Advertisment

ଓଡ଼ିଆ ଅସ୍ମିତା: କ୍ୟାବିନେଟ୍ ନିଷ୍ପତ୍ତିର ୧୦ମାସ ପରେ ଗଢ଼ିଲେ କମିଟି, କାର୍ଯ୍ୟକାରିତା କେବେ

ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ତଥା ନିର୍ବାଚନୀ ପ୍ରତିଶ୍ରୁତି ଅନୁରୂପ ମୋହନ ମାଝୀଙ୍କ ସରକାର ୨୦୨୪ ଜୁନ୍ ୧୨ତାରିଖରେ କ୍ଷମତାକୁ ଆସିବାର ମାତ୍ର ମାସକ ମଧ୍ୟରେ ୨୦୨୪ ଜୁଲାଇ ୧୦ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଅସ୍ମିତା ପାଇଁ ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପତ୍ତି ନେଲେ । ଏହି ନିଷ୍ପତ୍ତିର ୧୫ଦିନ ପରେ ବାର୍ଷିକ ବଜେଟରେ ମଧ୍ୟ ଅର୍ଥବରାଦ କଲେ । କିନ୍ତୁ ବିଜେପିର ନିର୍ବାଚନୀ ଜିତିବାର ଅମୋଘ ଅସ୍ତ୍ର ‘ଓଡ଼ିଆ ଅସ୍ମିତା’ ନିମନ୍ତେ କ୍ୟାବିନେଟ୍ ୧୦ମାସ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାରିଲା ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Ordigital Desk
Lokaseva Bhavan

Lokaseva Bhavan

ସାଧାରଣ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ଅସ୍ତ୍ର କରି ଅପ୍ରତ୍ୟାଶିତ ଢଙ୍ଗରେ ଆଶାତୀତ ସଫଳତା ପାଇଥିବା ବିଜେପି ସରକାର ନିଜର ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ରାଜ୍ୟରେ କ୍ଷମତାକୁ ଆସିବାର ମାତ୍ର ଏକମାସ ନପୁରୁଣୁ କ୍ୟାବିନେଟ୍ ବୈଠକରେ ‘ଓଡ଼ିଆ ଅସ୍ମିତା’ ପାଇଁ ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବାକୁ ମଧ୍ୟ ନୀତିଗତ ନିଷ୍ପତ୍ତି ନେଲେ । କିନ୍ତୁ ଏହି ପାଣ୍ଠି ଗଠନ ତ ଦୂରର କଥା ଉକ୍ତ କ୍ୟାବିନେଟ୍ ନିଷ୍ପତ୍ତିକୁ ପ୍ରାୟ ୧୦ମାସ ପକାଇ ରଖିବା ପରେ ଏବେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ପରିଚାଳନା ନିମନ୍ତେ ବୁଧବାର ରାଜ୍ୟ ସରକାର ଏକ ପର୍ସନାଲ ଲେଜର(ପିଏଲ) ଆକାଉଣ୍ଟ ଖୋଲିବା ସହ ଏହି ପାଣ୍ଠି ପରିଚାଳନା ଓ ଉପଯୋଗ ନିମନ୍ତେ ଏକ କମିଟି ଗଠନ କରିଛନ୍ତି । ତେବେ ୨୦୨୪ ଜୁଲାଇ ୧୦ରେ କ୍ୟାବିନେଟ୍ ନିଷ୍ପତ୍ତି ଓ ଜୁଲାଇ ୨୫ରେ ବିଧାନସଭାରେ ଉପସ୍ଥାପିତ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଏହି କର୍ପସ ପାଣ୍ଠି ଗଠନ ନିମନ୍ତେ ୨୦୦କୋଟି ଟଙ୍କାର ଅର୍ଥ ବରାଦ ସତ୍ତ୍ୱେ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ କାହିଁକି ୧୦ମାସ ଚୁପ୍ ବସିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ

ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମେ’ ୨୮ତାରିଖରେ ଏକ ବିଜ୍ଞପ୍ତି ଜାରି କରି ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ନିମନ୍ତେ ଅର୍ଥ ବିଭାଗ ଓ ଏଜିଙ୍କ ଅନୁମୋଦନରେ ପିଏଲ୍ ଆକାଉଣ୍ଟ ଖୋଲିଥିବା ନେଇ ସୂଚନା ଦେଇଛି । ଏହି କର୍ପସ ପାଣ୍ଠିର ପରିଚାଳନା ଓ ଉପଯୋଗ ପାଇଁ କମିଟି ଗଠନ ସହ ଏହା କେଉଁ ଲକ୍ଷ୍ୟ ନେଇ କାର୍ଯ୍ୟ କରିବ ତାହା ମଧ୍ୟ ବିଜ୍ଞପ୍ତିରେ ଦର୍ଶାଇଛନ୍ତି । ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା ଓ ରାଜ୍ୟର କଳା,ସ୍ଥାପତ୍ୟ,ସଂସ୍କୃତି ଓ ଐତିହ୍ୟର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ବିଭାଗ କହିଛି ।  ଓଡ଼ିଆ ଅସ୍ମିତା ଫଣ୍ଡ ମ୍ୟାନେଜମେଂଟ କମିଟିର ଅଧ୍ୟକ୍ଷଙ୍କ ନାଁରେ ପିଏଲ ଆକାଉଣ୍ଟ ଖୋଲାଯିବ । ଏହି କର୍ପସ ପାଣ୍ଠି ପରିଚାଳନା ଓ ଉପଯୋଗ ପାଇଁ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଫଣ୍ଡ ମ୍ୟାନେଜମେଂଟ କମିଟି ଗଠନ କରାଯାଇଛି । ଏହି କମିଟି ସଦସ୍ୟ ସଚିବ ଭାବେ ବିଭାଗର ଅତିରିକ୍ତ ସଚିବ ଅବା ସ୍ୱତନ୍ତ୍ର ସଚିବ କାର୍ଯ୍ୟ କରିବେ । କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ, ଆଇନ, ସୂଚନା ଓ ଲୋକସମ୍ପର୍କ ଏବଂ ଅନୁସୂଚିତ ଜାତି-ଜନଜାତି ବିଭାଗର ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିବେ । କମିଟି କର୍ପସ ପାଣ୍ଠିର ଆର୍ଥିକ ବଂଟନକୁ ଅନୁମୋଦନ କରିବା ସହ ସୁଧର ଉଚିତ୍ ବ୍ୟବହାର, ବୈଧାନିକ ଅଡିଟ୍ ଓ ଆବଶ୍ୟକତାକୁ ପାଳନ କରିବ । ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ହାରରେ ସୁଧ ପିଏଲ୍ ଆକାଉଣ୍ଟରେ ପ୍ରତି ତିନିମାସରେ ଥରେ ୧୦ତାରିଖରେ ଡିପୋଜିଟ୍ କରିବେ । ୨୦୦ କୋଟି ଟଙ୍କାର ମୂଳ କର୍ପସ ରାଶି ଡିପୋଜିଟ ଆକାଉଂଟରେ ସେଭଳି ରହିବ ଓ କେବଳ ଅର୍ଜିତ ସୁଧ ପିଏଲ ଆକାଉଣ୍ଟରେ ଜମା ହେବ । ତେବେ ଏହି ପିଏଲ୍ ଆକାଉଣ୍ଟରେ ପ୍ରଥମଥର ପାଇଁ ସୁଧ କେବେ ଆସିବ ଓ ଜମା ହେବ ତାହା ଜଣାପଡ଼ିନି ।

କ୍ୟାବିନେଟ୍ ନିଷ୍ପତ୍ତି ଓ କର୍ପସ ପାଣ୍ଠି ଗଠନର ଲକ୍ଷ୍ୟ

୨୦୨୪ ଜୁନ୍ ୧୨ତାରିଖରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୨୦୨୪ ଜୁଲାଇ ୧୦ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଅସ୍ମିତା ପାଇଁ ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନିଆଗଲା । ଏହି କର୍ପସ ପାଣ୍ଠି ମାଧ୍ୟମରେ ରାଜ୍ୟରେ ପ୍ରାୟ ୧୦ଟି ଦିଗରେ ଅର୍ଥ ଖର୍ଚ୍ଚ କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ଲକ୍ଷ୍ୟ ରଖାଗଲା । ବିଶେଷକରି ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ସ୍ଥାପନ, ବିଶ୍ୱସ୍ତରୀୟ ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ ନିର୍ମାଣ, ପାଇକବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ପାଇଁ ପ୍ରୟାସ, କଳାକାର ଗୌରବ ନିଧି ଯୋଜନା, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜିଲ୍ଲାସ୍ତରୀୟ ଇ-ଲାଇବ୍ରେରୀ ସ୍ଥାପନ, ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଉନ୍ନତିକରଣ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ । କ୍ୟାବିନେଟର ଏହି ନିଷ୍ପତ୍ତିର ପ୍ରାୟ ୧୫ଦିନ ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଗତ କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ୨୦୦କୋଟି ଟଙ୍କାର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ନିମନ୍ତେ ଅର୍ଥବରାଦ କରାଗଲା । କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି କର୍ପସ ପାଣ୍ଠି ଗଠନ ହୋଇପାରିଲା ନାହିଁ ।

