Advertisment

ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଲେ ଦୁଇ ବିଧାୟକ ବ୍ରଜ ଓ ଚନ୍ଦ୍ରସାରଥୀ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳୀୟ ବିଧାୟକମାନଙ୍କ କାର୍ଯ୍ୟ ଓ ଆଚରଣ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

author-image
Ordigital Desk
Brajakishore Pradhan and Chandrasarathi Behera

Brajakishore Pradhan and Chandrasarathi Behera

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳୀୟ ବିଧାୟକମାନଙ୍କ କାର୍ଯ୍ୟ ଓ ଆଚରଣ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମ୍ପୃକ୍ତି ଥିବା ଦୁଇଟି ଅଡିଓ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି । ଯାହାକି ବିରୋଧୀଙ୍କୁ ସମାଲୋଚନାର ଖୋରାକ ଯୋଗାଇଛି । ଫାଇଭ-ଟି ସଚିବଙ୍କ ଅନୁଗୁଳ ଜିଲ୍ଲା ଗସ୍ତବେଳେ ରାଧା ପାଇଁ ଦୋଳି ସଜା ଓ ପୁଷ୍ପ ବର୍ଷା ସହ ଅଧିକ ସଂଖ୍ୟକ ଲୋକ ସଭାରେ ଉପସ୍ଥିତ ହେବେ ସେ ନେଇ ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କ ଏକ ଅଡିଓକୁ ନେଇ ବିଜେପି କଡ଼ା ସମାଲୋଚନା କରିଥିବାବେଳେ କଟକ ସଦର ବିଧାୟକ ଶ୍ରୀ ବେହେରାଙ୍କ ଆନୁଗତ୍ୟ ପାଳନ ନିମନ୍ତେ ମହିଳାମାନେ ଶପଥ ପାଠ କରିବାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ବିଜେଡି ସହ ଜଡ଼ିତ ମହିଳାମାନେ ବିଧାୟକଙ୍କୁ ଖୁସି କରିବାକୁ ଶପଥ ନେଉଥିବା ଦେଖିବାକୁ ମିଳୁଛି ।

Advertisment

ସୂଚନା ଅନୁସାରେ, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ତାଳଚେର ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ତା’ପୂର୍ବରୁ ତାଳଚେର ବିଧାୟକ ଶ୍ରୀ ପ୍ରଧାନ ଏକ ପ୍ରସ୍ତୁତି ବୈଠକ କରି ଦଳୀୟ କର୍ମୀମାନଙ୍କୁ ଏହି କାର୍ଯ୍ୟକ୍ରମ ସଫଳ କରିବାକୁ ପରାମର୍ଶ ଦେଉଛନ୍ତି । ଭାଇରାଲ ହେଉଥିବା ଏ ସଂକ୍ରାନ୍ତ ଭିଡିଓରେ ଶ୍ରୀ ପ୍ରଧାନ କହୁଛନ୍ତି ଯେ, ରାଧା ପାଇଁ ଦୋଳି ସଜାଇଲେ ଓ ପୁଷ୍ପ ବର୍ଷା ହେଲେ ସିନା ସେ ଖୁସି ହୋଇ ଆମ ଅଂଚଳକୁ ଅଧିକ ପାଣ୍ଠି ଦେବେ । ଫାଇଭ-ଟି ସଚିବଙ୍କ ସଭାରେ ଯେଭଳି ଅଧିକ ସଂଖ୍ୟକ ଲୋକେ ହେବେ ସେଥିପାଇଁ ସେ ଲୋକମାନଙ୍କୁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି । ଯାହାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ବିଜେପିର ତାଳଚେର ବିଧାୟକ ପ୍ରାର୍ଥୀ ତଥା ମୁଖପାତ୍ର କାଳନ୍ଦୀ ସାମଲ ଆଜି କଡ଼ା ଭାଷାରେ ବିଧାୟକ ଶ୍ରୀ ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି । ବୀର ଓ ସ୍ୱାଭିମାନର ମାଟି ତାଳଚେରର ସ୍ୱାଭିମାନକୁ ବିଧାୟକ ଶ୍ରୀ ପ୍ରଧାନ ତଳିତଳାନ୍ତ କରିଛନ୍ତି । ତୁରନ୍ତ ତାଳଚେରବାସୀଙ୍କୁ କ୍ଷମା ମାଗନ୍ତୁ । ଜଣେ ସଚିବଙ୍କୁ ଖୁସି କରିବାକୁ ବିଧାୟକ ଯେ କେତେ ତତ୍ପର ତାହା ଏହି ଅଡିଓରୁ ଜଣାପଡ଼ିଯାଉଛି । ଜଣେ ନିର୍ବାଚିତ ଜନପ୍ରତିନିଧି ହୋଇ ସଚିବଙ୍କ ଗସ୍ତକୁ ସଫଳ କରିବାକୁ ବିଧାୟକ କିଭଳି ନିଜର ସ୍ୱାଭିମାନ ସହ ସାଲିସ୍ କରିଛନ୍ତି ତାକୁ ନେଇ ଶ୍ରୀ ସାମଲ କଡ଼ା ଭାଷାରେ ନିନ୍ଦା କରିବା ସହ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି ।

ଏପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ମହିଳା ସଂଘବଦ୍ଧ ହୋଇ କଟକ ସଦର ବିଜେଡି କାର୍ଯ୍ୟାଳୟରେ ଶପଥ ପାଠ କରୁଥିବା ଦେଖିବାକୁ ମିଳିଛି ।  ମହିଳାମାନେ ଶପଥ ନେଇ କହୁଛନ୍ତି ଯେ, “ ଆମେ ଆମ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଆନୁଗତ୍ୟ ପାଳନ କରିବୁ । ବିଧାୟକଙ୍କ କୌଣସି କାର୍ଯ୍ୟରେ ବାଧାବିଘ୍ନ କରିବୁ ନାହିଁ । ବିଧାୟକଙ୍କ ନିର୍ଦ୍ଦେଶରେ କାମ କରିବୁ । ଯାହା ସବୁ କାମ ଦେବେ ନିଃସ୍ୱାର୍ଥପର ଭାବେ ଯଥାସମ୍ଭବ କାମ କରିବୁ ।” ଏଭଳି ଶପଥ ପାଠର ଭିଡିଓକୁ ନେଇ କଟକ ରାଜନୀତି ସରଗରମ ହୋଇଛି । ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳା ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ମହିଳାମାନଙ୍କୁ ଏଭଳି ଶପଥ ପାଠ କରାଇବା ପଛରେ ଚନ୍ଦ୍ରସାରଥୀଙ୍କର କ’ଣ ଉଦ୍ଦେଶ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବିଧାୟକମାନଙ୍କ ଆନୁଗତ୍ୟ ପାଳନ ପାଇଁ କ’ଣ ବିଜେଡି ନିଜର କର୍ମୀମାନଙ୍କୁ ଏଭଳି ଶପଥ ପାଠ କରାଇବାକୁ ନିର୍ଦ୍ଦେଶ ଦେଇଛି କି? ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରାଙ୍କର ଏଭଳି କି ସମସ୍ୟା ଉପୁଜିଲା ଯେ, ସେ ମହିଳମାନଙ୍କୁ ଶପଥ ପାଠ କରାଇ ନିଜ ସହ ବାନ୍ଧି ରଖିବାକୁ ଉଦ୍ୟମ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ । ଅବଶ୍ୟ ଏହି ଅଡିଓ ଓ ଭିଡିଓ ଭାଇରାଲ ହେବାପରେ ବି ଦୁଇ ବିଧାୟକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ମାତ୍ର ଦୁଇ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ଏବେ ବିଜେଡିକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି।

Advertisment
BjD