Advertisment

ପାଣ୍ଡିଆନଙ୍କ ବୟାନକୁ ନେଇ ନବୀନଙ୍କୁ ଘେରିଲା ବିଜେପି, କହିଲା ତୁରନ୍ତ ଅବସର ନେଇଯାଆନ୍ତୁ

ଯଦି ପାଣ୍ଡିଆନ ଏଭଳି କହୁଛନ୍ତି ତା’ହେଲେ ରାଜ୍ୟରେ ଆଉ ବିଧାୟକ ଓ ମନ୍ତ୍ରୀମାନଙ୍କର ଆବଶ୍ୟକତା ନାହିଁ କି ବୋଲି ବିଜେପି ପ୍ରଶ୍ନ କରିଛି

bjp

bjp

Advertisment

ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଗତ ଦୁଇଦିନ ତଳେ ଦେଇଥିବା ଏକ ବୟାନକୁ ନେଇ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଘେରିଛି ବିଜେପି। ଶାସନଭାର ଠିକ୍ ଭାବେ ସମ୍ଭାଳି ପାରୁନଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଇଯାଆନ୍ତୁ ବୋଲି ବିଜେପି କଟାକ୍ଷ କରିଛି।

Advertisment

ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଦେବାଶୀଷ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେଡିର ଦୁଇନମ୍ବର ନେତା ଭିକେ ପାଣ୍ଡିଆନ ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ଅପିଲ୍ କରି ନିଜର ଯେଉଁ ଅସହାୟତା ବ୍ୟକ୍ତ କରିଛି ସେଥିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବାର ସ୍ପଷ୍ଟ ପ୍ରମାଣ ମିଳୁଛି। ପାଣ୍ଡିଆନ କହିଥିଲେ ଯେ “ଆପଣମାନେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜମା ଦେଖନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢ଼ୁଛନ୍ତି। ତେଣୁ ଦୁଇଟି ଭୋଟ୍ ଦେଇ ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ପାଣ୍ଡିଆନ କହିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଯଦି ପାଣ୍ଡିଆନ ଏଭଳି କହୁଛନ୍ତି ତା’ହେଲେ ରାଜ୍ୟରେ ଆଉ ବିଧାୟକ ଓ ମନ୍ତ୍ରୀମାନଙ୍କର ଆବଶ୍ୟକତା ନାହିଁ କି ବୋଲି ବିଜେପି ପ୍ରଶ୍ନ କରିଛି ।ଯଦି ନବୀନ ପଟ୍ଟନାୟକ ସବୁ ଜାଗାରେ ଲଢ଼ିବେ, ତାହାଲେ ସାଂସଦ ଓ ବିଧାୟକ କାହିଁକି ପ୍ରାର୍ଥୀପତ୍ର ଦାଖଲ କରିବେ? ନବୀନ ଏକାକୀ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରନ୍ତୁ ବୋଲି ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟବାସୀ ଦୀର୍ଘ ୨୪ ବର୍ଷ ହେଲା ବିଜେଡି ହାତରେ ଶାସନ କ୍ଷମତା ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ବାସ୍ତବରେ ଏବେ ବିଜେଡି ନେତା, ମନ୍ତ୍ରୀ, ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧିମାନଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ସମସ୍ତଙ୍କ ସମ୍ମାନ ଓ ସ୍ୱାଭିମାନକୁ କାଢ଼ି ନେଇ ନାଳ ନର୍ଦ୍ଦମାରେ ବିଜେଡି ପକାଇ ଦେଇଛି। ବିଜେଡି ସାଂସଦମାନେ ଦିଲ୍ଲୀରେ କ'ଣ କରୁଥିଲେ ଓ କ'ଣ କରିବେ? ଭର୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଅଭିଜ୍ଞ ସାଂସଦଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ଓ ବାଚସ୍ପତି କରିବାକୁ ମୋଦିଜୀ ଚାହୁଁଥିଲେ। କିନ୍ତୁ ନବୀନ ପଟ୍ଟନାୟକ ସହମତି ନଦେବା ଯୋଗୁ ସେ ସୁଯୋଗ ଓଡ଼ିଶା ହରାଇଲା। ୨୪ବର୍ଷ ଧରି ନବୀନ ପଟ୍ଟନାୟକ ଜଣେ ହେଲେ ଓଡ଼ିଆକୁ ଉଚ୍ଚସ୍ଥାନରେ ବସାଇ ପାରିଲେ ନାହିଁ। ଯେଉଁ ଓଡ଼ିଆ ଉଚ୍ଚପଦବୀରେ ଥିଲେ ତାଙ୍କୁ କାଢ଼ି ଦେଲେ ଓ ଫୋପାଡି ଦେଲେ। ଯଦି ଜ୍ଞାନୀ ଲୋକଙ୍କ ବିଜେଡିରେ ସମ୍ମାନ ଏମିତି ତାହାଲେ ସାଧାରଣ କର୍ମୀମାନଙ୍କ ଅବସ୍ଥା କ'ଣ ଏଥିରୁ ସ୍ପଷ୍ଟ ଜଣାପଡୁଛି।