Advertisment

ବିଭାଗର ଆନ୍ତରିକତାର ଅଭାବ

ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ତଥା ନିର୍ବାଚନୀ ପ୍ରତିଶ୍ରୁତି ଅନୁରୂପ ମୋହନ ମାଝୀଙ୍କ ସରକାର ୨୦୨୪ ଜୁନ୍ ୧୨ତାରିଖରେ କ୍ଷମତାକୁ ଆସିବାର ମାତ୍ର ମାସକ ମଧ୍ୟରେ ୨୦୨୪ ଜୁଲାଇ ୧୦ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଅସ୍ମିତା ପାଇଁ ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପତ୍ତି ନେଲେ । ଏହି ନିଷ୍ପତ୍ତିର ୧୫ଦିନ ପରେ ବାର୍ଷିକ ବଜେଟରେ ମଧ୍ୟ ଅର୍ଥବରାଦ କଲେ । କିନ୍ତୁ ବିଜେପିର ନିର୍ବାଚନୀ ଜିତିବାର ଅମୋଘ ଅସ୍ତ୍ର ‘ଓଡ଼ିଆ ଅସ୍ମିତା’ ନିମନ୍ତେ କ୍ୟାବିନେଟ୍ ୧୦ମାସ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାରିଲା ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେଉଁ ଅଦୃଶ୍ୟ କାରଣରୁ ଶାସନକଳରେ ଓଡ଼ିଆ ଭାଷାର ବ୍ୟାପକ ଉପଯୋଗିତାକୁ ସୁନିଶ୍ଚିତ କରାଯାଉ ନାହିଁ କିମ୍ବା ଓଡ଼ିଆ ଭାଷାକୁ ନେଇ ତୃଣମୂଳସ୍ତରରୁ ଜନଜାଗରଣ ସୃଷ୍ଟି ପାଇଁ ଉଦ୍ୟମ ହେଉନାହିଁ ତାହାବି ଅସ୍ପଷ୍ଟ ।

କିଏ କ’ଣ କହିଲେ...

ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଛନ୍ତି ଯେ “ ଅସ୍ମିତାର ଅର୍ଥ ହେଲା ପରିଚୟ । ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି କ’ଣ, ୫୦୦ କି ୨ହଜାର କୋଟି ଟଙ୍କା ଖର୍ଚ୍ଚ କଲେବି ‘ଓଡ଼ିଆ ଅସ୍ମିତା’ ସମ୍ଭବପର ନୁହେଁ । କ୍ୟାବିନେଟ୍ ଯେଉଁ ୧୦ଟି ଦିଗ ଉପରେ ଗୁରୁତ୍ୱ ଦେଇଛି ସେଥିରେ ବି ଓଡ଼ିଆଙ୍କ ପରିଚୟ ବଢ଼ିଯିବନି । ଜଣେ ସାଧାରଣ ଓଡ଼ିଆ ଯେପର୍ଯ୍ୟନ୍ତ ନିଜର ପରିଚୟକୁ ନେଇ ଗର୍ବ ଅନୁଭବ କରିନି କିମ୍ବା ନିଜକୁ ଗର୍ବିତ ହେବାର ସୁଯୋଗ ଖୋଜିନି ସେପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାର ମାନେ କିଛି ନାହିଁ । ସାଧାରଣ ନିର୍ବାଚନବେଳେ ଭିକେ ପାଣ୍ଡିଆନଙ୍କ ଅଣଓଡ଼ିଆ ପ୍ରସଙ୍ଗରୁ ବିଜେପିକୁ ‘ଓଡ଼ିଆ ଅସ୍ମିତା’ର ପ୍ରସଙ୍ଗ ମିଳିଲା । ଏଥିରେ ବିଜେପିର କିଛି ବାହାଦୂରୀ ନାହିଁ । ଜଣେ ଅଣଓଡ଼ିଆ ବ୍ୟକ୍ତି ଚକ୍ରାନ୍ତ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଯିବ କିମ୍ବା ତାଙ୍କୁ ରାଜ୍ୟବାସୀଙ୍କ ଉପରେ ଲଦିଦିଆଯିବ ବୋଲି ସାଧାରଣ ଓଡ଼ିଆ ଆଶଙ୍କା କଲେ,ତେଣୁ ସେମାନେ ବିଜେଡି ପରିବର୍ତ୍ତେ ବିଜେପିକୁ ଭୋଟ୍ ଦେଲେ । ଆଉ ବିଜେପି ସରକାର ବର୍ଷେ ଚୁପ୍ ବସିଲେ ଏବେ ତାଙ୍କର ମନେପଡ଼ିଲା ଓଡ଼ିଆ ଅସ୍ମିତା । ଯଦି ସରକାର ବାସ୍ତବରେ ଓଡ଼ିଆ ଅସ୍ମିତାକୁ ନେଇ ସମ୍ବେଦନଶୀଳ ଅଛନ୍ତି ତା’ହେଲେ ପ୍ରଥମେ ସମସ୍ତପ୍ରକାରର ସରକାରୀ କାର୍ଯ୍ୟକୁ ଓଡ଼ିଆ ଭାଷାରେ ସୁନିଶ୍ଚିତ କରାନ୍ତୁ । ଅନ୍ୟ ଜାତୀୟ ଭାଷାର ଗୁରୁତ୍ୱ ରହୁ କିନ୍ତୁ ଶାସନ କଳ ଓଡ଼ିଆ ଭାଷାରେ ଚାଲିଲେ ହିଁ ଜଣେ ଓଡ଼ିଆ ନିଜକୁ ଗର୍ବ ଅନୁଭବ କରିପାରିବ ।

