ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ତୁରନ୍ତ ଏହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ଦାବି ରଖିଛି।

ବିଜେପି ନେତ୍ରୀ ମାନେ

  • Published: Wednesday, 17 April 2024
  • , Updated: 17 April 2024, 10:39 PM IST

ଭୋଟରଙ୍କ ଉପରେ ଚାପ ପକାଇ ବିଜେଡି ସପକ୍ଷରେ ଭୋଟ୍ ହାତେଇବା ପାଇଁ ରାଜ୍ୟ ମିଶନ ଶକ୍ତି ବିଭାଗର ମୁଖ୍ୟ ସୁଜାତା କାର୍ତ୍ତିକେୟନ ଓ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀ କାର୍ଯ୍ୟ କରୁଛନ୍ତି । ଏନେଇ ବିଜେପି ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛି । ସେହିପରି ରାଜ୍ୟ ସଡ଼କ ପରିବହନ ନିଗମ ବସ ଯାତ୍ରୀ ଟିକେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ରହିଥିବାରୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେପି କହିଛି ।

ବିଜେପି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସରକାରୀ ଅଫିସର ଓ ଶାସକ ବିଜେଡି କିଭଳି ନିର୍ବାଚନକୁ ପ୍ରଭାବିତ କରୁଛି ସେ ନେଇ ଅଭିଯୋଗ କରିଛନ୍ତି । ବିଜେପି  ଅଭିଯୋଗ କରିଛି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହେବା ଉଚିତ । କିନ୍ତୁ କିଛି ସରକାରୀ ଅଧିକାରୀ ଏବେ ଶାସକ ଦଳର ହାତବାରିସି ସାଜି ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାର ଅପଚେଷ୍ଟା ଚଳାଇଛନ୍ତି । ରାଜ୍ୟ  ମିଶନ ଶକ୍ତି ବିଭାଗର ଦୁଇ ବରିଷ୍ଠ ଅଧିକାରୀ ଅମ୍ବିକା ଦାସ ଓ ବିନୋଦ ଜେନା ପ୍ରତ୍ୟକ୍ଷ ଭାବେ ସରକାରୀ ଅର୍ଥରେ ମିଶନ ଶକ୍ତିର ସଦସ୍ୟାମାନଙ୍କ ମାଧ୍ୟମରେ ଶାସକ ଦଳର ରାଜନୈତିକ କାର୍ଯ୍ୟକୁ ପରିଚାଳନା କରୁଛନ୍ତି।

ମିଶନ ଶକ୍ତିର ସରକାରୀ ଅଧିକାରୀ ଅମ୍ବିକା ଦାସ ଓ ବଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମିଳିତ ଉଦ୍ୟମରେ ଏକ ହ୍ୱାଟସଅପ୍ ଗ୍ରୁପ କରାଯାଇଛି । ଯେଉଁଥିରେ ଏମବିକେ, ବ୍ୟାଙ୍କମିତ୍ରକୁ ସାମିଲ କରି ସରକାରୀ ଅର୍ଥରେ ପ୍ରଚାର କାର୍ଯ୍ୟରେ ଲଗାଯାଉଛି । ଆଉ ଏସମସ୍ତ କଥା ବିଭାଗର ମୁଖ୍ୟ ତଥା ମିଶନଶକ୍ତି ସଚିବ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ୱରେ କରାଯାଉଛି । ବିଭିନ୍ନ ସମୟରେ ବିଜେଡିର ସମାବେଶକୁ ଲୋକ ପଠାଇବା ପାଇଁ ଏମାନେ ସହଯୋଗ କରୁଛନ୍ତି । ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଗୋଟିଏ ସ୍ଥାନରେ ରହି ଶାସକ ଦଳର ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି, ଯାହା ଆଦର୍ଶ ନିର୍ବାଚନ ଆଇନକୁ ଉଲଘଂନ କରୁଛି । ଏହା ଦଣ୍ଡନୀୟ ଅପରାଧ ।

ତେଣୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ତୁରନ୍ତ ଏହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ଦାବି ରଖିଛି । ଓଡ଼ିଶାରେ ମହିଳାମାନେ କିଭଳିଭାବେ ସଶକ୍ତ ହେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟି କୋଟି ଟଙ୍କା ପଠାଉଛନ୍ତି । କିନ୍ତୁ ଶାସକ ଦଳର ସଦସ୍ୟମାନେ ମିଶନଶକ୍ତିର ସଦସ୍ୟାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ନିଜ ଦଳୀୟ ପ୍ରଚାରରେ କର୍ମୀ ଭଳି କାର୍ଯ୍ୟରେ ଲଗାଉଛନ୍ତି ।

ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଯେଉଁ ବସ୍ ଗଡୁଛି ତା’ର ଟିକେଟ୍ ପଛପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି । ତେଣୁ ଏହାର ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ନିୟତି ଗିରି, ପଦ୍ମଜା ଦେବତା, ଚିତ୍ରଲେଖା ମହାନ୍ତି, ସୁବାସିନୀ ପୃଷ୍ଟି, ସୁଚରିତା ଜେନାମଣି, ତୃପ୍ତିମୟୀ ମକଦ୍ଦମ ଓ ମନ୍ଦାକିନି ପାତ୍ର ପ୍ରମୁଖ ସାମିଲ ଥିଲେ ।

Related story