଲେଖଯୋଗ୍ୟ, ଯଦିଓ ୧୯୯୭ ଡିସେମ୍ବରରେ ବିଜେଡି ଗଠନ ପରେ ୨୦୦୦ ଜାନୁୟାରୀ ମାସ ପର୍ଯ୍ୟନ୍ତ ‘ରାଜନୀତିକ ବ୍ୟାପାର କମିଟି’ର ଅଧ୍ୟକ୍ଷ ଭାବେ ବିଜୟ ମହାପାତ୍ର କାର୍ଯ୍ୟ କରିଥିଲେ । ମୂଳ ସମ୍ବିଧାନରେ ଥିବା ‘ରାଜନୀତିକ ବ୍ୟାପାର କମିଟି’ ଗଠନ ପ୍ରକ୍ରିୟାକୁ ଇତିମଧ୍ୟରେ ସଂଶୋଧନ କରି ନବୀନଙ୍କୁ ଅଧିକ କ୍ଷମତା ଦିଆଯାଇଛି ।
ସେହିପରି ଦଳର ସମ୍ବିଧାନର ଧାରା-ଏକ୍ସଆଇଆଇଆଇ(୪)ର ପ୍ରାବଧାନ ଅନୁସାରେ ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରୁ ବରିଷ୍ଠ ଉପସଭାପତି, ଉପସଭାପତି, ସଂଗଠନ ସମ୍ପାଦକ, କୋଷାଧ୍ୟକ୍ଷ, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭଳି ପଦବୀରେ ନବୀନ ପଦାଧିକାରୀଙ୍କୁ ନିଯୁକ୍ତି ଦେବେ । ତେଣୁ ତାଲିକାର ୩ନମ୍ବରରେ ଥିବା ‘ସଂଗଠନ ସମ୍ପାଦକ’ ପଦବୀକୁ ପୂର୍ବଭଳି ଅଧିକ କ୍ଷମତାଶାଳୀ କରିବା ଆଉ ଚଳିତଥର ସହଜ ହେବନି।
ଦଳ ମଧ୍ୟ ସମ୍ବିଧାନ ବର୍ହିଭୂତ କିଛି ପଦବୀ ସୃଷ୍ଟି କରି କିଛି ନେତାଙ୍କୁ ତୁଷ୍ଟୀକରଣର ନୀତି ଆପଣାଇବାକୁ ଏଡ଼ାଇ ଦିଆଯାଇନପାରେ । ସମ୍ବିଧାନର ଏହି ଧାରାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସଭାପତି ଚାହିଁଲେ ରାଜ୍ୟ କାର୍ଯ୍ୟକାରିଣୀ ବାହାରେ ଯେକୌଣସି ପଦବୀ ସୃଷ୍ଟି କରି ଯାହାକୁ ବି ନିଯୁକ୍ତି ଦେଇପାରିବେ । ନବୀନ ଯେହେତୁ ଏବେବି ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ରହିଛନ୍ତି,ତେଣୁ ପାଣ୍ଡିଆନ ହିଁ ବିଜେଡିର ସମ୍ବିଧାନକୁ ଆଳ କରି ନିଜକୁ ଦଳର ସର୍ବମୟ କର୍ତ୍ତା ହେବାର ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି ।
ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଶ୍ରୀଗୁଣ୍ଡିଚାରେ ବିଜେଡି ନିଜର ସଭାପତି ପଦରେ ନବୀନଙ୍କୁ ପୁଣିଥରେ ଅବସ୍ଥାପିତ କରାଇବାକୁ ଯୋଜନା ପ୍ରସ୍ତୁତ ଚାଲିଛି ।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ତୃଣମୂଳସ୍ତରରୁ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ନିର୍ଦ୍ଧାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ୱାର୍ଡ,ପଂଚାୟତ, ବ୍ଲକ,ପୌର ପରେ ଜିଳ୍ଲା, ରାଜ୍ୟ ପରିଷଦ ଓ ପରେ ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯିବ । ଏସବୁ ପ୍ରକ୍ରିୟା ଅଢ଼େଇରୁ ୩ମାସ ସମୟ ଲାଗିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରିଟର୍ଣ୍ଣିଂ ଅଫିସର ଶ୍ରୀ ଦେବ ଏହି ସାଂଗଠନିକ ନିର୍ବାଚନ ପାଇଁ ଜଣେ ଅବା ଏକାଧିକ ବ୍ୟକ୍ତିଙ୍କୁ ପ୍ରିଜାଇଡିଂ ଅଫିସର ନିଯୁକ୍ତି ଦେବା ସହ ଜିଲ୍ଲା ଓ ବ୍ଲକ ରିଟର୍ଣ୍ଣିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।