ସେହିପରି ଓଡ଼ିଶା ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ ପ୍ରଧାନ କହିଛନ୍ତି ଯେ “  ପୂର୍ବ ବିଜେଡି ସରକାର ଅମଳରେ ରାଜ୍ୟର ଖଣି, ଠିକାଦାରୀ, ବ୍ୟବସାୟ ଓ ଶାସନ ବ୍ୟବସ୍ଥା ଅଣଓଡ଼ିଆଙ୍କ ହାତକୁ ପଳାଇଥିଲା ଓ ଓଡ଼ିଆ ଲୋକମାନେ ନିଜ ରାଜ୍ୟରେ ନିଜକୁ ହତାଦାର ଅନୁଭବ କଲେ । ଆଉ ଏହାର ପ୍ରତିବାଦ କରି ସେତେବେଳେ ରାଜ୍ୟର ସିଭିଲ ସୋସାଇଟି ଦ୍ୱାରା ପ୍ରଥମେ ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରାଯାଇଥିଲା । ଯାହାକୁ ବିଜେପି ପରବର୍ତ୍ତୀ ସମୟରେ ନିଜର ରାଜନୀତିକ ପ୍ରସଙ୍ଗ କଲା । ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବାର ବର୍ଷେ ହୋଇଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଆମର ଖଣି ଓ ଅନ୍ୟାନ୍ୟ ବ୍ୟବସାୟଠୁ ଆରମ୍ଭ କରି ମେଗା ପ୍ରକଳ୍ପର ଠିକଦାରୀରେ ଓଡ଼ିଆ ଲୋକଙ୍କୁ ଗୁରୁତ୍ୱ ମିଳିପାରିନି । ପରିସ୍ଥିତିରେ ସେଭଳି କିଛି ବି ପରିବର୍ତ୍ତନ ଆସିନି ।ଏବେବି ପ୍ରଭାକରନ ପାଖରେ ରାଜ୍ୟର ଖଣିଖାଦାନ ରହିଛି । ସରକାର ଯଦି ବାସ୍ତବରେ ଓଡ଼ିଆ ଅସ୍ମିତାର ମୂଳଲକ୍ଷ୍ୟକୁ ହାସଲ କରିବାକୁ ଚାହୁଁଛନ୍ତି ତା’ହେଲେ ପ୍ରଥମେ ଓଡ଼ିଆଙ୍କୁ ନିଜର ଖଣି, ପାଣି,ଠିକାଦାରୀ ଓ ବ୍ୟବସାୟରେ ଅଗ୍ରାଧିକାର ଦେବା କାର୍ଯ୍ୟ ଆରମ୍ଭ କରନ୍ତୁ ।”