Advertisment

ନିର୍ବାଚନ ଆସିଲା ବୋଲି ନବୀନ ନିବାସର ଗେଟ୍ ଖୋଲା ହେଲା। ପ୍ରାର୍ଥୀପତ୍ର ଦାଖଲ ସରିବା ପରେ ପୁଣି ଗେଟ୍ ଚାବି ପଡ଼ିଯିବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା ବିଜେଡିର ଦୁଇ ନମ୍ବର ନେତାଙ୍କୁ (କା’) ଙ୍କୁ ଭେଟିପାରିବେ ନାହିଁ ଖୋଦ୍ ବିଜେଡି ନେତା ଏବଂ ରାଜ୍ୟବାସୀ। ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଭଣ୍ଡେଇବା, ବିଭ୍ରାନ୍ତ ଓ ଛଳନା ଆଉ କେତେଦିନ ବିଜେଡି କରିବ ? ଏ ଛଳନା ଓ ବିଭ୍ରାନ୍ତିକର କଥାକୁ ଓଡ଼ିଶାବାସୀ ଆଉ ଗ୍ରହଣ କରିବେ ନାହିଁ। ସ୍ୱାଭିମାନୀ ଓଡ଼ିଆ ଜାତି କାହା ପଛରେ ନଗୋଡ଼ାଇ ଓଡ଼ିଆ ମାଟିର ଆତ୍ମଗୌରବ ରକ୍ଷା ପାଇଁ ନିଷ୍ପତ୍ତି ନେଇଛି। ୨୦୨୪ ସାଧାରଣ ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରାଯିବା ସହିତ ଓଡ଼ିଶାରେ ମଧ୍ୟ ବିଜେପିର ସରକାର ଗଠନ ହେବ। ଆଉ ବିଜେପି ସରକାର କଲେ ଓଡ଼ିଆ ସ୍ୱାଭିମାନ ଓ ସମ୍ମାନର ସୁରକ୍ଷା ପ୍ରାଥମିକ କର୍ତ୍ତବ୍ୟ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାକୁ ବିଜେଡିର ଅଣଓଡ଼ିଆ ଦଲାଲମାନେ ଲୁଟି ନେଇଛନ୍ତି। ବିଜେଡି ଠିକାଦାରମାନଙ୍କ ପାର୍ଟି ସାଜିଛି।

ମାଲକାନଗିରି, କୋରାପୁଟ, କାଶୀପୁର ଆଦି ଅଂଚଳରେ ଆଜି ବି ଗରିବ ଲୋକେ ବିନା ଲାଇଟ ଓ ଫ୍ୟାନରେ ମାଟି ତଳେ ଶୋଉଛନ୍ତି। ତେଣୁ ଶାସନଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ନିଅନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସଜ୍ଜନ ଶର୍ମା, ସତ୍ୟବ୍ରତ ପଣ୍ଡା, ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe