“ବିଡିଓମାନେ ଆମ କଥା ଶୁଣୁନାହାନ୍ତି, ଆମକୁ ସମ୍ମାନ ଦେଉନାହାନ୍ତି କି ବସିବାକୁ ଚେୟାର ଦେଉନାହାନ୍ତି । ବିଧାୟକମାନଙ୍କ ସହ ଅନେକ ଅଫିସର ଭଲ ସମ୍ପର୍କ ମଧ୍ୟ ରଖୁନାହାନ୍ତି । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ରଖିନାହାନ୍ତି । ଭିଡିଓ କନଫରେନ୍ସିଂରେ ମୋର ଭାଷଣ ଆସିଲେ ଟିଭି ବନ୍ଦ କରି ଲୋକଙ୍କୁ ପଳାଇଯିବାକୁ ବି କହୁଛନ୍ତି । ଏସବୁ କେବେବି ବରଦାସ୍ତ କରାଯିବ ନାହିଁ । ମୁଁ ଆଦିବାସୀ, ତଳୁ ଆସିଛି କିନ୍ତୁ ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ । ମୁଁ କଠୋର ନିଷ୍ପତ୍ତି ନେବାରେ ସକ୍ଷମ ।” କିଛି ଏଭଳି ଢଙ୍ଗରେ ଗୁରୁବାର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଡିଓ ଓ ମୁଖ୍ୟ ଉନ୍ନୟନ ଅଧିକାରୀ-ସିଡିଓ(ପୂର୍ବରୁ ଡିଆରଡିଏ ପିଡି)ଙ୍କ ସମ୍ମିଳନୀକୁ ଉଦଘାଟନ କରି ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହିତ ତାଙ୍କ ସରକାରଙ୍କ ସହ ସେଟଅପ୍ ନେବାକୁ ତାଗିଦ୍ ମଧ୍ୟ କରିଛନ୍ତି ।
ପୁରୁଣା ଅଭ୍ୟାସ ଛାଡ଼,ଲୋକଙ୍କ କାମ କର
ଆଜିର ବୈଠକରେ ପୁରା ଫର୍ମରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପୂର୍ବ ସରକାର ତୁଳନାରେ ଏବେ ଅଧିକ ସ୍ୱାଧୀନତା ଓ କ୍ଷମତା ଦିଆଯାଇଛି । କୌଣସି ରାଜନୀତିକ ଚାପର ବଶବର୍ତ୍ତୀ ନହୋଇ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ବିଧାୟକ-ବିଧାୟିକାଙ୍କ ଅଭିଯୋଗ ଶୁଣନ୍ତୁ। ସେମାନଙ୍କୁ ସମ୍ମାନ ଦିଅନ୍ତୁ । ଅନେକ ବିଡିଓ ବିଧାୟକମାନଙ୍କୁ ଚେୟାର ବି ଦେଉନାହାନ୍ତି । ଏହାକୁ ତୁରନ୍ତ ସୁଧାରନ୍ତୁ । ଅଭିଯୋଗ ନେଇ ଯାଉଥିବା ଲୋକଙ୍କୁ ଦୟାର ପାତ୍ର ନଭାବି ନିଜକୁ ଲୋକଙ୍କ ସେବକ ଭାବି କାର୍ଯ୍ୟ କରନ୍ତୁ । ସରକାର ବଦଳିବାର ୨-୩ମାସ ପର୍ଯ୍ୟନ୍ତ ଶଙ୍ଖ ବାଲାଙ୍କ ପାଇଁ କାମ କରିବାର ମାନସିକତାରେ ସମସ୍ତେ ଥିଲେ । ଆମ ଲାଇନରେ ସେଟଅପ୍ ହେବାକୁ ପଡ଼ିବ । ବାହାନା ଦେଖାଇଲେ ଆଉ ଚଳିବ ନାହିଁ ।
ମୋ’ ଭାଷଣବେଳେ ଟିଭି ବନ୍ଦ କଲେ କ୍ଷମା ନାହିଁ
ଅଫିସରମାନଙ୍କ ଅବହେଳା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, “କିଛି ବିଡିଓ ମୋ ସହ ଭଲ ସମ୍ପର୍କ ମଧ୍ୟ ରଖୁନାହାନ୍ତି। ଭିଡିଓ କନଫରେନ୍ସିଂରେ ମୋ ଭାଷଣ ଆସିଲେ ଟିଭି ବନ୍ଦ କରି ଦେଉଛନ୍ତି । ଲୋକଙ୍କୁ ପଳାଇବାକୁ କହୁଛନ୍ତି । ଏହା କେବେବି ବରଦାସ୍ତ କରାଯିବ ନାହିଁ । ମୁଁ ଆଦିବାସୀ, ତଳୁ ଆସିଛି । ସରପଂଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ମୋ ପାଖରେ ସମସ୍ତଙ୍କ ରିପୋର୍ଟ ଅଛି । ମୋ ସରଳତାକୁ ଦୁର୍ବଳତା ନଭାବନ୍ତୁ। ସେକାଳ ପଖାଳ ଆଉ ନାହିଁ ।”
ମନରେଗାରେ ମେସିନ୍ ନୁହେଁ ଲୋକଙ୍କୁ କାମ ଦିଅ
ମନରେଗା ଯୋଜନାରେ ଅନିୟମିତତା ଉପରେ କଡ଼ା ନଜର ରଖି ତୁରନ୍ତ ମେସିନ୍ ବ୍ୟବହାର ବନ୍ଦ କରି ଶ୍ରମିକଙ୍କୁ କାମ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମଷ୍ଟର ରୋଲରେ ରାମ, ଦାମଙ୍କ ନାଁ ଲେଖାଯାଉଛି । କିନ୍ତୁ କାମ ମେସିନ୍ କରୁଛି । ଯାହାର ନାଁ ମଷ୍ଟରରୋଲରେ ଅଛି ଥେିରୁ କିଏ ଅଧ୍ୟାପକ ଅଛି ତ କିଏ ଡାକ୍ତର ଅଛି । ଏସବୁ ଆଉ ଚାଲିବ ନାହିଁ । ଖୁବଶୀଘ୍ର ମନରେଗା ଗାଇଡଲାଇନ ଆସିବ । ଲୁଚେଇକି କାମ କଲେ ମଧ୍ୟ ଧରାପଡ଼ିଯିବ । ତେଣୁ ମନରେଗାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରନ୍ତୁ । ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ଏହା ସଫଳ ହେଲେ ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମଧ୍ୟ କମିଯିବ ବୋଲି କହିଛନ୍ତି ।
୨୦୨୬ସୁଦ୍ଧା ଶତପ୍ରତିଶତ ପାନୀୟ ଜଳ
ମେଗା ପାନୀୟ ଜଳ ପ୍ରକଳ୍ପକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଡିଓମାନଙ୍କୁ ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗଜପତିରେ ଆଜି ମଧ୍ୟ ପାନୀୟଜଳ ସମସ୍ୟା ରହିଛି । ପୂର୍ବ ସରକାର ୨୦୨୪ ସୁଦ୍ଦା ୯୦ ପ୍ରତିଶତ ଲୋକଙ୍କୁ ପାନୀୟ ଜଳ ଦେବେ ବୋଲି କହିଥିଲେ । କିନ୍ତୁ ତାହା ହୋଇପାରିଲା ନାହିଁ । ଆମେ ୨୦୨୬ ସୁଦ୍ଧା ଶତପ୍ରତିଶତ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛୁ । ବିଡିଓମାନେ ଏନେଇ ବାଟ କାଢ଼ିବେ, କେବଳ ଜିଲ୍ଲାପାଳ କିମ୍ବା ମନ୍ତ୍ରୀ କହିଦେଲେ ହେବ ନାହିଁ ।
ବିଡିଓଙ୍କ ରିପୋର୍ଟ କାର୍ଡ ଯାଂଚ
ଜିଲ୍ଲାପାଳମାନଙ୍କ ଜରିଆରେ ବିଡିଓମାନଙ୍କ ରିପୋର୍ଟ କାର୍ଡ ମଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଯେଉଁ ଅଧିକାରୀ ନନଫରର୍ମର ହେବେ ତାଙ୍କୁ ଗ୍ରହଣ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ସେସବୁ ନିଜେ ସମୀକ୍ଷା କରିବେ । କାମରେ ଅବହେଳା କିମ୍ବା ଟେକନିକାଲ ସମସ୍ୟା ଥିଲେ ଉପରିସ୍ତ ଅଫିସରଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଛନ୍ତି । କଥାରେ ନୁହେଁ, କାମରେ ଫଳାଫଳ ଦେଖାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପଂଚାୟତିରାଜ ମନ୍ତ୍ରୀଙ୍କ ତାଗିଦ୍
ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମଧ୍ୟ ସିଡିଓ ଓ ବିଡିଓମାନଙ୍କୁ ରାଜନୀତିକ ଚାପରୁ ମୁକ୍ତ ରହି ସରକାରଙ୍କ ଆଭିମୁଖ୍ୟକୁ ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।
ପଲଟିକାଲ ଆଙ୍ଗଲରେ କାମ କରିବାରେ ଅସୁବିଧା ହୋଇପାରେ । କିନ୍ତୁ ସରକାରଙ୍କ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ । ବିକଶିତ ଗାଁ ଓ ବିକଶିତ ଓଡ଼ିଶା ପାଇଁ ସରକାର କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏବାବଦରେ ୪୦୦କୋଟି ନୁହେଁ ୫ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ଗ୍ରାଉଣ୍ଡରେ ସମସ୍ୟା ଥିଲେ ବିଭାଗକୁ ଜଣାନ୍ତୁ ତା’ର ସମାଧାନ କରିବା । ମନରେଗାରେ ସାଧାରଣ ଲୋକଙ୍କୁ ରୋଜଗାର ମିଳୁ ବୋଲି ଶ୍ରୀ ନାଏକ କହିଛନ୍ତି ।
ମିଟିଂ କମାଇ ଫିଲଡ୍କୁ ଯାଅ
ମୁଖ୍ୟ ସଚିବ ମନୋଜ ଆହୁଜା ସମ୍ମିଳନୀରେ ସିଡିଓ ଓ ବିଡିଓମାନଙ୍କୁ ମିଟିଂ(ବୈଠକ) ହ୍ରାସ କରି କ୍ଷେତ୍ର ପରିଦର୍ଶନରେ ଯିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ସହ ମିଶନ୍ତୁ । ସରକାରୀ ସୁବିଧା ସେମାନଙ୍କୁ ମିଳୁଛି କି ନାହିଁ ତାହା ଯାଂଚ କରନ୍ତୁ । ଅଭିଯୋଗ ଶୁଣାଣି ଓ ସମାଧାନକୁ ପ୍ରାଥମିକତା ଦିଅନ୍ତୁ । ସରକାରଙ୍କ ଭିଜନକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ସହ ବ୍ଲକସ୍ତରରେ ସମନ୍ୱୟ ରକ୍ଷା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।